ଭୁବନେଶ୍ବର: ରାଜ୍ୟ ମଧ୍ୟକୁ ଉତ୍ତରା ପବନ ପ୍ରବାହ ହେତୁ ରାଜ୍ୟରେ ପ୍ରବଳ ଶୀତ ପ୍ରବାହ ଜାରି ରହିଛି। ଗତ ରାତିରେ ମଧ୍ୟ ରାଜ୍ୟର ୧୦ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ୫.୪ ଡିଗ୍ରି ତାପମାତ୍ରା ସହ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା। ସେହିଭଳି ଫୁଲବାଣୀ ଓ ସେମିଳିଗୁଡ଼ାର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି, କୋରାପୁଟ ୮ ଡିଗ୍ରି, କେନ୍ଦୁଝର ୮.୪ ଡିଗ୍ରି, କିରେଇ ଓ ସୁନ୍ଦରଗଡ଼ ୯.୪ ଡିଗ୍ରି, ଝାରସୁଗୁଡ଼ା ୯.୬ ଡିଗ୍ରି, ଚିପିଲିମା, ଭବାନୀପାଟଣା ଓ ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରହିଥିଲା।
କଟକର ରାତି ତାପମାତ୍ରା ୧୩.୪ ଡିଗ୍ରି ଓ ଭୁବନେଶ୍ବର ୧୩.୬ ଡିଗ୍ରି ରହିଥିଲା। ଆସନ୍ତା ୨ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ୨ ଦିନ ପରେ ୨ ରୁ ୩ ଡିଗ୍ରି ଯାଏ ରାତି ତାପମାତ୍ରାରେ ବୃଦ୍ଧି ସମ୍ଭାବନା ଥିବା ବେଳେ ଶୀତ ପ୍ରକୋପ କମିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।