ଆଜି ରାତିରୁ କମିବ ଶୀତ

ଭୁବନେଶ୍ବର: କିଛି ଦିନ ତଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିବା ଫୁଲବାଣୀ (୪.୫ଡିଗ୍ରି)ର ପାରଦ ସ୍ତର ଗତରାତିରେ ବୃଦ୍ଧି ପାଇଛି। ଗୋଟିଏ ଦିନରେ ଫୁଲବାଣୀର ତାପମାତ୍ରା ପ୍ରାୟ ଦେଢ଼ ଡିଗ୍ରି ବଢ଼ି ୬ ଡିଗ୍ରିରେ ପହଞ୍ଚିଛି। ସେହିଭଳି ତାଳଚେରଠାରେ ୧.୩ ଡିଗ୍ରି ଓ ସମ୍ବଲପୁରଠାରେ ୧.୧ ଡିଗ୍ରି ତାପମାତ୍ରା ବୃଦ୍ଧି ଘଟିଛି। ଏହାଛଡ଼ା ଅନ୍ୟାନ୍ୟ ସ୍ଥାନ‌ରେ ୦.୨ରୁ ୦.୯ ଡିଗ୍ରି ତାପମାତ୍ରା ବୃଦ୍ଧି ଘଟିଛି। ତାପମାତ୍ରା ବିଶେଷ ବୃଦ୍ଧି ପାଇ ନଥିଲେ ହେଁ ଶୀତ ଲହରି ପ୍ରବାହ ବନ୍ଦ ହୋଇଯାଇଥିବାରୁ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି। ଅପରପକ୍ଷେ ଗୁରୁଚାପବଳୟର ସ୍ଥାନ ପରିବର୍ତ୍ତନ ଯୋଗୁଁ ଆସନ୍ତାକାଲି (ଶନିବାର) ରାତିରୁ ରାଜ୍ୟକୁ ଥଣ୍ଡା ଉତ୍ତରା ପବନ ପ୍ରବାହରେ ବାଧା ସୃଷ୍ଟି ହେବ। ତେଣୁ ଆସନ୍ତା ୩ ଦିନ ଭିତରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ଘଟିବା ସହ ଶୀତ କମିବା ଆରମ୍ଭ ହୋଇଯିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଆଜି ପର୍ଯ୍ୟନ୍ତ ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ପ୍ରବ‌ାହିତ ହେଉଥିଲା। କିନ୍ତୁ ଗୁରୁଚାପବଳୟର ସ୍ଥାନ ପରିବର୍ତ୍ତନ ଯୋଗୁଁ ଶନିବାର ରାତିରୁ ଏଥିରେ ବାଧା ସୃଷ୍ଟି ହେବ। ତେଣୁ ଶୀତ କମିବ। ଆସନ୍ତା ୩ ଦିନ ଭିତରେ ଦକ୍ଷିଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିବା ସହ ଶୀତ କମିବା ଆରମ୍ଭ ହୋଇଯିବ। ଆଭ୍ୟନ୍ତରୀଣ ଦକ୍ଷିଣ ସହ କେନ୍ଦ୍ରୀୟ ଓଡ଼ିଶାରେ ୨୬ ତାରିଖରୁ ୨୮ ତାରିଖ ରାତି ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରି ବଢ଼ିବ। ଏହା ଅପରିବର୍ତ୍ତିତ ରହି ଜାନୁଆରି ୨ରୁ ପୁଣିଥରେ ସର୍ବନିମ୍ନ ତାପମାତ୍ରା ବଢ଼ିବା ଆରମ୍ଭ ହେବ। ଫଳରେ ଶୀତ ଆହୁରି କମିବ। ଗତ ୨୪ ଘଣ୍ଟାରେ ଓଡ଼ିଶାର ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିଥିଲା। ରାଜ୍ୟର ସମତଳ ଅଞ୍ଚଳମାନଙ୍କ ମଧ୍ୟରେ ସର୍ବନିମ୍ନ ରାତ୍ରି ତାପମାତ୍ରା ଫୁଲବାଣୀଠାରେ ୬ ଡିଗ୍ରି ରେକର୍ଡ ହୋ‌ଇଛି। ସେହିପରି ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ିରେ ମଧ୍ୟ ୬ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଏହାଛଡ଼ା ଓଡ଼ିଶାର ୭ଟି ସ୍ଥାନରେ ୧୦ ଡିଗ୍ରିରୁ କମ୍‌ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରରେ ଆଜି ସକାଳୁ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ରହିଥିବା ବେଳେ କଟକର ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର