କୋଲଡ୍ରିଙ୍କସ ବୋତଲରେ ମଦ ବିକ୍ରି, ବେପାରୀ ଗିରଫ

ବଲାଙ୍ଗୀର: ଲକଡାଉନ ସମୟରେ ବଢିଚାଲିଛି ଚୋରା ନିଶା କାରବାର । ଅଭିନବ ଉପାୟରେ ବେଆଇନ ନିଶା ବେପାର କରୁଛନ୍ତି ମଦ ବେପାରୀ । ବଲାଙ୍ଗୀର ସହର ଭିତରେ ଅଭିନବ ଉପାୟରେ କୋଲଡ୍ରିଙ୍କସ ବୋତଲରେ ରନ୍ଧା ମଦ ବିକ୍ରି କରୁଥିବା ଜଣେ ବେପାରୀଙ୍କୁ କାବୁ କରିଛି ଟାଉନଥାନା ପୁଲିସ । ଗିରଫ ମଦ ବେପାରୀର ନାମ କିଶୋର ଠେଲା ବୋଲି ପୁଲିସ ସୂଚନା ଦେଇଛି ।

ସୂଚନା ମୁତାବକ, ବଲାଙ୍ଗୀର ଏସପି ସନ୍ଦୀପ ସମ୍ପଦଙ୍କ ନିର୍ଦ୍ଦେଶକ୍ରମେ କିଛି ଦିନ ହେଲା ବେଆଇନ ନିଶା କାରବାର ଉପରେ ପୁଲିସ ଚଢଉ କରୁଛି । ଖରସେଲପଡାର କିଶୋର ବେଆଇନ ଭାବରେ ମଦ ବିକ୍ରି କରୁଥିବା ପୁଲିସ ଖବର ପାଇଥିଲା । ପୁଲିସର ସ୍ୱତନ୍ତ୍ର ଟିମ କିଶୋରର ଘର ଉପରେ ଚଢଉ କରିଥିଲା । ସେଠାରେ ଟିମ ଯାହା ଦେଖିଥିଲେ ତାକୁ ନେଇ ତାଜୁବ ହୋଇଯାଇଥିଲେ । ୨୦୦ ଏମ.ଏଲର ସୋଡା ଏବଂ କୋଲଡ୍ରିଙ୍କସ ବୋତଲମାନଙ୍କରେ ରନ୍ଧା ମଦ ଭର୍ତ୍ତି କରି ବୋତଲ ପିଛା ୪୦ ଟଙ୍କାରେ ବିକ୍ରି କରାଯାଉଥିବା ପୁଲିସ ଜାଣିବାକୁ ପାଇଥିଲା । ପ୍ରାୟ ୫୦ରୁ ଅଧିକ ମଦ ଭର୍ତ୍ତି ବୋତଲ ଓ ଶହଶହ ଖାଲି ବୋତଲ ପୁଲିସ ଜବତ କରିଥିଲା ।

କରୋନା କଟକଣା ଯୋଗୁଁ ମଦ ଦୋକାନ ଗୁଡିକ ବନ୍ଦ ଥିବା ସମୟରେ ଏଭଳି ଅଭିନବ ବେପାର ଆରମ୍ଭ କରିଥିଲା କିଶୋର । କେହି ଯେପରି ଜାଣିପାରିବେ ନାହିଁ ସେଥିପାଇଁ ସେ କୋଲଡ୍ରିଙ୍କସ ବୋତଲରେ ରନ୍ଧା ମଦ ଭର୍ତ୍ତି କରି ବିକ୍ରି କରୁଥିବା ଜଣାପଡିଛି । ବେଆଇନ ଭାବରେ ରନ୍ଧା ମଦ କେଉଁଠୁ ଆସିଥିଲା ତାକୁ ନେଇ ପୁଲିସ ତଦନ୍ତ ଚଲାଇଥିବା ଆଇଆଇସି ସଂଗ୍ରାମ ପଟ୍ଟାନାୟକ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର