କରୋନା ମୁକାବିଲା : ନାଚୁଣୀ ଅଞ୍ଚଳରେ ମିଳୁନି ଥଣ୍ଡା, ଜ୍ୱର ଔଷଧ; ହନ୍ତସନ୍ତ ହେଉଛନ୍ତି ଲୋକେ

ନାଚୁଣୀ : ମହାମାରୀ କରୋନା ପାଇଁ ଏବେ ଲୋକେ ଛାନିଆ। ଆଗରୁ ଥଣ୍ଡା ହେଉଥିଲା, ଜ୍ୱର ମଧ୍ୟ ହେଉଥିଲା। ଏବେ ହେଲେ ମନ ଓ ଚିନ୍ତା ଥଳକୂଳ ମାନୁନି। କାଳେ କରୋନା ହେଲା କି ବୋଲି ଭୟ ଆତଙ୍କରେ ଲୋକ ଦୌଡି ଯାଉଛନ୍ତି ପୂର୍ବଭଳି ଔଷଧ ଦୋକାନ, ପାଥୋଲୋଜି ଓ ଘରୋଇ କ୍ଲିନିକ ପାଖକୁ। ମାରାତ୍ମକ କରୋନା ଆଶଙ୍କାରେ ଥଣ୍ଡା ରୋଗୀଙ୍କର କେହି ଚିକିତ୍ସା କରୁନାହାଁନ୍ତି। ବିନା ଡାକ୍ତର ଚିଠାରେ ମେଡିସିନ୍‌ ଷ୍ଟୋର୍‌ ଔଷଧ ଦେଉନାହାଁନ୍ତି। ସ୍ଥାନୀୟ ନାଚୁଣୀ, ଚିଲିକା ବ୍ଲକର ବିଭିନ୍ନ ସ୍ଥାନର ଥିବା ଘରୋଇ କ୍ଲିନିକ୍‌ ମଧ୍ୟ ବନ୍ଦ ହୋଇଯାଇଛି। ପାଥୋଲାବ୍‌ ମଧ୍ୟ ବନ୍ଦ ପଡ଼ିଛି। ଜ୍ୱର ରୋଗ ଓ ଅନ୍ୟାନ୍ୟ ଶାରୀରିକ ସମସ୍ୟା ନିମନ୍ତେ କେଉଁଠି ନିଦାନ ହୋଇପାରୁନି।

୧୬ ନମ୍ବର ଜାତୀୟ ରାଜପଥ ଧାର ସ୍ଥିତ ସୁନାଖଳା ସରକାରୀ ଡାକ୍ତରଖାନା ଓ ଏଠାରୁ ୭ କିମି ଦୂର ନିକଟସ୍ଥ ଚିଲିକା ବ୍ଲକ୍‌ର ନଇରୀ ସରକରୀ ଡାକ୍ତରଖାନାରେ ଦୀର୍ଘବର୍ଷରୁ ଡାକ୍ତର ନିଯୁକ୍ତି ନଥିବାରୁ ଅଞ୍ଚଳବାସୀ ଘରୋଇ ଡାକ୍ତରଙ୍କ ସହାୟତା ନେବାକୁ ବାଧ୍ୟ ହୋଇଆସୁଛନ୍ତି। ଔଷଧ ଦୋକାନୀ ମଧ୍ୟ ଅଭିଜ୍ଞତାରୁ ଜ୍ୱର, ଝାଡା ହେଲେ ଗରିବଗୁରୁବାଙ୍କୁ ଆବଶ୍ୟକ ଔଷଧ ଦେଇ ପରିସ୍ଥିତି ସମ୍ଭାଳି ନେଉଥିଲେ। କିନ୍ତୁ କରୋନା କଟକଣା ଓ ସରକାରୀ ନିଷେଧାଜ୍ଞା ଡରରେ ସମସ୍ତେ ଚୁପ୍‌। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଏବେ ସ୍ଥାନୀୟ ଅଞ୍ଚଳକୁ ଔଷଧପତ୍ର ଯୋଗାଣରେ ମଧ୍ୟ ସମସ୍ୟା ଦେଖାଦେଇଛି। ତାଲାବନ୍ଦ ହେବା ପରେ ପରେ ଲୋକେ ସମ୍ଭାବ୍ୟ ଜ୍ୱର, ଥଣ୍ଡା, କାଶ, କଫ ପାଇଁ ଜରୁରୀ ମେଡିସିନ ବୁଝି କିଣି ନେଇଥିବା ଚର୍ଚ୍ଚା ହେଉଛି। ଏହା ବାଦ୍ ଏବେ ପ୍ରବଳ ଖରା ଓ ପାଣିପାଗ ପରିବର୍ତ୍ତନ ଯୋଗୁ ଅଞ୍ଚଳରେ ମଧ୍ୟ ସାଧାରଣ ଜ୍ୱର, ଥଣ୍ଡା, କାଶ ଭଳି ସମସ୍ୟାରେ ପୀଡିତ ବହୁ ଲୋକ ମେଡିସିନ୍‌ ଷ୍ଟୋର୍‌କୁ ଆସୁଥିବା ପ୍ରକାଶ।

ପ୍ରକାଶ ଥାଉକି ନାଚୁଣୀ, ସୁନାଖଳା, ନଇରୀ, ଚଣ୍ଡେଶ୍ବର, ଆଙ୍କୁଲା ଇତ୍ୟାଦି ଅଞ୍ଚଳରେ ରହିଥିବା ବିଭିନ୍ନ ଔଷଧ ଦୋକାନରେ ମଧ୍ୟ ଭଲ କଂପାନିର କେତେକ ଜରୁରୀ ଆଣ୍ଟିବାଇଓଟିକ୍, ଆଣ୍ଟି କୋଲ୍ଡ, ଭିଟାମିନ ସି, କଫ୍‌ ସିରଫ ମେଡିସିନ ଷ୍ଟକ୍ ନଥିବା ଖବର ମିଳିଛି। ଏବେ ଔଷଧ ଦୋକାନରେ ବିଶେଷ କରି ଆଜିଥ୍ରୋମାଇସିନ୍‌, ମକ୍ସିସାଇକ୍ଲିନ୍‌, ସେଫିକ୍ସିଜିମ୍, କ୍ଲାଭମ୍‌, ଆମୋକ୍ସ, ଭିଟାମିନ୍‌ ସି, ବିଭିନ୍ନ କଫ ସିରପ୍‌ ମିଳୁନାହିଁ। ଲୋକେ ଥଣ୍ଡା ଜ୍ୱରରେ ପୀଡିତ ହୋଇ ଚିଠା ଧରି ଔଷଧ ନପାଇ ଧାଁଧପଡ଼ କରି ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ଏ ବାବଦରେ କେତେକ ଔଷଧ ଦୋକାନୀଙ୍କୁ ପଚାରିବାରେ ଗାଡିବନ୍ଦ ଯୋଗୁ ଯୋଗାଣ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଉତ୍ତର ମିଳିଛି। ଏଣୁ ସର୍ବସାଧାରଣ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ଔଷଧ ଯୋଗାଣ ସହ ରୋଗ ନିଦାନ ପାଇଁ ପାଥୋଲୋଜି ସୁବିଧା ସମେତ ନଇରୀ ଓ ସୁନାଖଳାସ୍ଥିତ ସରକାରୀ ଡାକ୍ତରଖାନାରେ ଦୀର୍ଘବର୍ଷରୁ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର