କୋଇଡ଼ା : ରାଜ୍ୟରେ ସାଧାରଣତଃ ଅକ୍ଟୋବର ମାସ ବେଳକୁ ଶୀତ ଅନୁଭୂତ ହୁଏ। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ବଣପାହାଡ଼ ଘେରା ଖଣି ଅଞ୍ଚଳ କୋଇଡ଼ାରେ ଆଗୁଆ ଶୀତ ଆସେ। କିନ୍ତୁ ଚଳିତ ବର୍ଷ ବାକି ରାଜ୍ୟରେ ବର୍ଷା ହେଉଥିବା ବେଳେ ଏବଂ ଲୋକେ ଗୁଳୁଗୁଳିରେ ବ୍ୟତିବ୍ୟସ୍ତ ହେଉଥିବା ବେଳେ ଆଜିଠାରୁ କୋଇଡ଼ାରେ ହାଲୁକା ଶୀତ ଆରମ୍ଭ ହୋଇଗଲାଣି। କେବଳ ଶୀତ ନୁହେଁ, କୁହୁଡ଼ି ମଧ୍ୟ ଦେଖା ଗଲାଣି।
ଏକଦା କୋଇଡ଼ା ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଥିଲା ବେଶ୍ ମନୋହର। ବାଘ, ଭାଲୁ ଭଳି ପ୍ରାୟ ସବୁ ପ୍ରକାର ବନ୍ୟପ୍ରାଣୀ କୋଇଡ଼ା ଜଙ୍ଗଲରେ ଥିଲେ। କୋଇଡ଼ାରେ ପ୍ରବଳ ବର୍ଷା ହେଉଥିଲା। ଶୀତ ତା’ଠାରୁ ଅଧିକ। ଏପରିକି ଶୀତ ଋତୁରେ ‘ଜିରୋ ପଏଣ୍ଟ’ରେ ବରଫ ମଧ୍ୟ ପଡୁଥିଲା। ତେବେ ବ୍ୟାପକ ଲୁହା ପଥର ଖନନ କ୍ରମେ କୋଇଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉଜାଡ଼ି ଦେଇଛି। ତେଣୁ ପୂର୍ବ ଭଳି କୋଇଡ଼ାରେ ଶୀତଦିନରେ ଆଉ ବରଫ ପଡ଼ୁନି କି ବର୍ଷା ଦିନରେ ବର୍ଷା ଲାଗି ରହୁନାହିଁ। ଗତ ପ୍ରାୟ ୧୦ ବର୍ଷ ମଧ୍ୟରେ ଆଜି କୋଇଡ଼ାରେ ଆଗୁଆ ଶୀତ ଅନୁଭୂତ ହୋଇଛି। ଆଜି ସକାଳୁ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଥିଲା। ବର୍ଷା ଶେଷ ହୋଇ ନଥିବା ବେଳେ କୁହୁଡ଼ି ଦେଖିବାକୁ ମିଳିଥିବାରୁ ପୁରୁଖା ଲୋକେ ପୁରୁଣା ଦିନଗୁଡ଼ିକୁ ମନେ ପକାଇ ଖୁସି ଜାହିର କରିଥିଲେ। ଲୋକେ ହାଲୁକା ଶୀତର ମଜା ଉଠାଇଥିଲେ।