ଭୁବନେଶ୍ବର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୬ରୁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିକୁ ଆଜି ହଟାଇ ଦିଆଯାଇଛି। ସାଧାରଣ ନିର୍ବାଚନଜନିତ ସମସ୍ତ ପ୍ରକ୍ରିୟା ଆଜି ଶେଷ ହୋଇଥିବାରୁ ଏନେଇ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷଣା ହୋଇଛି। ଆଦର୍ଶ ଆଚରଣ ବିଧି ଲାଗିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନୂଆ ପ୍ରକଳ୍ପର ଉଦ୍ଘାଟନ କି ଶିଳାନ୍ୟାସ, ବିଭିନ୍ନ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା, ନୂଆ ପଦକ୍ଷେପ, ସରକାରୀ କାର୍ଯ୍ୟାଳୟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଅଭିଯୋଗ ଶୁଣାଣି ଉପରେ ରୋକ୍ ଲାଗିଥିଲା। ଏବେ ସମସ୍ତ କାର୍ଯ୍ୟ ପୂର୍ବଭଳି ସ୍ବାଭାବିକ ଢଙ୍ଗରେ ହେବ।
ସେହିପରି ଆଜି ଓଡ଼ିଶାରେ ନୂତନ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରକାଶିତ ହୋଇଛି। ଏହି ବିଜ୍ଞପ୍ତି ଓଡ଼ିଶା ରାଜପତ୍ରରେ ମଧ୍ୟ ପୁନଃପ୍ରକାଶିତ ହୋଇଛି। ପୂର୍ବାହ୍ନରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଏହି ବିଜ୍ଞପ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ୍. ତିରୁମାଳା ନାୟକ, ଶତ୍ରୁଘ୍ନ କର, ମିହିର ମହାନ୍ତି, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ ସାହୁ, ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା ଉପସ୍ଥିତ ଥିଲେ। ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟପାଳ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।