ଭୁବନେଶ୍ବର : ରାଜ୍ୟରେ ଗତ ମେ’ମାସରେ କେବଳ ୪୦ହଜାରରୁ ଅଧିକ ଲୋକ ଥଣ୍ଡା, ଜ୍ବର ପାଇଁ ଔଷଧ‌ ଦୋକାନରୁ ଔଷଧ ନେଇଛନ୍ତି। ଜୁନ୍ ମାସରେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ରାଜ୍ୟବ୍ୟାପୀ ଔଷଧ ଦୋକାନରୁ ସଂଗୃହୀତ ତଥ୍ୟରୁ ଏହା ଜଣାପଡ଼ିଛି। ବେସରକାରୀ ଭାବେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ବୋଲି କୁହାଯାଉଛି। ତେବେ ଏହି ଡାଟାବେସ୍‌ରୁ ଥଣ୍ଡା, ଜ୍ବର ଲକ୍ଷଣଧାରୀ କେତେ ସଂଖ୍ୟକ ଲୋକଙ୍କ କରୋନା ନମୁନା ପରୀକ୍ଷା ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

Advertisment

କରୋନା ଲକ୍ଷଣଧାରୀ ଲୋକମାନେ ଯଦି ଔଷଧ ଦୋକାନରୁ ଥଣ୍ଡା, କାଶ ଓ ଜ୍ବର ପାଇଁ ଔଷଧ ନେଉଛନ୍ତି ତାହାର ଏକ ସବିଶେଷ ତଥ୍ୟ ପ୍ରସ୍ତୁତ କରିବା ଲାଗି ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର। ରାଜ୍ୟବ୍ୟାପୀ ଯେତେସବୁ ଔଷଧ ଦୋକାନ ରହିଛି ସେସବୁରୁ ତାଲିକା ସଂଗ୍ରହ କରି ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ଦେବା ଲାଗି ଡ୍ରଗ୍‌ସ କଣ୍ଟ୍ରୋଲରଙ୍କୁ ନିର୍ଦେଶ ଦିଆଯାଇଥିଲା। ଯାହାଫଳରେ ଲକ୍ଷଣଧାରୀ ଲକ୍ଷଣକୁ ଲୁଚାଇ ପାରିବେ ନାହିଁ ଓ ସରକାର ଚାହିଁଲେ ସେମାନଙ୍କ କୋଭିଡ୍‌ ପରୀକ୍ଷା କରିପାରିବେ।

publive-image Women's Health

ରାଜ୍ୟରେ ୧୮-୨୦ହଜାର ପର୍ଯ୍ୟନ୍ତ ଖୁଚୁରା ଔଷଧ ଦୋକାନ ରହିଛି। ଏହିସବୁ ଦୋକାନରୁ ଜିଲ୍ଲାସ୍ତରରେ ରୋଗୀମାନଙ୍କ ପ୍ରତ୍ୟେକ ଦିନର ତଥ୍ୟ ସଂଗ୍ରହ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରଗ୍‌ସ ଇନ୍‌ସପେକ୍ଟରମାନଙ୍କ ପକ୍ଷରୁ ଦିଆଯାଉଛି। ଏଥିରୁ ମେ’ମାସରେ ୪୦ ହଜାରରୁ ଅଧିକ ଲୋକ ଥଣ୍ଡା, ଜ୍ବର ପାଇଁ ଔଷଧ ନେଇଥିବା ଜଣାପଡ଼ିଛି। ରାଜଧାନୀରେ ୩ଟି ଡିଆଇ ରେଞ୍ଜ ରହିଥିବା ବେଳେ ପ୍ରତ୍ୟେକ ଦିନ ପ୍ରାୟ ୨ଶହ ରୋଗୀଙ୍କ ତଥ୍ୟ ବିଏମ୍‌ସିକୁ ଦିଆଯାଉଥିଲା। ଏବେ ମଧ୍ୟ ଏହି ତଥ୍ୟ ପ୍ରଦାନ ଜାରି ରହିଛି। ତେବେ ଜିଲ୍ଲା ପ୍ରଶାସନ ଏହି ରୋଗୀମାନଙ୍କ ଭିତରେ କେତେ ଜଣଙ୍କର କୋଭିଡ୍‌ ପରୀକ୍ଷା କରିଛନ୍ତି ଓ‌ ସେମାନଙ୍କ ମଧ୍ୟରୁ କେତେ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ତାହା ଜାଣିବା ସମ୍ଭବ ହୋଇନାହିଁ।

ତେବେ ସବୁ ଖୁଚୁରା ଔଷଧ ଦୋକାନରୁ ତଥ୍ୟ ସଂଗ୍ରହ ସମ୍ଭବ ନ ଥିବା ଜଣେ ଡିଆଇ କହିଛନ୍ତି। ଅନେକ କ୍ଷେତ୍ରରେ ରୋଗୀଙ୍କୁ ସେମାନଙ୍କ ଠିକଣା ଦେବାକୁ ଅମଙ୍ଗ ହେଉଥିବା ମଧ୍ୟ ନଜରକୁ ଆସିଛି। ଏହାବାଦ୍ ଯେଉଁ ଲୋକମାନେ ଥଣ୍ଡା, ଜ୍ବର ପାଇଁ ଔଷଧ ନେବାକୁ ଆସୁଛନ୍ତି ସେମାନେ ସବୁ ସମୟରେ ନିଜ ପାଇଁ ଔଷଧ ନେଉ ନାହାନ୍ତି। ତେଣୁ ଯେଉଁ ଲୋକମାନଙ୍କ ପାଇଁ ଔଷଧ ନେଉଛନ୍ତି ତାଙ୍କର ଠିକଣା ଠିକ୍ ରହିବା ନେଇ କୌଣସି ଗ୍ୟାରେଣ୍ଟି ନାହିଁ। ଏଭଳି ପରିସ୍ଥିତିରେ ଯେଉଁସବୁ ରୋଗୀ ଔଷଧ ନେଇଛନ୍ତି ସମସ୍ତଙ୍କୁ ଟ୍ରାକ୍ କରିବା ସମ୍ଭବପର ନୁହେଁ।

ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି, ରାଜ୍ୟ ସରକାର ଏବେ ଆଇସିଏମ୍‌ଆର ଗାଇଡଲାଇନ୍ ଅନୁଯାୟୀ କେବଳ ଲକ୍ଷଣଥିବା ଲୋକମାନଙ୍କ କୋଭିଡ ପରୀକ୍ଷା କରାଯାଉଛି। ଔଷଧ ଦୋକାନରୁ ସଂଗୃହୀତ ତାଲିକାରୁ କେତେ ଜଣକ ପରୀକ୍ଷା ହେଉଛି ତାହାର ତଥ୍ୟ ଜିଲ୍ଲା ପ୍ରଶାସନ ନିକଟରେ ରହିଛି। ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର(ବୈଷୟିକ) ଡା.ଜୟନ୍ତ ପଣ୍ଡା କହିଛନ୍ତି, ଡ୍ରଗ୍‌ସ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟରୁ ଏହି ତଥ୍ୟ ରାଜ୍ୟ ସରକାରଙ୍କ ନିକଟକୁ ଆସୁଛି। ଔଷଧ ଦୋକାନୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରାଯିବା ପରେ ସେମାନଙ୍କୁ ଟ୍ରେସିଂ କରାଯାଉଛି। ସେହି ଲୋକମାନଙ୍କ ନିକଟରୁ ସ୍ବାସ୍ଥ୍ୟ କର୍ମୀ ପହଞ୍ଚି ସେମାନଙ୍କ ଯାତ୍ରା ବିବରଣୀ ସଂଗ୍ରହ କରିବା ସହିତ କଣ୍ଟାକ୍ଟ ଟ୍ରେସିଂ କରୁଛନ୍ତି। ଯେଉଁମାନଙ୍କୁ ସନ୍ଦେହ କରାଯାଉଛି ସେମାନଙ୍କୁ ସଙ୍ଗରୋଧରେ ରଖାଯିବା ସହିତ କୋଭିଡ ପରୀକ୍ଷା ହେଉଛି। ତେବେ ଯେଉଁମାନଙ୍କର କୌଣସି ପ୍ରକାର ଯାତ୍ରା ଇତିହାସ ନାହିଁ କିମ୍ବା ରୋଗୀଙ୍କ ସଂସ୍ପର୍ଶରେ ଆସି ନାହାନ୍ତି ସେମାନଙ୍କୁ ସତର୍କ ରହିବା ପାଇଁ ‌ସଚେତନ କରାଯାଉଛି। ମ୍ୟୁନସିପାଲଟି ସ୍ତରରେ ଗଠନ କରାଯାଇଥିବା ଆରଆରଟି ଟିମ୍ ସନ୍ଦେହ ଥିବା ଲୋକମାନଙ୍କ ଜୋରଦାର ଟ୍ରେସିଂ କରାଯାଉଛି। ତେବେ ରାଜ୍ୟରେ ହଠାତ୍ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ଯାଇଥିବାରୁ ଔଷଧ ଦୋକାନରୁ ସଂଗୃହୀତ ତାଲିକାରୁ‌ ଟ୍ରେସିଂ କାର୍ଯ୍ୟ ସାମାନ୍ୟ ଧିମା ରହିଛି ବୋଲି ଡା. ପଣ୍ଡା ସୂଚନା ଦେଇଛନ୍ତି।