ଭୁବନେଶ୍ବର : ରାଜଧାନୀରେ ଥିବା କତା କାରିଗର ପ୍ରଶିକ୍ଷଣ କେନ୍ଦ୍ରରେ ଖାଲି ପଡ଼ିଛି ସିଟ୍। ଏଠାରେ ୩ ହଜାର ଟଙ୍କାର ବୃତ୍ତି ସହିତ ରହିବା-ଖାଇବା ସୁବିଧା ରହିଛି। ଏଠାରୁ ଉତ୍ତୀର୍ଣ୍ଣ ହେବା ପରେ ବିଦ୍ୟାର୍ଥୀଙ୍କୁ ନିଯୁକ୍ତି ତଥା ଆତ୍ମନିର୍ଭର ପାଇଁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଉଛି। ତଥାପି ଏହି ବୃତ୍ତି କାହିଁକି କାରିଗରଙ୍କୁ ଆକର୍ଷିତ କରିପାରୁନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜାଗମରାସ୍ଥିତ କତାବୋର୍ଡ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଦେଶବନ୍ଧୁ ଦାଶଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ୧୩ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୫୧ ହଜାର ହେକ୍ଟରରେ ନଡ଼ିଆ ଚାଷ ହୁଏ। ନଡ଼ିଆରୁ ବାହାରୁଥିବା କତା ପାରୁରୁ ରଶି, ଦଉଡ଼ି, ପା’ପୋଛ, ଘରେ ସଜାଇବା ପାଇଁ ହସ୍ତଶିଳ୍ପ ସାମଗ୍ରୀ, କତା ଭୂବସ୍ତ୍ର, କତା ଗୁଣ୍ଡରୁ ଜୈବିକ ଖତ ସାର ପ୍ରସ୍ତୁତ ହୋଇଥାଏ। ଉପକୂଳବର୍ତ୍ତୀ ଏହି ଜିଲ୍ଲାମାନଙ୍କରେ ପ୍ରତି ଘରେ ଏଭଳି କାରିଗର ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି କତାରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ ପାଇଁ ଆଗ୍ରହ ରଖିଥିବା କାରିଗରଙ୍କ ପାଇଁ ୨୦ ସିଟ୍ ବିଶିଷ୍ଟ ସାର୍ଟିଫିକେଟ, ୪୦ ସିଟ୍ ବିଶିଷ୍ଟ ଡିପ୍ଲୋମା ପାଠ୍ୟକ୍ରମ ବ୍ୟବସ୍ଥା ରହିଛି। ଏଥିପାଇଁ ୩ ଜଣ ଫାକଲ୍ଟି ଏବଂ ୨ ଜଣ ସହଯୋଗୀ ମଧ୍ୟ ରହିଛନ୍ତି। କେନ୍ଦ୍ର ସରକାରଙ୍କ କତାବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଉଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦକ୍ଷିଣ ଭାରତ କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ପରେ କେବଳ ଓଡ଼ିଶାରେ ରହିଛି। ତେଣୁ ଓଡ଼ିଶା ସମେତ ଉତ୍ତର ଏବଂ ପୂର୍ବଭାରତର ଅନେକ କାରିଗର ଏହାର ଲାଭ ଉଠାଇପାରିବେ।
ଡିପ୍ଲୋମା ପାଇଁ ଅନ୍ୟୁନ ଯୁକ୍ତ ଦୁଇ ଏବଂ ସାର୍ଟିଫିକେଟ ପାଠ୍ୟକ୍ରମ ପାଇଁ ଯୁକ୍ତ ଦୁଇରୁ କମ ପଢ଼ିଥିବା ୧୮ରୁ ୫୦ ବର୍ଷ ବୟସ୍କ କାରିଗର ଆବେଦନ କରିପାରିବେ। ମାତ୍ର ଉଭୟ ପାଠ୍ୟକ୍ରମରେ ଚଳିତ ବର୍ଷ କେବଳ ୧୬-୧୬ ପିଲା ନାମ ଲେଖାଇଛନ୍ତି। ସେଥିରୁ ମଧ୍ୟ ଅଧିକାଂଶ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରର ରହିଛନ୍ତି। ଜାନୁଆରି ୧ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଦିଆଯାଉଥିବା ପାଠ୍ୟକ୍ରମ ବ୍ୟବସ୍ଥାରେ ପ୍ରଶିକ୍ଷଣ ପରେ ଏକ ମାସର ଇଣ୍ଟର୍ଣ୍ଣସିପ କରିପାରିବେ। ଡିଆଇସି ଏବଂ ଅନଲାଇନ ମାଧ୍ୟମରେ ନାମଲେଖା ସମ୍ପର୍କରେ କାରିଗରମାନଙ୍କୁ ସୂଚନା ଦିଆଯାଏ। ମାତ୍ର କାହିଁକି ସର୍ବଭାରତୀୟସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ରରେ ଆବଶ୍ୟକ ପିଲା ହେଉ ନାହାନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଗଞ୍ଜାମ ଜିଲ୍ଲାର ଗୋଲାବନ୍ଧା, ଜଗତସିଂହପୁର ଜିଲ୍ଲାର ବାଲିକୁଦା, ବାଲେଶ୍ବର ଜିଲ୍ଲାର ଭୋଗରାଇରେ କତା କାରିଗରଙ୍କ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ରହିଛି।