ବ୍ରହ୍ମପୁର/ବସ୍ତା-୨ : ରାଜ୍ୟରେ ଖୁଚୁରା ମୁଦ୍ରା ବା କଏନ୍‌କୁ ନେଇ ଅତ୍ୟନ୍ତ ଚିନ୍ତାଜନକ ସ୍ଥିତି ରହିଛି। କୌଣସି କଏନ୍‌ ଅଚଳ ହୋଇନାହିଁ ବୋଲି ରିଜର୍ଭ ବ୍ୟାଙ୍କ ନିୟମିତ ବ୍ୟବଧାନରେ କହୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ କିଣାକିଣି ବେଳେ କଏନ୍ ଗ୍ରହଣ କରିବାକୁ ଦୋକାନୀମାନେ ରାଜି ହେଉନାହାନ୍ତି। ଫଳରେ କଏନ୍‌ ରଖିଥିବା ଗ୍ରାହକମାନଙ୍କ ଲାଗି ତାହା ଅଚଳ ହୋଇପଡ଼ିରହିଛନ୍ତି। ବ୍ରହ୍ମପୁର ସହରରେ ୧୦ ଟଙ୍କିଆ କଏନ୍‌ ବି ଅଛୁଁଆ ରହିଛି। ଅଳ୍ପ କିଛି ଅଞ୍ଚଳରେ ତାହାକୁ ଗ୍ରହଣ କରାଯାଉଛି। ପ୍ରାୟ ୯୫ ପ୍ରତିଶତ ବ୍ୟବସାୟୀ ସେହି କଏନ୍ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି। ୨୫ ପଇସି, ୫୦ ପଇସି ଓ ଟଙ୍କିକିଆ କଏନ୍‌ କଥା ନକହିବା ଭଲ। କଏନ୍‌ର ପ୍ରଚଳନ ପାଇଁ ପ୍ରଶାସନ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ଧ୍ୟାନ ଦେବା ଉଚିତ ବୋଲି ସହର ତଳିଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି। ତାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଉପ ଜିଲ୍ଲାପାଳଙ୍କୁ ‌ଭେଟି ସ୍ମାରକପତ୍ର ଦେଇଛନ୍ତି। କଏନ୍‌କୁ ବ୍ୟବସାୟୀମାନେ ଗ୍ରହଣ କରୁନଥିବାରୁ ଅନେକ ସମୟରେ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଝଗଡ଼ା ଭଳି ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେଉଛି। ଏନେଇ ବ୍ରହ୍ମପୁର ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟିଆକର୍ଷଣ ମଧ୍ୟ କରାଯାଇଥିଲା।

Advertisment

ବାଲେଶ୍ବରର ବସ୍ତାରେ ମଧ୍ୟ କଏନ୍‌ ଲୋକମାନଙ୍କ ପାଇଁ ବୋଝ ସାବ୍ୟସ୍ତ ହୋଇଛି। ସେଠାରେ ବେପାରିମାନେ କହୁଛନ୍ତି, ଟଙ୍କିକିଆ ଓ ଦୁଇ ଟଙ୍କିଆ କଏନ୍‌ ଆଉ ଚଳୁନାହିଁ। ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଏବେ ଏମିତି ସ୍ଥିତି ଉପୁଜିଛି। ବିଶେଷ କରି ବସ୍ତା ବ୍ଲକ୍‌ ଅଞ୍ଚଳରେ ସ୍ଥିତି ଅଧିକ ଗମ୍ଭୀର ରହିଛି। ଦୋକାନରେ ଏକ ଟଙ୍କା ଓ ଦୁଇ ଟଙ୍କାରେ ବିଭିନ୍ନ ପ୍ରକାର ଜିନିଷ ମିଳୁଛି। ହେଲେ ଦୋକାନୀମାନେ ସେହି ଜିନିଷଗୁଡ଼ିକରୁ ଗୋଟିଏ ଲେଖାଏଁ ଦେଉ ନାହାନ୍ତି। କହୁଛନ୍ତି, ୫ଟା ନେବ ଯଦି ନିଅ ନହେଲେ ନାହିଁ। ଫଳରେ ଗ୍ରାହକମାନେ କ୍ଷତି ସହୁଛନ୍ତି। ବିଶେଷ କରି ଗରିବ ଗ୍ରାହକମାନେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଯେ‌ତେ ବୁଝାଇଲେ ବି ଦୋକାନୀମାନେ ବୁଝିବାକୁ ନାରାଜ।

publive-image Numismatics Collections

ଦୋକାନୀଙ୍କ କଥା ଛାଡ଼ନ୍ତୁ, ବ୍ୟାଙ୍କ ମଧ୍ୟ ଟଙ୍କିକିଆ ଓ ଦୁଇ ଟଙ୍କିଆ କଏନ୍‌ ନେବାକୁ କୁନ୍ଥୁକୁନ୍ଥୁ ହେଉଥିବା ବସ୍ତା ଅଞ୍ଚଳର ବିରାଜ ସିଂଦେଓ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି। ସେହିପରି କିଛିଦିନ ତଳେ ବସ୍ତା ଥାନା ଅଧୀନ ଝିଞ୍ଜିପୁରା ଗ୍ରାମର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ କୁମ୍ପିରେ ରଖିଥିବା ୩୫୦ ଟଙ୍କାର ଟଙ୍କାକିଆ ଓ ଦୁଇ ଟଙ୍କିଆ କଏନ୍ ନେଇ ବାପାଙ୍କ ସହ ବରୁଣଗଡ଼ିଆ ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଥିବା ନିଜ ଆକାଉଣ୍ଟରେ ଜମା କରିବା ପାଇଁ ଯାଇଥିଲେ। ହେଲେ ବ୍ୟାଙ୍କ କର୍ମଚାରୀ କଏନ୍ ନେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ବାପଝିଅ ପ୍ରତିବାଦ କରିଥିବା ବେଳେ ସେମାନଙ୍କୁ ଦୁର୍ବ୍ୟବହାରର ସାମ୍ନା କରିବାକୁ ପଡ଼ିଥିଲା। ଶେଷରେ ଉଭୟ ମନଦୁଃଖରେ ଫେରିଆସିଥିଲେ।

ଏ ନେଇ କିଛି ଗ୍ରାହକଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ବ୍ୟବସାୟୀମାନେ କଏନ୍‌ ନେଉ ନଥିବା ଯୋଗୁ ସେମାନଙ୍କ ପାଖରେ ବ୍ୟାଗ୍‌ ବ୍ୟାଗ୍‌ ଟଙ୍କିକିଆ ଓ ଦୁଇ ଟଙ୍କିଆ କଏନ୍‌ ପଡ଼ିଛି ବୋଲି କହି ଦୁଃଖପ୍ରକାଶ କରିଛନ୍ତି। ସେହିପରି କିଛି ଦୋକାନୀଙ୍କ ପ୍ରତିକ୍ରିୟା ନେବାରୁ ସେମାନେ ଟଙ୍କିକିଆ ଓ ଦୁଇ ଟଙ୍କିଆ କଏନ୍‌ ବ୍ୟାଙ୍କ ନେଉନି, ସେମାନେ କାହିଁକି ନେବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି।

publive-image The Financial Express

ରିଜର୍ଭ ବ୍ୟାଙ୍କ କ’ଣ କହୁଛି?
ଦେଶର ବିଭିନ୍ନ ଅଞ୍ଚଳରେ ବ୍ୟବସାୟୀ, ଦୋକାନି ଓ ସାଧାରଣ ଲୋକ କଏନ୍‌ ଗ୍ରହଣ କରିବାକୁ କୁଣ୍ଠା ପ୍ରକାଶ କରୁଥିବା ଖବର ନିୟମିତ ବ୍ୟବଧାନରେ ଗଣମାଧ୍ୟମରେ ପ୍ରକାଶ ପାଉଛି। କଏନ୍‌କୁ ନେଇ କୌଣସି ପ୍ରକାର ଅପ୍ରପଚାରକୁ ବିଶ୍ବାସ ନକରିବା ଏବଂ ବିନା ଦ୍ବିଧାରେ କଏନ୍‌କୁ ଗ୍ରହଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏଭଳିକି କଏନ୍‌କୁ ଗ୍ରହଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ସ୍ବତନ୍ତ୍ର ଭାବେ କୁହାଯାଇଛି। ଏନେଇ ୨୦୧୯ ଜୁନ୍ ୨୬ରେ ଏକ ସ୍ବତନ୍ତ୍ର ନିର୍ଦେଶନାମା ଜାରି କରାଯାଇଥିଲା। ୫୦ ପଇସି, ଟଙ୍କିକିଆ, ଦୁଇ ଟଙ୍କିଆ, ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ୍‌ ବୈଧ। ଭାରତ ସରକାର କଏନ୍‌କୁ ତିଆରି କରୁଥିବା ବେଳେ ରିଜର୍ଭ ବ୍ୟାଙ୍କ ତାହାର ବଣ୍ଟନ କରୁଛି। କଏନ୍‌ରେ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଛବିର ପ୍ରତିଫଳନ ରହିଛି। ବିଭିନ୍ନ ଡିଜାଇନ୍ ଓ ଆକାରରେ ତାହା ଉପଲବ୍ଧ ରହିଛି।