ଅନୁଗୁଳ : ଦିନ ଥିଲା ଖୁଚୁରା ଗଣ୍ଡେ ପାଇଁ ହେଉଥିଲା ଟଣାଓଟରା। ବଜାରରେ ଏତେ ଅଭାବ ଲାଗି ରହୁଥିଲା ଯେ ଶହେ ଟଙ୍କାର କଏନ୍ ପାଇବା ପାଇଁ ଓଲଟି ହାତରୁ ଗଣିବାକୁ ପଡ଼ୁଥିଲା ୫/୧୦ଟଙ୍କା। କିନ୍ତୁ ସମୟ ଏବେ ପୂରା ବଦଳି ଯାଇଛି। ବଜାରକୁ ନୂଆ କଏନ ଆସିବା ପରଠାରୁ ପୁରୁଣା ଓଜନିଆ ଟଙ୍କିକିଆ, ଦୁଇ ଟଙ୍କିଆ କଏନ ଗୁଡ଼ିକର ପ୍ରାୟ ଆଉ ଦେଖା ମିଳୁନି। ନୂଆ କଏନ ପ୍ରତି ବେପାରି-ଗ୍ରାହକଙ୍କର ପୂର୍ବପରି ଆଉ ଆଗ୍ରହ ନାହିଁ। ବରଂ ଖୁଚୁରା ଦୋକାନିଙ୍କ ପାଇଁ କଏନ ବୋଝ ପାଲଟି ଯାଇଛି। ବ୍ୟାଙ୍କ୍ କାରବାର କଏନ ସମସ୍ୟାକୁ ଆହୁରି ଜଟିଳ କରି ଦେଇଛି। ବେପାରିଙ୍କଠାରୁ କଏନ ନେବାକୁ ବ୍ୟାଙ୍କ୍ମାନେ ଆଦୌ ରାଜି ନୁହଁନ୍ତି। ତେଣୁ ବଡ଼ ବଡ଼ ଦୋକାନରେ କଏନ ସବୁ ଗଦା ହେଲାଣି। ତେବେ ହଠାତ୍ କେଇଟା ବର୍ଷ ଭିତରେ ବଜାରରେ କଏନ ଚାହିଦା ମାନ୍ଦା ପଡ଼ିଲା କାହିଁକି? କଏନ ମୁଣ୍ଡାଇବାକୁ ବ୍ୟାଙ୍କର୍ସମାନେ ବି ଅମଙ୍ଗ କାହିଁକି? ଏହା ପଛର ଯେଉଁ ଭିତିରି କାରଣ ପଦାକୁ ଆସିଛି ତାହା ହେଉଛି ପେନାଲ୍ଟି। ଖୁଚୁରା କଏନ ଅଧିକ ଦିନ ଜମା ରହିଗଲେ ବାର୍ଷିକ ୧୨ପ୍ରତିଶତ ଟଙ୍କା ଗଣିବାକୁ ପଡ଼ିବ। ଯେହେତୁ ବଜାରରେ ଖୁଚୁରାର ଚାହିଦା କମିଗଲାଣି, ଥରେ ବ୍ୟାଙ୍କରେ ଖୁଚୁରା ଜମା ହେଲେ ଆଉ ବଜାରକୁ ଫେରସ୍ତ ଯିବା କାଠିକର ପାଠ। ତେଣୁ ବ୍ୟାଙ୍କର୍ସମାନେ ଖୁଚୁରା ନେବାକୁ କୁନ୍ଥକୁନ୍ଥୁ ହେଉଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ୟାଙ୍କ୍ ସୂତ୍ର ମୁତାବକ, ବଜାରରେ ବ୍ୟାପକ ଖୁଚୁରା କାରବାର ପାଇଁ ଆବଶ୍ୟକ ମୁତାବକ କଏନ ମୁଦ୍ରିତ କରି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବଜାରକୁ ଛାଡ଼ିଛି। ଖୁଚୁରା ଟଙ୍କାକୁ ସାଇତିବା (ହୋଲ୍ଡ଼ିଂ କରିବା) କିମ୍ବା ଫେରସ୍ତ ନେଇ ମେଲ୍ଟିଂ କରିବା ସପକ୍ଷରେ ରିଜର୍ଭ ବ୍ୟାଙ୍କ୍ ଆଦୌ ନୁହଁ। ବରଂ ଅର୍ଥନୀତି ଦୃଷ୍ଟିରୁ ଖୁଚୁରାର ବହୁଳ ବ୍ୟବହାର ହେବା ଜରୁରି। ସେହି ଦୃଷ୍ଟିରୁ ବଜାରରେ ଖୁଚୁରା ପ୍ରଚଳନ କରିବାକୁ ରିଜର୍ଭ ବ୍ୟାଙ୍କ୍ ଚାହୁଁଛି।
ନିୟମ କହୁଛି, ବ୍ୟାଙ୍କ୍ ଟଙ୍କା ରିଜର୍ଭ ବ୍ୟାଙ୍କ୍ର କରେନ୍ସି ଚେଷ୍ଟରେ ରହିଲେ ବ୍ୟାଙ୍କ୍କୁ ୧୨ପ୍ରତିଶତ ଟଙ୍କା ସୁଧ ଆକାରରେ ମିଳିବ। ନିଜ ପାଖରେ ରହିଲେ ରିଜର୍ଭ ବ୍ୟାଙ୍କ୍କୁ ଓଲଟି ୧୨ପ୍ରତିଶତ ସୁଧ ବ୍ୟାଙ୍କର୍ସଙ୍କୁ ଗଣିବାକୁ ପଡ଼ିବ। ଯେହେତୁ ଖୁଚୁରା ସାଇତିବା ସପକ୍ଷରେ ରିଜର୍ଭ ବ୍ୟାଙ୍କ୍ ନୁହେଁ, ତେଣୁ କଏନ ଜମା ରଖିଲେ ରିଜର୍ଭ ବ୍ୟାଙ୍କ୍ ସୁଧ ଦେବ ନାହିଁ। ବରଂ ବ୍ୟାଙ୍କର୍ସ ନିଜ ହାତରୁ ୧୨ପ୍ରତିଶତ ଟଙ୍କା ଗଣିବା ଭୟରେ କଏନ ଜମା ରଖାଯାଉ ନ ଥିବା ବ୍ୟାଙ୍କ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଗୋଟିଏ ପକ୍ଷରେ ଖୁଚୁରାକୁ ରିଜର୍ଭ ବ୍ୟାଙ୍କ୍ ଏବଂ ବ୍ୟାଙ୍କର୍ସଙ୍କର ନା ଏବଂ ଅନ୍ୟପକ୍ଷରେ ବ୍ୟବସାୟୀଙ୍କ କୁଣ୍ଠା ଜନତାଙ୍କୁ ମଝିରେ ଅଡ଼ୁଆରେ ପକାଇଛି। ଏଭଳି ବିଷମ ପରିସ୍ଥିତିରେ ଅନୁଗୁଳ ଜିଲ୍ଲାର କିଛି କିଛି ଅଞ୍ଚଳରେ ଛୋଟ ଟଙ୍କିକିଆ କଏନ ଅଚଳ ଗୁଜବ ସ୍ଥିତିକୁ ଆହୁରି ଜଟିଳ କରି ଦେଇଛି। କିଛି କିଛି ଦୋକାନୀ ଛୋଟ ଟଙ୍କିକିଆ କଏନ ନେବାକୁ ଆଦୌ ରାଜି ନୁହଁନ୍ତି। ଏମିତିକି ଟ୍ରେନରେ ଭିକାରି ମଧ୍ୟ ଟଙ୍କିକିଆ ନେବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି। ଏଭଳି ଅଚଳ ଗୁଜବ ଏବଂ ଖୁଚୁରା ବୋଝ କେବଳ ଅନୁଗୁଳ ଜିଲ୍ଲା ନୁହେଁ, ଧୀରେ ଧୀରେ ରାଜ୍ୟର ବିଭିନ୍ନ ଇଲାକାକୁ ବିସ୍ତାର ହେଲାଣି। ଗୁଜବ ଭୟଙ୍କର ରୂପ ନେବା ପୂର୍ବରୁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଅନୁଗୁଳ ଏଲ୍ଡିଏମ୍ ମହେଶ୍ବର ଗୌଡ଼ କହିଛନ୍ତି, ନିଜେ ନିଜେ ଲୋକେ ଟଙ୍କାକୁ ଅଚଳ କରିଦେବା ଲୋକଙ୍କ ମାନସିକତା। ପୂର୍ବରୁ ଅନୁଗୁଳରେ ୧୦ଟଙ୍କିଆ କଏନକୁ ଲୋକେ ନିଜେ ନିଜେ ଅଚଳ କରି ଦେଇଥିଲେ। ଏବେ କିନ୍ତୁ ସ୍ଥିତି ସୁଧୁରି ଆସିଲାଣି। ପୁଣି ଥରେ ଛୋଟ ଟଙ୍କିକିଆ କଏନ ଅଚଳର ଗୁଜବ କରାଯାଉଛି। ଯାହା ପୂରା ବେଆଇନ୍। ରିଜର୍ଭ ବ୍ୟାଙ୍କ ପକ୍ଷରୁ ସେମିତି କିଛି ନିର୍ଦେଶ ଆସିନାହିଁ। ଛୋଟ ଟଙ୍କିକିଆ କଏନ ଏେବ ବି ଆଇନତଃ ବୈଧ ବୋଲି ଶ୍ରୀ ଗୌଡ଼ କହିଛନ୍ତି।
ସେହିପରି ବ୍ୟାଙ୍କ୍ରେ ଖୁଚୁରା ଟଙ୍କା ଜମା ଉପରେ ସେ କହିଛନ୍ତି, ବଜାରରେ ବ୍ୟବହାର ପାଇଁ ଏହା ତିଆରି ହୋଇଛି। ବ୍ୟାଙ୍କ୍ରେ ସାଇତିବା ପାଇଁ ନୁହେଁ। ବ୍ୟାଙ୍କ୍ମାନଙ୍କୁ ଖୁଚୁରା ଟଙ୍କା ନେବାକୁ ମନା କରାଯାଇ ନାହିଁ। ରଖିବାକୁ ଜାଗା ଥିଲେ ଖୁଚୁରା ନେବାରେ କୌଣସି ଅସୁବିଧା ନାହିଁ ବୋଲି ଶ୍ରୀ ଗୌଡ଼ କହିଛନ୍ତି। ଏ ସମସ୍ୟା ସମ୍ପର୍କରେ ଆମ ନିକଟକୁ କୌଣସି ଲିଖିତ ଅଭିଯୋଗ ଆସିନାହିଁ। କେହି ଅଭିଯୋଗ କଲେ, ଏହା ଉପରେ ପଦକ୍ଷେପ ପାଇଁ ରିଜର୍ଭ ବ୍ୟାଙ୍କ୍କୁ ଅବଗତ କରାଯିବ ବୋଲି ଶ୍ରୀ ଗୌଡ଼ କହିଛନ୍ତି।