ରାଜପଥରେ ପରିବା ଗଦା, ଶୀତଳ ଭଣ୍ଡାର ଦାବି ତେଜିଲା

ବରଗଡ଼: ବାରମ୍ବାର ବର୍ଷାଭାବ ଜିଲ୍ଲାର ଚାଷୀଙ୍କ ମେରୁଦଣ୍ତ ଭା˚ଗି ଦେଇଛି। ରୋଗପୋକ ଆହୁରି ଦାଉ ସାଧୁଛି। ଅଦିିନିଆ ଝଡ଼ତୋଫାନ ଏବଂ କରକାମାଡ଼ ‌ଯୋଗୁଁ ଫଳନ୍ତି ଚାଷଜମି ଉଜୁଡ଼ି ଯାଉଛି। ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ବିକଳ୍ପ ଚାଷ ଉପରେ ସର୍ବଦା ଗୁରୁତ୍ବାରୋପ କରାଯାଉଛି। କିନ୍ତୁ ପରିବା ଚା‌ଷରେ ମଧ୍ୟ ଚାଷୀକୁ ଉଚିତ ପାଉଣା ମିଳୁନାହିଁ। ବଜାର ବ୍ୟବସ୍ଥା ଏବ˚ ଶୀତଳ ଭଣ୍ତାର ଅଭାବରୁ ଚାଷୀ ଦଲାଲଙ୍କ ହାତରେ ପଡ଼ି ଲୁଣ୍ଠିତ ହେଉଛନ୍ତି। ବରଗଡ଼ ଭଳି କୃଷିଭିତ୍ତିକ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଶୀତଳ ଭଣ୍ତାର ଟିଏ ଖୋଲି ନପାରିବା ଚାଷୀଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି। ଫଳରେ ଜିଲ୍ଲାରେ ପରିବାର ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି ହେଉଛି। ଏଭଳି ସମ୍ବେଦନଶୀଳ ଅଭିଯୋଗ ନେଇ ଜୟ କିସାନ ଆନ୍ଦୋଳନ ନେତୃତ୍ବରେ ଦଶମାଇଲ୍‌ ଛକଠାରେ ଚାଷୀ ରାସ୍ତା ଉପରେ ପ୍ରତିବାଦ କରିଥିଲେ। ଜିଲ୍ଲାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ସହ ପନିପରିବାର ସହାୟକ ମୂଲ୍ୟ ଘୋଷଣା, ବଜାର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଚାଷୀମାନେ ଦାବି କରିଥିଲେ।

ଚାଷୀମାନେ ନିଜ ଉପାର୍ଜିତ ପନିପରିବା ରାଜପଥ ଉପରେ ଗଦା କରିଥିଲେ। ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଅଟକାଇ ମାଗଣାରେ ପନିପରିବା ବାଣ୍ଟିଥିଲେ। ବରିଷ୍ଠ ଚାଷୀନେତା ଲିଂଗରାଜ ସରକାରଙ୍କ କୃଷି ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଚାଷୀଙ୍କ ପାଇଁ କୌଣସି ବଜାର ସୁବିଧା ନଥିବାରୁ ଏଥିପ୍ରତି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ। ଚାଷୀନେତା ସୁଶୀଲ ସାହୁ, ହର ବଣିଆ, ସୁରେନ୍ଦ୍ର ମେହେର, ରମେଶ ମହାପାତ୍ର, କିଶୋର ସାହୁ, ଅରୁଣ ପଧାନ, ସରୋଜ ବାରିକ, ତ୍ରିଲୋଚନ ଭୁଏ, ଲକ୍ଷ୍ମଣ ପ୍ରଧାନ, କୁଶ ଭୋଇ, ଡୋଳାମଣି ଭୋଇ ପ୍ରମୁଖ ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର