ଆମ୍ବ, ନଡ଼ିଆ, ପଣସ ଗୋଟାଇବାକୁ ବେଳ ନାହିଁ

ସ୍କୁଲ, କଲେଜ ଖୋଲିବ ତ?

ସାବିତ୍ରୀ ପାଇଁ ସହରରେ ନଡ଼ିଆ ଓ ପଣସ ଦର ଆକାଶଛୁଆଁ। ପଇଡ଼ ଗୋଟା ୩୦ ଟଙ୍କା ଟପିଥିବା ବେଳେ ପଣସ ବି ଅମୂଲ ମୂଲ। ମାତ୍ର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ, ସତ୍ୟବାଦୀ, ଡେଲାଙ୍ଗ ପ୍ରଭୃତି ଅଞ୍ଚଳରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ବାଡ଼ିରେ ପଡ଼ିଥିବା ନଡ଼ିଆ, ପଣସ ବିକିବା ଦୂରେ ଥାଉ, ଗୋଟାଇବାକୁ ଲୋକଙ୍କ ପାଖରେ ବେଳ ନାହିଁ। କିଛି ଚାଷୀଙ୍କ କହିବା କଥା ହେଉଛି ଯେ ଘର ଭାଙ୍ଗିଯାଇଛି। ସଜାଡ଼ି ହେଉନି। କେହି ଲୋକ ବି କାମ କରିବାକୁ ଆସୁନାହାନ୍ତି। ଆମ୍ବ, ପଣସ, ନଡ଼ିଆ ଗୋଟାଇବ କିଏ? ବାଡ଼ିରେ ଯାହା ପଡ଼ିଛି ପଡ଼ିଥାଉ। ୨୦୦ ନଡ଼ିଆ ଗଛ ଭାଙ୍ଗିଛି। ପ୍ରଶାସନ ଘୋଷଣା କରୁଛି ୨୫ରୁ ଅଧିକ ନଡ଼ିଆ ଗଛକୁ ସହାୟତା ମିଳିବନି। ବାକି ଗଛ କ’ଣ ଦୋଷ କରିଥିଲେ କି? ଚାଷୀଙ୍କ ଏଭଳି ଅବସ୍ଥାର ସୁଯୋଗ ନେଇ କିଛି ବେପାରୀ ସିଧାସଳଖ ଚାଷୀଙ୍କଠାରୁ ପଣସ ଓ ନଡ଼ିଆ କିଣୁଛନ୍ତି। ଅଳ୍ପ ମୂଲ୍ୟରେ କିଣି ଆଣି ତାହାକୁ ଚଢ଼ା ଦରରେ ଭୁବନେଶ୍ବରରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।

ସ୍କୁଲ, କଲେଜ ଖୋଲିବ ତ?

ବାତ୍ୟାର ଏକ ମାସ ପରେ ପୁରୀ ଜିଲ୍ଲାରେ ଥିବା ସ୍କୁଲ ଓ କଲେଜ ଅବସ୍ଥା ପୂର୍ବ ଭଳି ରହିଛି। ବାତ୍ୟା ପରଦିନ ଯେମିତି ସ୍ଥିତି ଥିଲା ଏବେ ବି ସେମିତି। କେଉଁଠି ବିଦ୍ୟାଳୟର ଛପର ଉଡ଼ିଯାଇଛି ତ ଆଉ କେଉଁଠି ସ୍କୁଲ ଘର କାନ୍ଥ ଉପରେ ଗଛ ସେମିତି ପଡ଼ିରହିଛି। ଡେଲାଙ୍ଗ, ପିପିଲି, ସତ୍ୟବାଦୀ, କଣାସ, ବ୍ରହ୍ମଗିରି ସବୁଠି ସମାନ ଚିତ୍ର ଦୃଷ୍ଟିକୁ ଆସିଛି। ଜିଲ୍ଲାର ୫ ହଜାରରୁ ଅଧିକ ବିଦ୍ୟାଳୟ ପ୍ରଭାବିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଜାଡ଼ିବାର ନାଁ ଧରୁନାହାନ୍ତି। ଏବେ ଏହି ଜିଲ୍ଲାର ବିଧାୟକ ସମୀର ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି। ଦାୟିତ୍ବ ନେବାର ଗୋଟିଏ ଦିନ ପରେ ଭୁବନେଶ୍ବରରେ ସମୀକ୍ଷା କରି ବାତ୍ୟା ପ୍ରଭାବିତ ବିଦ୍ୟାଳୟଗୁଡ଼ିକର ପୁନରୁଦ୍ଧାର କରିବାକୁ ନିର୍ଦେଶ ଦେଇଛନ୍ତି। ତେବେ ଗ୍ରୀଷ୍ମ ଛୁଟି ପରେ ପୁରୀ ଜିଲ୍ଲାରେ ଥିବା ସ୍କୁଲ କଲେଜଗୁଡ଼ିକ ଖୋଲିବା ସ୍ଥିତିକୁ ଫେରିବ ନା ନାହିଁ ସେନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର