ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ସହରରେ ପ୍ରଚଣ୍ଡ ଖରା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ସକାଳ ୧୧ଟା ବାଜିବା କ୍ଷଣି, ଘରୁ ପାଦ କାଢ଼ିବା ଲୋକଙ୍କ ପକ୍ଷେ ଅସମ୍ଭବ ପାଲଟିଛି। ଏଭଳି ପରିସ୍ଥିତିରେ ସହରରେ ଗୋଟିଏ ବି ଜଳଛତ୍ର ଖୋଲି ନଥିବାରୁ ବାହାରୁ ଆସୁଥିବା ଯାତ୍ରୀ ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପାଇଁ କିଣା ପାଣି ବୋତଲ ସାହାଭରସା ପାଲଟିଛି। କିନ୍ତୁ କୋଲ୍ଡ୍ ପାର୍ଲର୍ ଓ ଜୁସ୍ ଦୋକାନ ଗୁଡ଼ିକରେ ବେପାର ଜମିବାରେ ଲାଗିଛି। ସେପଟେ ରାସ୍ତାରେ ତରଭୁଜ ଓ ସୋଡ଼ା ବିକ୍ରି ପାଇଁ ଠେଲାଗାଡ଼ି ବେପାରୀ ପସରା ମେଲାଉଛନ୍ତି।
Advertisment
ସହରରେ ୨୦ରୁ ଅଧିକ ଜୁସ୍ ଓ ମୃଦୁପାନୀୟ ମିଳୁଥିବା ଦୋକାନ ଥିବା ବେଳେ ସାହି ଏବଂ ଗଳିକନ୍ଦିରେ ଅସ୍ଥାୟୀ ବେପାରୀମାନେ ବି ସେମାନଙ୍କ ବେପାର ଚଳାଇଛନ୍ତି। ଦର ଅନୁଯାୟୀ ସାଧାରଣ ଲସି, ସ୍ବତନ୍ତ୍ର ଲସି, ଫଳରସ ଓ ଆଖୁପଣା ବିକ୍ରି ହେଉଛି। ସାଧାରଣ ଲସିରେ ଦହି, କଦଳୀ, ଚିନି, ବରଫ ଓ ନଡ଼ିଆ ବ୍ୟବହାର କରୁଥିବା ବେଳେ ଖୁଆ ଲସି ତିଆରି କରୁଛନ୍ତି। ଦୋକାନ ଗୁଡ଼ିକରେ ଦିନ ୧୧ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ୩୦ଟଙ୍କାରୁ ୬୦ ଟଙ୍କା ପର୍ଯ୍ୟନ୍ତ ଲସି ଓ ବିଭିନ୍ନ ଜୁସ୍ ବିକ୍ରି ହେଉଛନ୍ତି। ତେବେ ଅଙ୍ଗୁରୁ, ଡାଳିମ୍ବ, କମଳା ଓ ସପୁରୀ ଜୁସ୍‌ର ଚାହିଦା ଅଧିକ ଥିବା ବ୍ୟବସାୟୀ କହିଛନ୍ତି। ବିଶେଷକରି ଜୁସ୍ ସେଣ୍ଟର୍ ଗୁଡ଼ିକରେ ଯୁବଗୋଷ୍ଠୀଙ୍କ ଅଧିକ ଭିଡ଼ ପରିଲକ୍ଷିତ ହେଉଛି। ଏହାସହ ଗ୍ରାହକଙ୍କୁ ଆକର୍ଷିତ କରିବାକୁ କିଛି ପାର୍ଲର୍ ଗୁଡ଼ିକୁ ସୁସଜ୍ଜିତ କରାଯାଇଥିବା ଶୀତତାପ ନିୟନ୍ତ୍ରିତ ମେସିନ୍ ଲଗାଯାଇଛି।
publive-image

ଅନ୍ୟପକ୍ଷରେ ରାସ୍ତାକଡ଼ ଓ ଜନଗହଳିପୂର୍ଣ୍ଣ ରାସ୍ତାରେ ତରଭୁଜ ବେପାରୀମାନେ ବି ସକାଳୁ ପସରା ମେଲାଉଛନ୍ତି। ମାଳ ଅଞ୍ଚଳରୁ ଏହାକୁ ଆଣି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ସେହିପରି କିଛି ବେପାରୀ ଗଛତଳେ ଛିଡ଼ା ହୋଇ ବିକ୍ରି କରୁଛନ୍ତି। ତରଭୁଜର ଚାହିଦା ବେଶ୍ ବଢ଼ିଛି ବୋଲି ବେପାରୀମାନେ କହିଛନ୍ତି। ଏହାସହ ଆଖୁରସ ଗୋଟିଏ ଗ୍ଲାସ୍ ପିଛା ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏଥିପ୍ରତି ବି ଗ୍ରାହକ ଆକର୍ଷିତ ହେଉଛନ୍ତି। କିଛି ଦୋକାନରେ ଲେମ୍ବୁ ଓ ମିଶ୍ରି ପଣା ବେପାର ବି ବେଶ୍ ଜମୁଛି।

ବର୍ଷ ସାରାରେ ଏହି ସମୟରେ ଭଲ ଦୁଇ ପଇସା ବ୍ୟବସାୟ ହୋଇଥାଏ। ସାଧାରଣତ ଲସି ଓ ଜୁସ୍‌ ଅଧିକ ଚାହିଦା ରହୁଛି। ରସାୟନିକ ସାମଗ୍ରୀ ଅପେକ୍ଷା ନିଜେ ପ୍ରସ୍ତୁତ କରିଥିବା ଖୁଆରୁ ଲସି ଏବଂ ଫଳ ରସ ପ୍ରଦାନ କରି ଆସୁଛି। ଗ୍ରାହକ ମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଦୀର୍ଘ ୨୨ ବର୍ଷ ଧରି କ୍ବାଲିଟି ଥଣ୍ଡା ପାନୀୟ ବ୍ୟବସାୟ କରି ସହରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ। -କେ ଈଶ୍ବର ରାଓ ଆଚାରୀ, ପରିଚାଳକ, ଈଶ୍ବର କୋଲ୍ଡ ପାର୍ଲର

ଖରାଦିନ ଆସିଲେ ବହାରକୁ ବାହାରିବ ମୁସ୍କିଲ। ଜରୁରୀ କାମ ପଡିଲେ ଯିବାକୁ ବାଧ୍ୟ ହେଉଛୁ। ତେଣୁ ଶରୀରକୁ ଥଣ୍ଡା ରଖିବା ପାଇଁ ତରଭୁଜ ସହ ଅନ୍ୟ ଖାଇବା ଫଳ ବହୁ ଲାଭ ଦାୟକ। ବିଶେଷ କରି ମାଳ ଅଞ୍ଚଳର ତରଭୁଜ ଓ ଆମ୍ବ ବହୁତ ଉନ୍ନତ ଓ ସ୍ବାଦିଷ୍ଟ ହୋଇଥାଏ। ଏଥିସହ ବିଭିନ୍ନ ପ୍ରକାର ଜୁସ୍ ଓ ଥଣ୍ଡା ପାନୀୟ ବାରମ୍ବାର ପିଇବା ଦ୍ବାରା ଜଳୀୟ ଅଂଶ ନିୟନ୍ତ୍ରଣ ରହିବା ସହ ଗରମରୁ ସାମାନ୍ୟ ଆରମ ମିଳେ। -ଦୀପ୍ତିମୟୀ ମହାନ୍ତି, ଗୃହିଣୀ, ଭଞ୍ଜନଗର