ଭୁବନେଶ୍ବର : କୌଣସି ବ୍ୟାଙ୍କ ସାଧାରଣ ଜନତାଙ୍କୁ କଏନ୍ ଦେବା ପାଇଁ ମନା କରିପାରିବ ନାହିଁ। ଯଦି କୌଣସି ବ୍ୟାଙ୍କ ସେଭଳି କାମ କରିବ ତେବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବ। ହେଲେ ଲୋକଙ୍କଠାରୁ କଏନ୍ ଗ୍ରହଣ କରିବାକୁ ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ମନା କଲେ କ’ଣ ହେବ ସେଥିପାଇଁ ରିଜର୍ଭ ବ୍ୟାଙ୍କ ନିରବ। ରାଜ୍ୟର ଅଧିକାଂଶ ବ୍ୟକ୍ତି ଏବେ ସବୁଠି କଏନ୍ ସମସ୍ୟାରେ ପଡ଼ିଥିବା ବେଳେ ଏଭଳି ଗୋଟିଏ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ବଜାର ଆଦିରେ କେହି ଖୁଚୁରା ପଇସା ନେଉନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି। ହେଲେ ନା ରାଜ୍ୟ ସରକାର ଚିନ୍ତିତ ନା କେନ୍ଦ୍ର। ଏ ଭିତରେ ବ୍ୟବସାୟୀ ସଂଘ ଗୋଟିଏ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି ଯେ ବ୍ୟାଙ୍କ କଏନ୍ ଗ୍ରହଣ କରୁନଥିବାରୁ କିଛି ସ୍ଥାନରେ ଦୋକାନୀମାନେ ତାହା ନେବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। ତେଣୁ ପ୍ରଥମେ ବ୍ୟାଙ୍କଗୁଡ଼ିକୁ ଉତ୍ତରଦାୟୀ କରିବା ଲାଗି ଆଇନର ଆବଶ୍ୟକତା ରହିଛି।
କେନ୍ଦ୍ର, ରାଜ୍ୟ ସରକାର ନିରବ କାହିଁକି?
ବ୍ୟାଙ୍କ କଏନ୍ ନଦେଲେ ଗଣିବ ୫ ଲକ୍ଷ ଜରିମାନା
ନେବାକୁ ମନା କଲେ କ’ଣ ଦଣ୍ଡ କେହି ଜାଣନ୍ତିନି
ବ୍ୟାଙ୍କ ବିଶେଷଜ୍ଞଙ୍କର କହିବା କଥା ଦିନେ କଏନ୍ ନେବାକୁ କିଏ ମନା କରିବା ଭଳି ସ୍ଥିତି ଉପୁଜିବ ଏକଥା କେହି କଳ୍ପନା କରିନଥିଲେ। ଦରଦାମ୍ ବୃଦ୍ଧି,
ଡିଜିଟାଲ୍ ପେମେଣ୍ଟ୍ର ଗ୍ରହଣୀୟତା ବଢ଼ିବା, ଟୋଲ୍ ଗେଟ୍ରେ କଏନ୍ ନେବା ବନ୍ଦ ହେବା ଏବଂ ବିମୁଦ୍ରୀକରଣ ପରେ ଏବେ ସବୁଠି ବିପୁଳ ପରିମାଣର କଏନ ଜମା ହୋଇଛି। ଏତେ କଏନ୍ କିଭଳି ପ୍ରଚଳନ ହେବ ତାହା ବଡ଼ ସମସ୍ୟା ସୃଷ୍ଟି କରିଛି। ସେଥିପାଇଁ ବିଭିନ୍ନ ସ୍ଥାନରେ କଏନ୍ ଚଳୁନଥିବା ନେଇ ଗୁଜବ ସୃଷ୍ଟି ହେଉଛି। ଯେହେତୁ କଏନ୍ ଏକ ଲିଗାଲ୍ ଟେଣ୍ଡର ତାହାକୁ ଗ୍ରହଣ କରିବାକୁ ସମସ୍ତେ ବାଧ୍ୟ। କେହି ମନା କରିପାରିବେ ନାହିଁ। ଯଦି କେହି ମନା କରିବେ ତାହାକୁ ଅପରାଧ ଭାବେ ବିଚାର କରାଯିବ ଏବଂ ସେଥିପାଇଁ ଆଇନରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। କଏନ୍ ନେଉନଥିବା ବ୍ୟକ୍ତି, ଦୋକାନୀ କିମ୍ବା ବ୍ୟାଙ୍କ ଯହି ଏହାକୁ ମାନୁନାହାନ୍ତି, ତେବେ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାର ସମୟ ଆସିଯାଇଛି।
ଆଉ କିଛି ବିଶେଷଜ୍ଞ କହିଛନ୍ତି, କଏନ୍କୁ ନେଇ ସୃଷ୍ଟି ହେଉଥିବା ଗୁଜବକୁ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ଉଚିତ। କାରଣ ରାଜ୍ୟରେ ଏଭଳି ବହୁ ଗରିବ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ୧ ଟଙ୍କାରୁ ଆରମ୍ଭ କରି ୧୦ ଟଙ୍କିଆ ପର୍ଯ୍ୟନ୍ତ କଏନ୍ ଶେଷ ପୁଞ୍ଜି ସଦୃଶ। ଭୋକଉପାସରେ ଥିବା ଜଣେ ବ୍ୟକ୍ତି ଯଦି ସେହି ଦୁଇ ଟଙ୍କିଆ କଏନ୍କୁ ନେଇ କିଛି କିଣିବାକୁ ଚାହିବେ ଓ ଦୋକାନୀ ତାହାକୁ ଗ୍ରହଣ ନକରିବ ତେବେ ସେ ଉପାସ ରହିବେ। ଏଭଳି କ୍ଷେତ୍ରରେ ତାଙ୍କ ସର୍ବନିମ୍ନ ମୌଳିକ ଅଧିକାରର ମଧ୍ୟ ସୁରକ୍ଷା ହେଉନାହିଁ। ସ୍ଥାନୀୟ ପ୍ରଶାସନ ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେବା ଉଚିତ।
କଏନ୍କୁ ନେଇ ୨୦୨୨ ଏପ୍ରିଲ୍ ୧ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ମାଷ୍ଟର ସର୍କୁଲାରରେ ସ୍ପଷ୍ଟ ଭାବେ ଜଣାଇଥିଲା ଯେ ପାଖରେ କଏନ୍ ଥିବା ସତ୍ତ୍ବେ ଯଦି କୌଣସି ବ୍ୟାଙ୍କ ଗ୍ରାହକଙ୍କୁ କଏନ୍ ଦେବାକୁ ମନା କରିବ ତେବେ ପ୍ରଥମ ଥର ପାଇଁ ସେହି ବ୍ୟାଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲଗାଯିବ। ଯଦି ସେଭଳି ଘଟଣା ପାଞ୍ଚରୁ ଅଧିକ ଥର ଘଟିବ ତେବେ ଜରିମାନା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ। ଜରିମାନା ତତ୍କାଳ ଲାଗୁ କରାଯିବ ଏବଂ ସେହି ବିଷୟକୁ ସାର୍ବଜନୀନ ମଧ୍ୟ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛି।
ଉଲ୍ଲେଖଥାଉକି, କଏନ୍କୁ ନେଇ ଗୁଜବ ଘଟଣାରେ ଏକଦା ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ୨୦୦୭ରେ ଗୁଜରାଟରେ କିଛି ବ୍ୟାଙ୍କ କଏନ୍ ନେବାକୁ ମନା କରିବା ପରେ ସେହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା। କୋର୍ଟ ଘଟଣାକୁ ଗମ୍ଭୀରତାର ସହ ନେଇଥିଲେ। ଏହା ପରେ ସେହିବର୍ଷ ଏପ୍ରିଲ୍ ୨୫ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କର ସିଏମ୍ଡିମାନଙ୍କୁ ଚିଠି ଲେଖି କଏନ୍ ଗ୍ରହଣ କରିବାକୁ କୁହାଯାଇଥିଲା। ଯେଉଁ କର୍ମଚାରୀମାନେ ସେଭଳି କାମ କରୁଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରିଜର୍ଭ ବ୍ୟାଙ୍କ କହିଥିଲା। ୨୦୧୩ ଜାନୁଆରି ୧୮ରେ ଆଉ ଏକ ସର୍କୁଲାର ଜାରି କରି ସବୁ ବ୍ୟାଙ୍କ ଶାଖାରେ କଏନ୍ ଏକ୍ସଚେଞ୍ଜ୍ ବ୍ୟବସ୍ଥା କରିବାକୁ ସବୁ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ କହିଥିଲା। ପୁଣି ଥରେ ୨୦୧୮ ଫେବ୍ରୁଆରି ୧୫ରେ ଏକ ସର୍କୁଲାର ଜାରି ହୋଇଥିଲା। ଗ୍ରାହକମାନଙ୍କ ସୁବିଧା ଲାଗି ପଲିଥିନ୍ରେ ୧୦୦ କଏନ୍ ରଖି ତାହାକୁ ନେଣଦେଣରେ ବ୍ୟବହାର କରିବାକୁ କୁହାଯାଇଥିଲା। ବ୍ୟାଙ୍କଗୁଡ଼ିକ ନିୟମକୁ ଠିକ୍ ଭାବେ ପାଳନ କରୁଛନ୍ତି ନା ନାହିଁ ତାହା ଜାଣିବା ଲାଗି ନିୟମିତ ବ୍ୟବଧାନରେ ଶାଖା ପରିଦର୍ଶନ କରିବାକୁ କଣ୍ଟ୍ରୋଲିଂ ଅଫିସରମାନଙ୍କୁ କୁହାଯାଇଥିଲା। ୨୦୧୯ ଜୁନ୍ ୨୬ରେ ମଧ୍ୟ ଆଉ ଏକ ସର୍କୁଲାର ଜାରି କରି କଏନ୍ ଗ୍ରହଣ କରିବାକୁ ରିଜର୍ଭ ବ୍ୟାଙ୍କ କହିଥିଲା।