ଲେଉଟିଲା ଥଣ୍ଡା

ଭୁବନେଶ୍ୱର : ରାଜ୍ୟରେ ଲେଉଟିଲା ଥଣ୍ଡା। କିଛି ଦିନ ହେଲା ତାପମାତ୍ରା ବଢ଼ୁଥିବା ବେଳେ ଆଜି ହଠାତ୍‌ ହ୍ରାସ ପାଇଛି। ବିଭିନ୍ନ ସହରର ସର୍ବନିମ୍ନ ତାପମାତ୍ରାରେ ୨ରୁ ୪ ଡିଗ୍ରି ହ୍ରାସ ପରିଲକ୍ଷିତ ହୋଇଛି। ଫୁଲବାଣୀରେ ପୁଣିଥରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରି ରେକର୍ଡ ହୋଇଛି। ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଜନଜୀବନ ବି ଅସ୍ତବ୍ୟସ୍ତ ହୋଇପଡ଼ିଛି। ଫୁଲବାଣୀ ସମେତ ଆଉ ୭ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି। ଅଭ୍ୟନ୍ତରୀଣ ଓଡ଼ିଶା ଥରୁଥିବା ବେଳେ ଉପକୂଳ ଓଡ଼ିଶାରେ କୁହୁଡ଼ି ବଢ଼ିଛି। ଭୁବନେଶ୍ୱର, କଟକ, ଗୋପାଳପୁର, ପୁରୀ ସହରର ସର୍ବନିମ୍ନ ତାପମାତ୍ରା ପୂର୍ବଭଳି ରହିଛି। ଏଭଳି ସ୍ଥିତି ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ ଦିଲ୍ଲୀରେ ପଶ୍ଚିମା ବାୟୁ ପ୍ରବାହ ହେଉଥିବାରୁ ତାପମାତ୍ରା ବଢ଼ିଯାଇଥିଲା। କିନ୍ତୁ ଏବେ ପଶ୍ଚିମା ବାୟୁ ପ୍ରବାହ ଟିକେ କମିଥିବାରୁ ପୁଣିଥରେ ଥଣ୍ଡା ଲେଉଟିଛି। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଏକ ଡିଗ୍ରି ପର୍ଯ୍ୟନ୍ତ ଏପାଖ ସେପାଖ ରହିବ। ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଦିନରେ ସେଭଳି ପରିବର୍ତନ ହେବ ନାହିଁ। ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଲାଗି ରହିବ। ୫୦୦ ମିଟର ପର୍ଯ୍ୟନ୍ତ ରାସ୍ତା ବି ଠିକ୍‌ ଭାବେ ଦୃଶ୍ୟମାନ ହେବ ନାହିଁ। ଫୁଲବାଣୀ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ ଜିଲ୍ଲା ସମେତ ଅଭ୍ୟନ୍ତରୀଣ ଓଡ଼ିଶାରେ କିନ୍ତୁ ଥଣ୍ଡା ଜାରି ରହିବ। ୩ ତାରିଖଠାରୁ କୁହୁଡ଼ି ବଢ଼ିବା ସହ ତାପମାତ୍ରା ବି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଗତ ୨୪ ଘଣ୍ଟାରେ ଫୁଲବାଣୀ ବ୍ୟତୀତ ଅନୁଗୁଳରେ ୮, ଝାରସୁଗୁଡ଼ାରେ ୮.୫, କେନ୍ଦୁଝରଗଡ଼ରେ ୮.୯, ସମ୍ବଲପୁରରେ ୯.୬, ସୁନ୍ଦରଗଡ଼ରେ ୭.୫, ହୀରାକୁଦରେ ୭.୬, ଦାରିଙ୍ଗବାଡ଼ିରେ ୭ ଡିଗ୍ରି ରହିଥିଲା। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୦ ଓ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର