୧୭ରୁ ଫେରିବ ଥଣ୍ଡା

ପଶ୍ଚିମା ପ୍ରଭାବରେ ସ୍ୱଳ୍ପ ବର୍ଷା ୧୩ରୁ

ଭୁବନେଶ୍ୱର : ବର୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରୁ ଶୀତ ଋତୁ ସତେ ଯେପରି ଗାଏବ। ଉପକୂଳବର୍ତୀ ସ୍ଥାନଗୁଡ଼ିକରେ କି ଦିନ କି ରାତି, ଥଣ୍ଡା ଅନୁଭୂତ ହେଉନାହିଁ। ଅଦିନିଆ ମେଘ ହଟିଯାଇଛି ସିନା, ଅନେକ ସ୍ଥାନରେ ବାୟୁମଣ୍ଡଳରେ ରହିଥିବା ଜଳୀୟବାଷ୍ପ ସଂପୂର୍ଣ୍ଣ ଯାଇନାହିଁ। ୧୩ ତାରିଖ ବେଳକୁ ପୁଣି ବହିବ ପଶ୍ଚିମା ବାୟୁ। ଏହାର ପ୍ରଭାବରେ ୧୩, ୧୪, ୧୫ ତାରିଖ ତିନି ଦିନ ଧରି ସ୍ୱଳ୍ପ ପରିମାଣରେ ବର୍ଷା ହେବ। ୧୭ ତାରିଖ ବେଳକୁ ପଶ୍ଚିମା ବାୟୁ ସଂପୂର୍ଣ୍ଣ ରୂପେ ଅପସରି ଯାଇଥିବ ଓ ଥଣ୍ଡା ପୁଣି ଫେରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସୂଚନାନୁସାରେ ୧୩ ତାରିଖ ବେଳକୁ ପଶ୍ଚିମା ବାୟୁ ପ୍ରଭାବରେ ଆଭ୍ୟନ୍ତରୀଣ ଏବଂ ଉପକୂଳର କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ। ୧୪ ଏବଂ ୧୫ରେ ସେସବୁ ସ୍ଥାନରେ ସ୍ୱଳ୍ପ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା କହୁଛି। ପଶ୍ଚିମ ଦିଗରୁ ଏହି ବାୟୁ ଆସିବ ଏବଂ ଏହା ଗଲା ପରେ ଥଣ୍ଡା ମାଡ଼ି ଆସିବ ବୋଲି କୁହାଯାଇଛି। ୧୭ ତାରିଖରୁ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଥଣ୍ଡା ଅନୁଭୂତ ହେବ।

ଆଜି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧° ସେଲ୍‌ସିୟସ ଥିବା ବେଳେ ଢେଙ୍କାନାଳରେ ୧୧.୪°, ଫୁଲବାଣୀରେ ୧୨.୨° ରହିଛି। ଉପକୂଳବର୍ତୀ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦° ପାଖାପାଖି ଥିବା ବେଳେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମାଞ୍ଚଳର ଅଧିକାଂଶ ସ୍ଥାନର ତାପମାତ୍ରା ୧୩ରୁ ୧୭° ମଧ୍ୟରେ ରହିଛି।

ସମ୍ବନ୍ଧିତ ଖବର