ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଜିଲ୍ଲାର କତା ଶିଳ୍ପକୁ ବି ଛାରଖାର କରି ଦେଇଛି। ବାତ୍ୟାର ପ୍ରହାର ଏତେ ଶକ୍ତ ହୋଇଛି ଯେ ଆଜି ସୁଦ୍ଧା ଅଣ୍ଟାସଳଖି ପାରିନି ଏହି ଶିଳ୍ପ। ଘରଠାରୁ ଆରମ୍ଭ କରି ବିଭିନ୍ନ ଦାମୀ ଯନ୍ତ୍ରାଂଶ ମାଟିରେ ମିଶିଯାଇଛି। ଯାହାଦ୍ବାରା ପୁରୀ ଜିଲ୍ଲାର ୬୫୦ରୁ ଅଧିକ ଯୁବ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି। ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଏହି ଶିଳ୍ପରେ ବର୍ଷ ବର୍ଷ ଧରି କାମ କରି ଆସୁଥିବା ଲକ୍ଷାଧିକ ପରିବାର ସେମାନଙ୍କ ରୋଜଗାର ବି ହରାଇଛନ୍ତି।

Advertisment

ଓଡ଼ିଶାର ପୁରୀ, ଖୋର୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଏହାର ଆଖପାଖ ଜିଲ୍ଲାରେ ବହୁ କତା ଶିଳ୍ପ ରହିଛି। ଯେହେତୁ ପୁରୀ ଜିଲ୍ଲାରେ ସର୍ବାଧିକ ନଡ଼ିଆ ଗଛ ରହିଛି, ସେହି ଦୃଷ୍ଟିରୁ କତାଶିଳ୍ପ ଏଠାରେ କୁଟୀର ଶିଳ୍ପ ଭାବେ ଗଢ଼ି ଉଠିଛି। ଜିଲ୍ଲାର ବହୁ ଯୁବ ବ୍ୟବସାୟୀ ବ୍ୟାଙ୍କ ଋଣ ନେଇ କତା ବ୍ୟବସାୟ କରିବା ସହ ବହୁ ମହିଳା ଓ ପୁରୁଷଙ୍କୁ ରୋଜଗାର ପନ୍ଥା ଯୋଗାଇ ଦେଇଥିଲେ। ସୂଚନା ମୁତାବକ, ସାକ୍ଷୀଗୋପାଳରେ ସର୍ବାଧିକ ୨୭୦ ଜଣ ଯୁବକ ବ୍ୟବସାୟୀ କତା ଶିଳ୍ପ କରି ପାପୋଛଠାରୁ ଆରମ୍ଭ କରି ଭଳିକି ଭଳି ଘରକରଣା ଜିନିଷ ପ୍ରସ୍ତୁତ କରୁଥିଲେ। ସେହିଭଳି ପିପିଲିରେ ୨୫୨ ଜଣ, ସଦର ବ୍ଲକ ସମେତ ଅନ୍ୟାନ୍ୟ ବ୍ଲକରେ ୧୧୦ ଜଣରୁ ଅଧିକ ଯୁବ ବ୍ୟବସାୟୀ ଏହି ଶିଳ୍ପକୁ ରୋଜଗାରର ମାଧ୍ୟମ କରିଥିଲେ। ଗ୍ରାମାଞ୍ଚଳରେ ଅଧିକ ନଡ଼ିଆ ଗଛ ରହିଥିବାରୁ ଯୁବକଯୁବତୀମାନେ ନିଜ ଗୋଡ଼ରେ ଛିଡ଼ା ହେବା ଆଶାରେ ଏହି ବ୍ୟବସାୟକୁ ଆପଣାଇ ନେଇଥିଲେ। କିନ୍ତୁ ବାତ୍ୟା ଫନି ଏହି ଯୁବ ବ୍ୟବସାୟୀଙ୍କ ଆଗକୁ ବଢ଼ିବାର ସ୍ବପ୍ନକୁ ଛାରଖାର କରି ଦେଇଛି। ସଦର ବ୍ଲକ ନୂଆପାଟଣା ଗାଁର ମିଟୁ ପ୍ରଧାନ ଏହାର ଉଦାହରଣ ମାତ୍ର। ମିଟୁ ମାଟ୍ରିକ୍ ସାରିବା ପରେ ବ୍ୟବସାୟ ଆଶାରେ ଘର ଛାଡ଼ି ବାହାର ରାଜ୍ୟରେ ଦାଦନ ଖଟୁଥିଲେ। ବିବାହ ପରେ ଘରକୁ ଆସିଲେ ସତ, କିନ୍ତୁ ପରିବାର ଚଳାଇବା କଷ୍ଟ ହେବାରୁ କିଛି ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ଡିଆଇସି ଜରିଆରେ ବ୍ୟାଙ୍କରୁ ପ୍ରାୟ ୨ ଲକ୍ଷ ଟଙ୍କାର ଋଣ ନେଇଥିଲେ। ଏଥିରେ କତା ତିଆରି ଯନ୍ତ୍ରାଂଶ ସାଙ୍ଗକୁ ଘର ଓ ଅନ୍ୟାନ୍ୟ ଜିନିଷପତ୍ର କିଣିଥିଲେ। କିନ୍ତୁ ବାତ୍ୟା ମିଟୁଙ୍କ ସ୍ବପ୍ନକୁ ଛାରଖାର କରି ଦେଇଛି। ବ୍ୟବସାୟ ଟଙ୍କାରୁ ଋଣ ଶୁଝିବା ଆଗରୁ ଏହି ଶିଳ୍ପକୁ ମାଟିରେ ମିଶାଇ ଦେଇଛି ବାତ୍ୟା। ଏଭଳି ପରିସ୍ଥିତିରେ ମିଟୁ କେମିତି ଋଣ ଶୁଝିବେ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। କତା ଶିଳ୍ପ କରିଥିବା ଅନ୍ୟ ଯୁବ ବ୍ୟବସାୟୀଙ୍କ ଅବସ୍ଥା ବି ସମାନ। ମିଳିଥିବା ତଥ୍ୟ ମୁତାବକ, ପୁରୀ ଜିଲ୍ଲାରେ ୯୯୮୬ ହେକ୍ଟର ଜାଗାରେ ନଡ଼ିଆ ଚାଷ କରାଯାଇଛି। ଯେଉଁଥିରୁ ୪୫ ପ୍ରତିଶତ ନଡ଼ିଆ ଗଛ ଲୋକଙ୍କୁ ରୋଜଗାର ଦେଉଛି। କତାଶିଳ୍ପ ହେବା ଫଳରେ ନଡ଼ିଆ ଚାଷର ଚାହିଦା ବଢ଼ିବା ସହ ବହୁ ମହିଳା ବିଶେଷ କରି ସ୍ବୟଂ ସହାୟକ ଗୋଷ୍ଠୀ ଏହାଦ୍ବାରା ରୋଜଗାରକ୍ଷମ ହୋଇ ପାରୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଶିଳ୍ପ ପାଇଁ ଚିନ୍ତା ବି କରିନାହାନ୍ତି। ଯାହାକୁ ନେଇ ରାଜ୍ୟ କତା ଶିଳ୍ପ ଓ ମାନ୍ୟୁଫ୍ୟାକ୍ଚର ସଂଘ ପ୍ରତିକ୍ରିୟା ପ୍ରକାଶ କରିଛି। ଏ ନେଇ ଏମଏସଏମଇ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସହାୟତା ଘୋଷଣା ପାଇଁ ଏକ ଦାବିପତ୍ର ଦେଇଛି। ନଚେତ୍ ସଂଘ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ସଂପାଦକ ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି।