ଶୀତଳ ଏଗ୍ରୋର ଧାନରୁଆ ମେସିନ କେଳେଙ୍କାରୀ: ଖାଇଗଲେ ସବ୍‌ସିଡି, ଚାଷୀ ଜଳକା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କୁ ଧାନରୁଆ ମେସିନ ପ୍ରଦାନ ନ କରି ଶୀତଳ ଏଗ୍ରୋ ଲକ୍ଷ ଲକ୍ଷ ଟଙ୍କା ଚଞ୍ଚକତା କରି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଚାଷୀଙ୍କୁ ଲୋଭ ଦେଖାଇ  କାଗଜପତ୍ର ଓ ଖାଲି ଚେକ୍‌ ନେଇ ସବ୍‌ସିଡି ଟଙ୍କା ଖାଇ ଯାଇଥିବା ବେଳେ ଚାଷୀମାନେ ଜଳକା ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହାର ଭିଜିଲାନ୍ସ ତଦନ୍ତ କରାଯିବାକୁ ଚାଷୀମାନେ ଦାବି କରିଛନ୍ତି।

ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲାରେ ଚାଷୀମାନଙ୍କୁ ଧାନରୁଆ ମେସିନ ପ୍ରଦାନ ପାଇଁ ଶୀତଳ ଏଗ୍ରୋ ଇନ୍‌ପୁଟ୍‌ସ ପକ୍ଷରୁ ଧନେର ଗ୍ରାମର ଡିଲର ଦେବାଂଶ ଟ୍ରେଡର୍‌ ସବ୍‌ସିଡିରେ ମେସିନ ଦେବା ପାଇଁ ପ୍ରଲୋଭନ ଦେଖାଇଥିଲେ। ଚାଷୀଙ୍କଠାରୁ ଆବଶ୍ୟକ କାଗଜପତ୍ର ଓ ଦସ୍ତଖତ ଥିବା ଖାଲି ଚେକ୍‌ ନେଇ ପରମିଟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କାଗଜପତ୍ର ନେବା ପରେ ଚାଷୀମାନଙ୍କୁ ଧାନରୁଆ ମେସିନ ପ୍ରଦାନ ନ କରି ସବ୍‌ସିଡି ଟଙ୍କା ଖାଲିଥିବା ଚେକ୍‌ରେ ପୂରଣ କରି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ପ୍ରତି ଧାନରୁଆ ମେସିନ ୨ଲକ୍ଷ ୬୪ ହଜାର ୭୮୭ ଟଙ୍କା ଥିବା ବେଳେ ବିଭିନ୍ନ ବର୍ଗ ଅନୁଯାୟୀ କୃଷି ବିଭାଗ ପକ୍ଷରୁ ସବ୍‌ସିଡି ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ୨୦୧୯-୨୦ ମସିହାରେ ଭବାନୀପାଟଣା ସଦର ବ୍ଲକର ମାଲଗାଁ ପଞ୍ଚାୟତର ଫଟାଗୁଡା ଗ୍ରାମର ଅକ୍ରୂର ମାଝୀଙ୍କ ନାମରେ ଦେଢ଼ ଲକ୍ଷ ଟଙ୍କା ସବସିଡି କୃଷି ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ସେହିଭଳି ଭବାନୀପାଟଣା ସଦର ବ୍ଲକ୍‌ର ତଳବେଳ ଗାଁ ପଞ୍ଚାୟତର ପଲସାପଡାର କାନ୍ତି ଭୋଇଙ୍କ ନାମରେ ଦେଢ଼ ଲକ୍ଷ ଟଙ୍କା, ଭବାନୀପାଟଣା ସହରର ୱାର୍ଡ ନଂ ୧୫ର ବିନୋଦିନୀ ଗୁରୁଙ୍କ ନାମରେ ୧ ଲକ୍ଷ ୩୨ ହଜାର ୩୯୩ ଟଙ୍କା, ଗୋଲାମୁଣ୍ଡା ବ୍ଲକ୍‌ ଚପରିଆ ପଞ୍ଚାୟତର ଚପରିଆ ଗ୍ରାମର ସୁନୀଲ କୁମାର ଗହୀରଙ୍କ ନାମରେ ଦେଢ଼ ଲକ୍ଷ ଟଙ୍କା, ଜୁନାଗଡ଼ ବ୍ଲକ୍‌ ହାବସପୁର ପଞ୍ଚାୟତର ଅନ୍ତର୍ଲା ଗ୍ରାମର ଅଲିମା ପଣ୍ଡାଙ୍କ ନାମରେ ୧ ଲକ୍ଷ ୩୨ ହଜାର ୩୯୩ ଟଙ୍କା, କଲମପୁର ବ୍ଲକର ମଣ୍ଡଳ ପଞ୍ଚାୟତର ଭାଲୁବୁଟରା ଗ୍ରାମର ଦୈତାରୀ ଶବରଙ୍କ ନାମରେ ଦେଢ଼ ଲକ୍ଷ ଟଙ୍କା, ବନ୍ଦକୋନା ପଞ୍ଚାୟତ ଟେମରା ଗ୍ରାମର ପଙ୍କଜିନୀ ନାଏକଙ୍କ ନାମରେ ୧ ଲକ୍ଷ ୩୨ ହଜାର ୩୯୩ ଟଙ୍କା ସବ୍‌ସିଡି କୃଷି ବିଭାଗ ପକ୍ଷରୁ ଧାନରୁଆ ମେସିନ ବାବଦକୁ ଆସିଛି। ଏଭଳି ସବ୍‌ସିଡି ପାଇଥିବା କୃଷକଙ୍କ ତାଲିକା ଅନେକ ଲମ୍ବା।

ଯାହା ଜଣାପଡ଼ିଛି, ଡିଲର ମନୋଜ କୁମାର ସାହୁଙ୍କ ଜରିଆରେ ୨୦ ଜଣ ନିଜ ପରିବାର ତଥା ନିଜର ଘନିଷ୍ଠତା ଥିବା ଚାଷୀମାନଙ୍କ ନାଁରେ ଧାନରୁଆ ଯନ୍ତ୍ର ବିକ୍ରି କରିଥିଲେ। ଡିଲର ଶ୍ରୀ ସାହୁ ଶୀତଳ ଏଗ୍ରୋଠାରୁ  ଧାନରୁଆ ମେସିନ ଆଣି ଚାଷୀ ମାନଙ୍କୁ ସବସିଡି ଦେବା ପାଇଁ ପ୍ରବର୍ତାଇ ଥିଲେ। ଜିଲ୍ଲାରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଧାନରୁଆ ମେସିନ ପାଇଁ ଆସୁଥିବା ସବ୍‌ସିଡିକୁ ହଡ଼ପ କରିବା ପାଇଁ ଏକ ବିଧିବଦ୍ଧ ଷଡ଼ଯନ୍ତ୍ର ରଚିଥିଲେ। ବର୍ତ୍ତମାନ ଚାଷୀଙ୍କ ଆକାଉଣ୍ଟକୁ ସବସିଡି ଟଙ୍କା ପୈଠ ହୋଇଥିବା ବେଳେ ପୂର୍ବରୁ ନେଇଥିବା ଖାଲି ଚେକ୍‌ରେ ସବସିଡିକୁ ହଡ଼ପ କରାଯାଇଛି। ଶୀତଳ ଏଗ୍ରୋର ଧାନରୁଆ ମେସିନ କେଳେଙ୍କାରୀ କେବଳ କଳାହାଣ୍ଡି ଜିଲ୍ଲାରେ ସୀମିତ ନୁହେଁ। ପଡୋଶୀ ନବରଙ୍ଗପୁର ଓ ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ଦୁର୍ନୀତିର ଚେର ଲମ୍ବିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର