ସ୍କାନରରେ କଫ୍‌ସିରପ୍‌ ମାଫିଆ: କମ୍ପାନି ଆକାଉଣ୍ଟରୁ ଆଉ ଦେଢ଼କୋଟି ଫ୍ରିଜ୍

ବଲାଙ୍ଗୀର: କଟକର କଫ୍‌ସିରପ୍‌ ମାଫିଆ ତୋଫାନ ବଢ଼େଇ ଗ୍ୟାଙ୍ଗକୁ ଧରିବା ପରେ ବଲାଙ୍ଗୀର ପୁଲିସ ଓଡ଼ିଶାରେ କାରବାର ବିସ୍ତାର କରିଥିବା ଅନ୍ୟ ମାଫିଆଙ୍କୁ ଖୋଜୁଛି। କୋଲକାତାର ଡାଫୋଡିଲ୍‌ ଡ୍ରଗ୍ସ ପ୍ରାଇଭେଟ ଲିମିଟେଡ ସହ କାହା କାହାର ଲିଙ୍କ୍‌ ଅଛି? କିଏ କିଏ ଡାଫୋଡିଲ୍‌ କମ୍ପାନିରୁ କଫ୍‌ସିରପ୍‌ ଆଣୁଥିଲେ? ଆଣିବା ପରେ ସେମାନେ କେଉଁ ସବୁ ଜିଲ୍ଲାକୁ ଯୋଗାଣ କରୁଥିଲେ? ଜିଲ୍ଲା ସ୍ତରର ମାଫିଆ ସବୁ କିଏ? ସେ ଦିଗରେ ପୁଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି। ଡାଫୋଡିଲ୍‌ କମ୍ପାନିର ଯାହା ତଥ୍ୟ ପୁଲିସ ହାତରେ ଲାଗିଛି, ସେଥିରୁ କଫ୍‌ସିରପ୍‌ ନେଟୱର୍କର ବହୁ କିଛି ସୂଚନା ପୁଲିସ ପାଇସାରିଲାଣି। ଏଣୁ ଅନ୍ୟ ମାଫିଆ ଗ୍ୟାଙ୍ଗ ଛାନିଆଁ ହୋଇ ଲୁଚି ବୁଲୁଛନ୍ତି। ସେହିପରି କୋଲକାତାର ଡାଫୋଡିଲ୍‌ କମ୍ପାନିକୁ ଆଉ ଏକ ବଡ଼ ଝଟକା ଲାଗିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡାଫୋଡିଲ୍‌ ଡ୍ରଗ୍ସ ପ୍ରାଇଭେଟ ଲିମିଟେଡ କମ୍ପାନିର ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମ ଦଫାରେ ଦୁଇକୋଟି ଟଙ୍କା ଫ୍ରିଜ୍‌ କରାଯାଇଥିଲା। ଏବେ ଯୋଗାଣ କମ୍ପାନିର ଆଉ ଦେଢ଼ କୋଟି ଟଙ୍କା ଫ୍ରିଜ୍‌ କରିଛି ପୁଲିସ। ଏଯାଏଁ ଡାଫୋଡିଲ୍‌ କମ୍ପାନିର ୩ କୋଟି ୫୦ ଲକ୍ଷ ଟଙ୍କା ଫ୍ରିଜ୍‌ କଲାଣି ପୁଲିସ।

ବଲାଙ୍ଗୀର ପୁଲିସ ମିସନ୍‌ କ୍ଲିନ୍ କ୍ରିମିନାଲ୍‌ ପରେ କ୍ଲିନ୍‌ କଫ୍‌ସିରପ୍‌ ଅଭିଯାନ ଜାରି ରଖିଛି। ୨୪ ଘଣ୍ଟା ଭିତରେ ବଡ଼ ବଡ଼ କଫ୍‌ସିରପ୍‌ ମାଫିଆଙ୍କୁ ଧରିବା ସହ ତାଙ୍କ ନେଟୱର୍କର ଫର୍ଦ୍ଦାଫାସ କରିବାରେ ପୁଲିସର ସ୍ୱତନ୍ତ୍ର ଟିମ୍‌ ସଫଳ ହୋଇଥିଲା। ଏବେ ଏହି ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିଛି ପୁଲିସ। ବଲାଙ୍ଗୀର ପୁଲିସର ସ୍ୱତନ୍ତ୍ର ଟିମ୍‌ ସାରା ରାଜ୍ୟରେ ଥିବା ବଡ଼ ବଡ଼ ମାଫିଆଙ୍କୁ ଟାର୍ଗେଟ କଲାଣି।  ଜିଲ୍ଲା ସ୍ତରରେ ବି ପୁଲିସ ଚଢ଼ଉ ଜାରି ରଖିଛି। ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ, ଯିଏ କଫ୍‌ସିରପ୍‌ ବିକ୍ରି କଲା ତାକୁ ଧର। ଯିଏ କଫ୍‌ସିରପ୍‌ ଯୋଗାଣ ନେଟୱର୍କରେ ଅଛି ତାକୁ ବି ଗିରଫ କର। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏବେ ସାରା ଜିଲ୍ଲାରେ ଚଢ଼ଉ ଭିନ୍ନ ଭିନ୍ନ ସ୍ଥାନରେ ଚାଲିଛି। କିନ୍ତୁ ଏସବୁ ଭିତରେ କଫ୍‌ସିରପ୍‌ ନେଟୱର୍କର କିଙ୍ଗପିନ୍‌ମାନେ କିଏ କିଏ? କଟକ, ଭୁବନେଶ୍ୱରରେ ରହି କିଏ କିଏ ଏହାକୁ ପରିଚାଳନା କରୁଛନ୍ତି? କୋଲକାତାରେ କେବଳ ଡାଫୋଡିଲ୍‌ ନା ଅନ୍ୟ କମ୍ପାନି ବି ଓଡ଼ିଶାକୁ କଫ୍‌ସିରପ୍‌ ଯୋଗାଣ କରୁଛନ୍ତି? ସେସବୁ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି।

ଖୁବ୍‌ ଶୀଘ୍ର ବଲାଙ୍ଗୀର ପୁଲିସ ହାତରେ ଆଉ ବଡ଼ବଡ଼ କଫ୍‌ସିରପ୍‌ ମାଫିଆ ଧରାପଡ଼ିପାରନ୍ତି ବୋଲି ଅନୁମାନ କରାଯାଉଛି। ଏସବୁ ଭିତରେ ବଲାଙ୍ଗୀରରେ ଥିବା କଫ୍‌ସିରପ୍‌ ମାଫିଆମାନେ ବି ଆତ୍ମଗୋପନ କଲେଣି। କୁଚିଆ ବ୍ୟବସାୟୀ ବି ଯିଏ ଯୁଆଡ଼େ ଫେରାର ମାରିଲେଣି। ହେଲେ ଏ ସବୁ ଭିତରେ ଏସ୍‌ପି ନିତିନ କୁଶଳକରଙ୍କ ପ୍ରତିକ୍ରିୟା, କଫ୍‌ସିରପ୍‌ମୁକ୍ତ ବଲାଙ୍ଗୀର କରାଯିବ। ଯିଏ ବି କଫ୍‌ସିରପ୍‌ ବ୍ୟବସାୟରେ ଲିଙ୍କ୍‌ ରଖିବ ତାକୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର