କନ୍ଧମାଳ ଜିଲ୍ଲାରେ ଲକ୍ଷେ ହେକ୍ଟର ଜମିରେ ହେବ କଫି ଚାଷ କଫି ବୋର୍ଡ଼ ଏବଂ ଟିଡିସିସି ମଧ୍ୟରେ ବୁଝାମଣାପତ୍ର Latestକନ୍ଧମାଳଜିଲ୍ଲା By Sambad Digital Last updated Feb 1, 2022 ସେୟାର ଫୁଲବାଣୀ : ପୁଣି ମହକିବାକୁ ଯାଉଛି କନ୍ଧମାଳ କଫି। ଜିଲ୍ଲାର ୬ଟି ବ୍ଲକ୍ରେ ମୋଟ ୧,୦୯,୩୯୫ ହେକ୍ଟର ଜମିରେ କଫି ଚାଷ ହେବ ବୋଲି କଫି ବୋର୍ଡ଼ ନିଷ୍ପତ୍ତି ନେଇଛି। ଜିଲ୍ଲାର ରାଇକିଆ, ଟିକାବାଲି, ଦାରିଙ୍ଗବାଡ଼ି, ଘୁ.ଉଦୟଗିରି, ଫିରିଙ୍ଗିଆ ଏବଂ କ.ନୂଆଗାଁ ଭଳି ୬ଟି ବ୍ଲକ୍ କଫି ଚାଷ ପାଇଁ ଅନୁକୂଳ ଏବଂ ଏହି ୬ଟି ବ୍ଲକ୍ରେ ନୂଆକରି କଫି ଚାଷ ଆରମ୍ଭ କରିବାକୁ କଫିବୋର୍ଡ ସର୍ଭେ କରିଛି। ଏଥିପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ, କଫିବୋର୍ଡ ଏବଂ ଟିଡିସିସି ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ରାଇକିଆ ବ୍ଲକ୍ର ୨୩,୮୦୦ ହେକ୍ଟର, ଟିକାବାଲି ବ୍ଲକର ୨୫,୯୦୦, ଦାରିଙ୍ଗବାଡ଼ି ବ୍ଲକ୍ର ୭୬,୯୦୦, ଘୁ.ଉଦୟଗିରି ବ୍ଲକ୍ର ୧୩,୭୦୦, ଫିରିଙ୍ଗିଆ ବ୍ଲକ୍ର ୬୩,୨୦୦ ଏବଂ କ.ନୂଆଗାଁ ବ୍ଲକ୍ର ୩୯,୬୦୦ ହେକ୍ଟର ଜମି ଚିହ୍ନଟ କରାଯାଇଛି। କଫି ଚାଷ ପାଇଁ କନ୍ଧମାଳର ମାଟି, ପାଣିପାଗ ଓ ଜଳବାୟୁ ସମ୍ପୂର୍ଣ୍ଣ ଅନୁକୂଳ ବୋଲି କଫି ବୋର୍ଡର ପ୍ରାକ୍ ନିରୀକ୍ଷଣରୁ ଜଣାପଡ଼ିଛି। ଅନୁକୂଳ ବାତାବରଣ ଦୃଷ୍ଟିରୁ ଚଳିତବର୍ଷ ଏହି ୬ଟି ବ୍ଲକରେ କଫି ଚାଷ ପାଇଁ ନିଷ୍ପତ୍ତି ହୋଇଛି। ଟିଡିସିସି ଆସନ୍ତା ୩ ବର୍ଷ ପାଇଁ କଫି ଚାଷ ହେବାକୁ ଥିବା ଜମି ଲିଜ୍ ସୂତ୍ରରେ ନେବାକୁ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏଥିପାଇଁ କଫିବୋର୍ଡ ବୈଷୟିକ ସହାୟତା ଯୋଗେଇ ଦେବା ସହ ଟିଡିସିସି କଫି ଗଛର ଯତ୍ନ ଓ ରକ୍ଷଣାବେକ୍ଷଣ କରିବ ବୋଲି ଜିଲ୍ଲାପାଳ ଡ. ବୃନ୍ଦା ଡି. ସୂଚନା ଦେଇଛନ୍ତି। Sambad is now on WhatsApp Join and get latest news updates delivered to you via WhatsApp Join Now ସୂଚନାଯୋଗ୍ୟ, ୧୯୭୪ ମସିହାରୁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଏବଂ ଘୁ.ଉଦୟଗିରି ଫାର୍ମ ପରିସରରେ କଫିଚାଷ ହୋଇ ଆସୁଛି। ପରୀକ୍ଷାମୂଳକ ଭାବେ ଦାରିଙ୍ଗବାଡ଼ିରେ ୪୦ ହେକ୍ଟର ଏବଂ ଘୁ.ଉଦୟଗିରି ଫାର୍ମରେ ୨ ହେକ୍ଟର ଜମିରେ କଫି ଚାଷ ହୋଇଥିଲା। ଏଥିରେ କନ୍ଧମାଳ ଜିଲ୍ଲା ପ୍ରଶାସନ ମଧ୍ୟ ସଫଳତା ପାଇଛି। କେବଳ ସରକାରୀ ନୁହେଁ ବେସରକାରୀ ଭାବେ ମଧ୍ୟ ଘୁ.ଉଦୟଗିରି ଏବଂ ଦାରିଙ୍ଗବାଡ଼ିରେ ମଧ୍ୟ କଫି ଚାଷ କରାଯାଉଛି। ଅପରପକ୍ଷେ, କଫି ଚାଷ ହେଲେ କନ୍ଧମାଳ ଜିଲ୍ଲା ଅର୍ଥନୈତିକ ଦୃଷ୍ଟିରୁ ବିକଶିତ ହେବା ସହିତ ଏ ଜିଲ୍ଲା ପ୍ରତି ପର୍ଯ୍ୟଟକ ଆକର୍ଷଣ ମଧ୍ୟ ବୃଦ୍ଧି ପାଇବ। କେବଳ ଦାରିଙ୍ଗବାଡ଼ିର କଫି ବଗିଚା ବୁଲିବା ପାଇଁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଅପରପକ୍ଷେ, କନ୍ଧମାଳ ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ କୃଷି ବିଭାଗର ଆମ୍ବ ଓ ପଣସ ବଗିଚା ସମେତ ବିଭିନ୍ନ ଘରୋଇ ଆମ୍ବ, ପଣସ ବଗିଚାକୁ କଫି ଚାଷ ପାଇଁ ଚୟନ କରାଯାଇଛି। ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ ଅଧିକ ମାତ୍ରାରେ ସିଲ୍ଭର ଓକ୍ ଗଛ ଲଗାଯିବାକୁ ଉଦ୍ୟମ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। ସାଧାରଣତଃ କଫି ଚାଷ ପାଇଁ ଉର୍ବର ଏବଂ ଅଧିକ ମାତ୍ରାରେ ଜୈବିକ ଉପାଦାନ ବହନ କରୁଥିବା ଅମ୍ଳଯୁକ୍ତ ମାଟି, ଛାୟା ପ୍ରଦାନକାରୀ ସିଲ୍ଭର ଓକ୍ ଗଛ, ଆମ୍ବ କିମ୍ବା ପଣସ ଗଛର ଛାଇ ଏବଂ ଭୂମିଟି ସମୁଦ୍ର ପତ୍ତନଠାରୁ ୨୫୦୦ରୁ ୪୦୦୦ ଫୁଟ ଉଚ୍ଚତାରେ ରହିବା ଆବଶ୍ୟକ। ସେହିଭଳି ବର୍ଷତମାମ୍ ବର୍ଷା ସାଙ୍ଗକୁ ୧୬୦୦ରୁ ୨୫୦୦ ମିମି ବାର୍ଷିକ ବୃଷ୍ଟିପାତ ସହିତ ୧୫ ଡିଗ୍ରିରୁ ୨୫ ଡିଗ୍ରି ସେଣ୍ଟିଗ୍ରେଡ୍ ତାପମାତ୍ରା ଏବଂ ଆର୍ଦ୍ରତା ୭୦ରୁ ୮୦ ପ୍ରତିଶତ ରହିବା ନିହାତି ଜରୁରୀ। ଏ ସମସ୍ତ ଯୋଗ୍ୟତା କନ୍ଧମାଳ ଜିଲ୍ଲାର ଉପରୋକ୍ତ ୬ଟି ବ୍ଲକ୍ ପୂରଣ କରିପାରୁଛି ବୋଲି କନ୍ଧମାଳ ଜିଲ୍ଲା ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୃତ୍ତିକା ସଂରକ୍ଷଣ ବିଭାଗ ଉପନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ବିଶେଷ କରି ମାର୍ଚ୍ଚରୁ ମେ ମାସରେ ବର୍ଷା ହେଉଥିବା ଜରୁରୀ। ଜିଲ୍ଲାର ଏହି ୬ଟି ବ୍ଲକ୍ରେ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ ଆବଶ୍ୟକ ମାତ୍ରାରେ ବୃଷ୍ଟିପାତ ହେଉଥିବାରୁ କଫିଚାଷ ପାଇଁ ଅନୁକୂଳ ହେବ ବୋଲି କୁହାଯାଇଛି। ତଥ୍ୟ ଅନୁସାରେ, ପ୍ରତିବର୍ଷ ରାଇକିଆ ବ୍ଲକ୍ରେ ମାର୍ଚ୍ଚ ମାସରେ ହାରାହାରି ୩୧ ମିମି., ଏପ୍ରିଲରେ ୭୧ ମିମି. ଏବଂ ମେ ମାସରେ ୧୧୫ ମିମି. ବୃଷ୍ଟିପାତ ହେଉଥିବା ବେଳେ ଟିକାବାଲି ବ୍ଲକ୍ରେ ମାର୍ଚ୍ଚ ମାସରେ ୨ ମିମି., ଏପ୍ରିଲରେ ୬ ମିମି. ଏବଂ ମେ ମାସରେ ୫୬ ମିମି., ଦାରିଙ୍ଗବାଡ଼ି ବ୍ଲକ୍ରେ ମାର୍ଚ୍ଚ ମାସରେ ୧୪ ମିମି., ଏପ୍ରିଲ ମାସରେ ୨୦ ମିମି., ମେ ମାସରେ ୧୮ ମିମି., ଘୁ.ଉଦୟଗିରି ବ୍ଲକ୍ରେ ମାର୍ଚ୍ଚ ମାସରେ ୨୧ ମିମି., ଏପ୍ରିଲ ମାସରେ ୮.୪ ମିମି., ମେ ମାସରେ ୯୮ ମିମି., ଫିରିଙ୍ଗିଆ ବ୍ଲକ୍ରେ ମାର୍ଚ୍ଚ ମାସରେ ୧୮ ମିମି., ଏପ୍ରିଲ ମାସରେ ୨୨ ମିମି., ମେ ମାସରେ ୧୬୮ ମିମି. ଏବଂ କ.ନୂଆଗାଁ ବ୍ଲକରେ ମାର୍ଚ୍ଚ ମାସରେ ୧୨ ମିମି, ଏପ୍ରିଲ ମାସରେ ୨୧ ମିମି ଏବଂ ମେ ମାସରେ ୮୬ ମିମି ବୃଷ୍ଟିପାତ ହୋଇଥାଏ। କେବଳ ବୃଷ୍ଟିପାତ କାହିଁକି, ଏହି ୬ଟି ବ୍ଲକ୍ରେ ହାରାହାରି ଆର୍ଦ୍ରତା, ତାପମାତ୍ରା ମଧ୍ୟ ଅନୁକୂଳ ରହିଛି। ଏହା ସହିତ ଦାରିଙ୍ଗବାଡ଼ି ସମୁଦ୍ର ପତ୍ତନଠାରୁ ୩,୨୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ଥିବାବେଳେ ରାଇକିଆ ୩,୦୦୦, ଟିକାବାଲି ବ୍ଲକ୍ ୨,୮୦୦, ଘୁ.ଉଦୟଗିରି ୩,୦୦୦ ଏବଂ ଫିରିଙ୍ଗିଆ ୨,୯୦୦ ଫୁଟ ଉଚ୍ଚତାରେ ରହିଛି।