ନଡ଼ିଆ ଗଛକୁ ରୋଗପୋକ ଭୟ, ସିଡିବି ଓ ନଡ଼ିଆ ଗବେଷଣା କେନ୍ଦ୍ରର ସାମ୍ପୁଲ୍‌ ସର୍ଭେ

ପୁରୀ ଜିଲ୍ଲାରେ ୨୦% ଗଛ ଭାଙ୍ଗିଛି, ୮୦% ଗଛର କନ୍ଦା ମୋଡ଼ି ଦେଇଛି

ଭୁବନେଶ୍ବର: ବାତ୍ୟା ପ୍ରଭାବରେ ଉଜୁଡ଼ି ଯାଇଛି ନଡ଼ିଆ ଚାଷ। ରାଜ୍ୟରୁ ଅର୍ଧାଧିକ ନଡ଼ିଆ ଉତ୍ପାଦିତ ହେଉଥିବା ଜିଲ୍ଲା ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ନଡ଼ିଆ ଗଛ ଉପୁଡ଼ିବା ସହ ବହୁ ପରିମାଣରେ ଭାଙ୍ଗିପଡ଼ିଛି। ଆଉ ଯେଉଁ କିଛି ରହିଯାଇଛି ତାହାକୁ ବଞ୍ଚାଇ ରଖିବା ଚାଷୀଙ୍କ ପାଇଁ ଏବେ ବଡ଼ ଚା‌ଲେଞ୍ଜ ହୋଇଛି। କିପରି ନଡ଼ିଆ ଗଛଗୁଡ଼ିକୁ ବଞ୍ଚାଇ ରଖାଯାଇ ପାରିବ ସେଦିଗରେ ଚାଷୀମାନେ ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଇତି ମଧ୍ୟରେ ନଡ଼ିଆ ବିକାଶ ପରିଷଦ(ସିଡିବି) ଓ ଓୟୁଏଟିସ୍ଥିତ ଆଇସିଏଆରର ଆଞ୍ଚଳିକ ନଡ଼ିଆ ଗବେଷଣା କେନ୍ଦ୍ରର ଏକ ପ୍ରତିନିଧି ଦଳ ପୁରୀ ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ନଡ଼ିଆ ଗଛ କ୍ଷତିର ସାମ୍ପୁଲ୍‌ ସର୍ଭେ କରିଛନ୍ତି। ୧୯୯୯ ତୁଳନାରେ ଏଥର ଅଧିକ କ୍ଷତି ହୋଇଥିବା ଆକଳନ କରାଯାଇଛି। ଜିଲ୍ଲାରେ ଥିବା ମୋଟ ନଡ଼ିଆ ଗଛ ମଧ୍ୟରୁ ୨୦ ପ୍ରତିଶତ ଉପୁଡ଼ି ଓ ଭାଙ୍ଗିପଡ଼ିଛି। ୮୦ ପ୍ରତିଶତ ଗଛର କନ୍ଦା ନଷ୍ଟ ହୋଇଥିବା ଆକଳନ ହୋଇଛି।

ନଡ଼ିଆ ଗବେଷଣା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଶରତ ଚନ୍ଦ୍ର ସାହୁ ପରାମର୍ଶ ଦେଇଛନ୍ତି ଯେ ଯେଉଁ ଛୋଟ ନଡ଼ିଆ ଗଛ ବଙ୍କା ହୋଇଛି ତାହାକୁ ଛିଡ଼ା କରାଇ ଢିରା ଦେଲେ ସେ ଗଛ ବଞ୍ଚିଯିବ। ଯେଉଁ ଗଛର କନ୍ଦା ମୋଡ଼ି ହୋଇଯାଇଛି ସେହି କନ୍ଦାକୁ ଧୀରେ ଧୀରେ ସଫା କରିବାକୁ ପଡ଼ିବ। ଯେଉଁ ନଡ଼ିଆ ଗଛର ବାହୁଙ୍ଗା ଭାଙ୍ଗିଯାଇଛି ତାକୁ ସଫା କରିବା, କାଟିଦେଇ ଔଷଧ ପକାଇବା ଆବଶ୍ୟକ। କନ୍ଦା ଅଧିକ ନଷ୍ଟ ହୋଇଥିଲେ ସେ ଗଛ ପୂର୍ବ ସ୍ଥିତିକୁ ଫେରିବାକୁ ୩ ବର୍ଷ ସମୟ ଲାଗିଯିବ। ତେବେ ଗଛଗୁଡ଼ିକୁ ଭଲ ଭାବେ ଯତ୍ନ ନେବା, ଭଙ୍ଗା‌ ବାହୁଙ୍ଗା କାଟିବା, ବର୍ଷା ଦିନ ପୂର୍ବରୁ ପର୍ଯ୍ୟାପ୍ତ ସାର ଓ ଖତ ଗଛ ମୂଳରେ ଦେବା ଆବଶ୍ୟକ। ଖରା ଦିନରେ ପର୍ଯ୍ୟାପ୍ତ ପାଣି ଦେବା ଦରକାର। ଯେଉଁ ନଡ଼ିଆ ଗଛରେ ବାତ୍ୟା ପବନ ମାଡ଼ ହୋଇଛି ଆସନ୍ତା ୩ରୁ ୬ ମାସ ମଧ୍ୟରେ ସେଥିରେ ନୂଆ ବାହୁଙ୍ଗା ବାହାରିବ ନାହିଁ। ବାତ୍ୟା ପରେ ରାଇନୋସର ବିଟଲ୍‌, ରେଡ୍‌ ଫାର୍ମ ଉଇଭିଲ୍‌ ପରି ରୋଗ ବ୍ୟାପିବାର ଆଶଙ୍କା ରହିଛି। ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ଔଷଧ ପକାଇବା ସହ ଏହି ପ୍ରଜାତିର ପୋକ ଯେପରି ନଡ଼ିଆ ଗଛରେ ନ ଲାଗିନ୍ତି ସେଥିପାଇଁ ଦାନାଦାର ପକାଇବାର ଆବଶ୍ୟକତା ରହିଛି। ଯେଉଁ ଗଛରେ ନଡ଼ିଆ ରହିଯାଇଛି ତାହା ଆସନ୍ତା କିଛି ଦିନ ମଧ୍ୟରେ ଝଡ଼ିପଡ଼ିବ। ପୁଣିଥରେ ଅମଳ ହେବାକୁ ୨ରୁ ୩ ବର୍ଷ ସମୟ ଲାଗିଯିବ। ନଡ଼ିଆ ‌ମୂଲ୍ୟ ବହୁତ ବଢ଼ିଯିବ। ପୁରୀ ଜିଲ୍ଲାରେ ସାମ୍ପୁଲ ସର୍ଭେ କରିବା ସମୟରେ ୮୦ ପ୍ରତିଶତ ଗଛର କନ୍ଦା ସମ୍ପୂର୍ଣ୍ଣ ବା ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ୧୦ରୁ ୧୫ ପ୍ରତିଶତ ଗଛର କନ୍ଦା ଆଂଶିକ କ୍ଷତି ହୋଇଛି। କମ୍‌ ଦିନରେ ଏହା ପୁଣିଥରେ ପୂର୍ବ ସ୍ଥିତିକୁ ଫେରିବ। ତେବେ ଭଙ୍ଗି ଓ ଉପୁଡ଼ି ଯାଇଥିବା ଗଛ କାଟି ବଗିଚା ସଫା କରିବା ଦରକାର। ଯଦି କୌଣସି ଗଛରେ ପୋକ ଲାଗନ୍ତି ତେବେ ୨ରୁ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଗଛ ନଷ୍ଟ ହୋଇଯିବ। ଗଛ ବଗିଚାରେ ପଡ଼ି ରହିଲେ ପୋକ ଲାଗିବାର ଆଶଙ୍କା ରହିଛି। ଯଦି କୌଣସି ଚାଷୀ ଅଧିକ ପରାମର୍ଶ ଚାହାନ୍ତି ସେମାନେ ୯୪୩୭୪୬୩୨୪୨ ନମ୍ବରରେ ଯୋଗାଯୋଗ କରି ପରାମର୍ଶ ନେଇପାରିବେ ବୋଲି ପ୍ରଫେସର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର