ସାରା ବିଶ୍ୱ ଚାଖିବ କୋରାପୁଟ କଫି, ଏକାଡେଲିରେ ଖୋଲିଲା କଫି ପ୍ରକ୍ରିୟାକରଣ ୟୁନିଟ୍

କୋରାପୁଟ : ଶନିବାର ଦିନ କୋରାପୁଟ ବ୍ଲକ୍‌ ଅନ୍ତର୍ଗତ ମହାଦେଇପୁଟ ଏକାଡେଲି ଗାଁରେ କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ (କେଡିଏଫ୍‌) ପକ୍ଷରୁ ସମନ୍ବିତ କଫି ପ୍ରକ୍ରିୟାକରଣ ୟୁନିଟ୍‌ ଓ ଷ୍ଟୋରେଜ୍‌ ୟୁନିଟ୍‌ ଲୋକାର୍ପଣ ହୋଇଛି। ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ କଫି ବୋର୍ଡର ମୁଖ୍ୟ ଉପେନ୍ଦ୍ର ସାହା, କେଡିଏଫ୍‌ର ସହପ୍ରତିଷ୍ଠାତା ଅଂଶୁମାନ ରଥ, ପ୍ରତିପ୍ରତିଭା ପଟ୍ଟନାୟକ, ଲାବନ ଦାସଙ୍କ ସହ ବହୁ କଫି ଚାଷୀ ଓ କଫି ଉଦ୍ୟେଗୀ ଏହି ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ। ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ଏହି ଅବସରରେ କହିଥିଲେ ଯେ, କେଡିଏଫ୍‌ର ପ୍ରୟାସ ଦ୍ବାରା କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ହଜାର ହଜାର ଚାଷୀ ଉପକୃତ ହେବେ। ଆଉ କୌଣସି ଚାଷୀ ଅଭାବୀ ବିକ୍ରିର ଶିକାର ହେବେନାହିଁ। ରାଜ୍ୟ ବାହାରକୁ ଯାଇ ଯେଉଁ ଖର୍ଚ୍ଚାନ୍ତ ହେଉଥିଲେ ତାହା ବି ହେବନାହିଁ। ମୁଖ୍ୟମନ୍ତ୍ରୀ ଯେପରି ଭାବେ କୋରାପୁଟ କଫିକୁ ଗୁରୁତ୍ବ ଦେଉଛନ୍ତି ତାହାକୁ ସୁଦୂର ପ୍ରସାରୀ କରିବାକୁ ବିହନ ନିଗମ ସଂକଳ୍ପବଦ୍ଧ। କୋରାପୁଟ କଫି କିପରି ଭାବେ ସାରା ବିଶ୍ବ ଚାଖିବ ଓ ଏହାକୁ ଯେମିତି ସ୍ବତନ୍ତ୍ର ମାନ୍ୟତା ମିଳିବ ସେନେଇ ବିହନ ନିଗମ ବୋର୍ଡ ବୈଠକରେ ଆଲୋଚନା ହେବ ବୋଲି କହିଛନ୍ତି।

କେଡିଏଫ୍‌ ସହପ୍ରତିଷ୍ଠାତା ଅଂଶୁମାନ ରଥ କୋରାପୁଟ କଫିର ଚାହିଦା ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ପ୍ରାୟ ଅଢ଼େଇ ଏକର ଜମିରେ ଏହି ପ୍ରକ୍ରିୟାକରଣ ଓ ଷ୍ ଟୋରେଜ୍ ୟୁନିଟ୍‌ ଆରମ୍ଭ ହୋଇଛି। ଏଠାରେ ଲାଗିଥିବା ପ୍ରକ୍ରିୟାକରଣ ମେସିନ ପ୍ରତି ଘଣ୍ଟାରେ ୨୫୦ କେଜି କଫି ମଞ୍ଜିକୁ ପ୍ରକ୍ରିୟାକରଣ ଓ ବର୍ଗୀକରଣ କରିପାରିବ। ୧୨ ଘଣ୍ଟାରେ ଦେଢ ଟନ୍‌ରୁ ଅଧିକ କଫି ପ୍ରକ୍ରିୟାକରଣ ସହ ବର୍ଗୀକରଣ ହୋଇପାରିବ। ସେଥିପାଇଁ କେରଳରୁ ଏକ ବୈଷୟିକ ଟିମ୍‌ ଏଠାରେ ପହଞ୍ଚିଛନ୍ତି। ଏହି ଟିମ୍‌ ୟୁନିଟ୍‌ରେ ନିୟୋଜିତ ମାନବ ସମ୍ବଳକୁ ତାଲିମ ଦେବ। ବର୍ଷକୁ କୋରାପୁଟରେ ଯେତିକି କଫି ଉତ୍ପାଦନ ହେଉଛି ତାହାଠାରୁ ଢେର ଅଧିକ କଫି ପ୍ରକ୍ରିୟାକରଣ କରଯାଇ ବିଶ୍ବ ବଜାରକୁ ଛଡାଯାଇ ପାରିବ। ପ୍ରାଥମିକ ଭାବେ ଆମେ ଦେଶରେ କଫିକୁ ବିକ୍ରି କରାଇ କଫି ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ଦେବୁ। ଏହାପରେ ଦେଶ ବାହାରକୁ ଏହି କଫି ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ବିଶେଷ କରି କୋରପୁଟ କଫିର ଚାହିଦା ୟୁରୋପ, ଦକ୍ଷିଣ ଆମେରିକା, ଉତ୍ତର ଆମେରିକା ଓ ଅଷ୍ଟ୍ରେଲିଆ ମହାଦେଶରେ ରହିଛି। ତେଣୁ ଆମେ କୋରାପୁଟ କଫିକୁ ବିଶ୍ବ ଦରବାରରେ ପହଞ୍ଚାଇବାକୁ ଚେଷ୍ଟା ଆରମ୍ଭ କରିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର