କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି କଫି ଚାଷ। ଗତବର୍ଷଠାରୁ ଓଡ଼ିଶା କଫି ମିସନରେ କେନ୍ଦୁଝର ଜିଲ୍ଲାକୁ ସାମିଲ କରାଯିବା ପରେ ଚଳିତବର୍ଷ ଚାଷପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୧୨ଶହ ଏକର ଜମିରେ ସିଲଭର ଓକ୍‌ ଚାରାରୋପଣ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ରାଜ୍ୟର କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ କଫି ଚାଷ ହେଉଥିଲା। କେନ୍ଦୁଝରର ଜଳବାୟୁ ମଧ୍ୟ କଫି ଚାଷପାଇଁ ବେଶ ଅନୁକୂଳ ଥିବା ଜଣାପଡ଼ିବା ପରେ ଓଡ଼ିଶା କଫି ମିସନରେ ଏହି ଜିଲ୍ଲାକୁ ସାମିଲ କରିବାପାଇଁ ଯୋଜନା ହୋଇଥିଲା। ଏହି କ୍ରମରେ ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା କଫି ମିସନରେ ରାଜ୍ୟ ସରକାର କେନ୍ଦୁଝର, ରାୟଗଡ଼ା, ଗଜପତି, କଳାହାଣ୍ଡି ଜିଲ୍ଲାକୁ ସାମିଲ କରଥିଲେ।

Advertisment

୧୦ବର୍ଷ ପାଇଁ ଏହି ଯୋଜନା ସରକାର ହାତକୁ ନେଇଛନ୍ତି। ଏଥିପାଇଁ ଚଳିତବର୍ଷ କେନ୍ଦୁଝର ଜିଲ୍ଲାର ବାଂଶପାଳ, କେନ୍ଦୁଝର ସଦର ଓ ତେଲକୋଇ ବ୍ଲକ୍‌ର ୧୨୦୦ ଏକର ଜମିରେ କଫି ଚାଷ କରିବା ପାଇଁ ପଦ‌କ୍ଷେପ ନିଆଯାଇଛି। ବାଂଶପାଳ, ତେଲକୋଇ ଓ କେନ୍ଦୁଝର ସଦର ବ୍ଲକ୍‌ର ୪୯ ହଜାର ହେକ୍ଟର ଜମି କଫି ଚାଷ ପାଇଁ ଅନୁକୂଳ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୨୦୦ ଏକର ଜମିରେ ସିଲଭର ଓକ୍‌ ଗଛ ଲଗାଯାଉଛି। ସିଲଭର ଓକ୍‌ ଚାରାରୋପଣର ୪ ବର୍ଷ ପରେ ଏହି ଗଛର ଛାଇରେ କଫି ଚାରାରୋପଣ କରାଯିବ। ଏଥିପାଇଁ ଆନ୍ଧ୍ରପ୍ରଦେଶରୁ ୫ ଲକ୍ଷ ସିଲଭର ଓକ୍‌ ଚାରା ଆସିଛି। ବନ ବିଭାଗଠାରୁ ଚଳିତ ବର୍ଷ ୨ଲକ୍ଷ ଚାରା ନିଆଯିବ ବୋଲି ଜଣାପଡ଼ିଛି। ଅଗଷ୍ଟ ଶେଷ ସୁଦ୍ଧା ସିଲିଭର ଓକ୍‌ ଚାରାରୋପଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦୁଝରର ପାହାଡ଼ିଆ ଅଞ୍ଚଳ ଓ ଥଣ୍ଡା ଜଳବାୟୁ କଫି ଚାଷ ପାଇଁ ବେଶ ଅନୁକୂଳ। ସ୍ଥିତି ଅନୁଧ୍ୟାନ ପରେ ଏହି ଅଞ୍ଚଳ କଫିଚାଷ ପାଇଁ ଉପଯୁକ୍ତ ବୋଲି କଫି ବୋର୍ଡ ରିପୋର୍ଟ ଦେବା ପରେ ଚଳିତବର୍ଷ ଠାରୁ ଚାଷ ପାଇଁ ପ୍ରକ୍ରିୟା ହୋଇଛି। ପୂର୍ବରୁ ୨୦୦୫ରେ ବାଂଶପାଳ ବ୍ଲକ୍‌ ଉପରକାଇପୁରରେ ପ୍ରୀତମ କୁମାର ରାଠୋର ୧୩ ଏକର ଜମିରେ କୋରାପୁଟ କଫି ବୋର୍ଡରୁ ୮୦୦୦ କଫି ଚାରା ଆଣି ଚାଷ କରି ବେଶ ସଫଳତା ପାଇଥିଲେ। କଫି ଚାଷ ହେଲେ ବାଂଶପାଳ ଭଳି ଆଦିବାସୀ ବହୁଳ ବ୍ଲକ୍‌ରେ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଉଛି।