୪୬ଟି ଶୀତଳ ଭଣ୍ଡାର ସ୍ଥିତି ବିଗୁଡ଼ିଛି

ମନ୍ତ୍ରୀ, ସଚିବ ବଦଳୁଛନ୍ତି କିନ୍ତୁ ସ୍ଥିତି ସୁଧୁରୁନି, ଉଜୁଡ଼ିବ ରାଜ୍ୟର ଆଳୁ, ପରିବା ଚାଷ

ଭୁବନେଶ୍ୱର : ୟେସା କରିଦେବୁ, ତେସା କରିଦେବୁ। ଏତିକି ଦିନ ଭିତରେ ଶୀତଳଭଣ୍ଡାର ହୋଇଯିବ। ଆଉ ସଂରକ୍ଷଣ ନେଇ ସମସ୍ୟା ରହିବନି। ବିଭିନ୍ନ ସମୟରେ ଏମିତି ବାହାସ୍ଫୋଟ ମାରିଛନ୍ତି, କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ, ଯୋଗାଣ ମନ୍ତ୍ରୀ ଓ ଏସବୁ ବିଭାଗର ସଚିବମାନେ। ସମୟ ସ୍ରୋତରେ ମନ୍ତ୍ରୀ ପରିବର୍ତନ ହୋଇଛନ୍ତି। ସଚିବଙ୍କୁ ପଦୋନ୍ନତି ମିଳିସାରିଲେଣି। ହେଲେ ମନ୍ତ୍ରୀ ବା ସଚିବଙ୍କ ପ୍ରତିଶ୍ରୁତି କିନ୍ତୁ କାର୍ଯ୍ୟକାରୀ ହୋଇପାରିନାହିଁ।

ଆଜି ଦିନରେ ବି ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର ସ୍ଥାପିତ ହୋଇପାରିଲା ନାହିଁ। ଯେତିକି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି, ସେଥିମଧ୍ୟରୁ ଅଧିକାଂଶ ଅତ୍ୟଧିକ କ୍ଷତି ସହି ବନ୍ଦ ହେବା ଅବସ୍ଥାକୁ ଆସିଲେଣି। ଏସବୁର ସଙ୍ଗିନ୍‌ ପ୍ରଭାବ ପଡିବା ଆରମ୍ଭ ହୋଇଛି। ରାଜ୍ୟରେ ଆଳୁ ମିସନ ଫେଲ୍‌ ମାରିଗଲା। ଆଳୁ ସମେତ ଅନ୍ୟ ପନିପରିବା ଚାଷ ପ୍ରତି ଚାଷୀ ଅନାଗ୍ରହ ପ୍ରଦର୍ଶନ କଲେଣି। ଫଳରେ ପନିପରିବା ଉତ୍ପାଦନ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ଯେତିକି ସଫଳତା ମିଳିବା କଥା, ତାହା ପରାହତ ହେଉଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ଭଳି ରାଜ୍ୟକୁ ପନିପରିବା ବିଶେଷ କରି ଆଳୁ ଚାଷ, ଫୁଲ, ଫଳ ଚାଷରେ ସ୍ୱାବଲମ୍ବୀ କରିବା ପାଇଁ ଶୀତଳ ଭଣ୍ଡାର ହେଉଛି ମୁଖ୍ୟ ଭିତ୍ତିଭୂମି। ଏହି ଭିତ୍ତିଭୂମିକୁ ସୁଦୃଢ଼ କରି କୃଷି ଓ କୃଷକଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ନୀତି କରିଛନ୍ତି। ଏଥିରେ ଉଭୟ ଆର୍ଥିକ ଓ ବିଦ୍ୟୁତ୍‌ ଉପରେ ସବ୍‌ସିଡି ବ୍ୟବସ୍ଥା ବି କରାଯାଇଛି।

ସରକାର ଏହାକୁ ଦୃଷ୍ଟିରେ ରଖି ଆଳୁ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇଥିଲେ। ୨୦୧୫-୧୬ରେ ୨୬୭.୦୫ କୋଟି ବ୍ୟୟରେ ଆଳୁ ମିସନ ଆରମ୍ଭ କରାଗଲା। ଜାତୀୟ ଆଳୁ ଉତ୍ପାଦକତା ହାର ହେକ୍ଟର ପିଛା ୨୨.୭୬ ମେଟ୍ରିକ ଟନ୍‌ ଥିବା ବେଳେ ଓଡ଼ିଶାରେ ଏହା ୧୬.୪୮ ମେଟ୍ରିକ ଟନ୍‌। ଚଳିତ ବର୍ଷ ମାର୍ଚ ସୁଦ୍ଧା ୧୧.୨୫ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ରାଜ୍ୟରେ ୧୧୨ଟି ଶୀତଳ ଭଣ୍ଡାର(ପ୍ରତ୍ୟେକର ୫ ହଜାର ମେଟ୍ରିକ ଟନ୍‌ କ୍ଷମତା) ସ୍ଥାପନ ପାଇଁ ଲକ୍ଷ୍ୟ ରଖିଥିଲା ଏହି ମିସନ।

ଏହି ଯୋଜନାରେ ଅନୁସୂଚିତ ଜନଜାତି ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସବ୍‌ସିଡି ସହିତ ବିଜୁଳି ପାଇଁ ବି ବଡ଼ ଧରଣର ସବ୍‌ସିଡିର ଘୋଷଣା ରାଜ୍ୟର ଆଳୁ ଚାଷୀ, ଉଦ୍ୟୋଗୀମାନଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ଶୀତଳ ଭଣ୍ଡାର ସ୍ଥାପନ ନେଇ କ୍ଷେତ୍ରୀୟ ସ୍ତରର ଅଣୁ ସମସ୍ୟାଗୁଡ଼ିକୁ ଅନୁଧ୍ୟାନ କରି ସମାଧାନ କରାଯାଇନଥିଲା। ଯାହାଫଳରେ ସେହି ଶୀତଳ ଭଣ୍ଡାରଗୁଡ଼ିକ ନିର୍ମାଣ ହେବାର ୨-୩ ବର୍ଷ ମଧ୍ୟରେ ଜଟିଳ ସମସ୍ୟାଗୁଡ଼ିକର ସାମ୍ନା କରୁଛନ୍ତି।

ସରକାରୀ ସମ୍ବଳ ଓ ସମର୍ଥନର ଅଭାବ, ବ୍ୟାଙ୍କ ଅଧିକାରୀଙ୍କ ଅସହଯୋଗ, ଉଦ୍ୟାନ କୃଷି କର୍ମକର୍ତାଙ୍କ ଅବହେଳା ଆଦି ଯୋଗୁଁ ଅଧିକାଂଶ ଶୀତଳ ଭଣ୍ଡାର ରୁଗ୍ଣ ସ୍ଥିତିକୁ ଆସିଗଲେଣି। କୃଷି ବିଭାଗ ସୂଚନା ବୟାନ କରୁଛି ଯେ, ରାଜ୍ୟରେ ମୋଟ ୧୨୬ଟି ଶୀତଳ ଭଣ୍ଡାର ରହିଛି। ସେଥିମଧ୍ୟରୁ ୨୨ଟି ସରକାରୀ ଓ ୧୦୪ଟି ଘରୋଇ। ୧୨୬ଟି ଶୀତଳ ଭଣ୍ଡାର ମଧ୍ୟରୁ ମାତ୍ର ୪୬ଟି କାର୍ଯ୍ୟକ୍ଷମ ଥିବା ଦର୍ଶାଯାଇଛି। ଏଥିମଧ୍ୟରୁ ୫ଟି ସରକାରୀ ଥିବା ବେଳେ ୪୧ଟି ଘରୋଇ। ୨୩ଟି ଘରୋଇ ଶୀତଳ ଭଣ୍ଡାର ପୁଞ୍ଜି ନିମନ୍ତେ ସବ୍‌ସିଡି ପାଇଥିବା ବେଳେ ୧୪ଟି ବିଜୁଳି ବାବଦରେ ସବ୍‌ସିଡି ପାଇଥିବା ସୂଚନା ଦେଇଛି ବିଭାଗ। ତେବେ ୧୦୪ଟି ଘରୋଇ ଶୀତଳ ଭଣ୍ଡାର ମଧ୍ୟରୁ ୬୩ଟି ଅଚଳ। କଟକ, ଭୁବନେଶ୍ୱରରେ ଥିବା ଶୀତଳ ଭଣ୍ଡାରଗୁଡ଼ିକୁ ଛାଡ଼ିଦେଲେ, କାର୍ଯ୍ୟକ୍ଷମ ଥିବା ଅବଶିଷ୍ଟ ଘରୋଇ ସଂସ୍ଥାଗୁଡ଼ିକ ଅବସ୍ଥା ଶୋଚନୀୟ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜଣେ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ସ୍ଥାପିତ ଶୀତଳ ଭଣ୍ଡାର ଆରମ୍ଭରୁ ଅଚଳ ହୋଇପଡ଼ିଛି। ଇତିମଧ୍ୟରେ ସ୍ଥାପିତ ହୋଇଥିବା ନୂଆ ଶୀତଳ ଭଣ୍ଡାରଗୁଡ଼ିକର ସ୍ଥିତି ଖରାପ। ତେବେ ସେ ନେଇ କେହି ବ୍ୟସ୍ତ ନାହାନ୍ତି।

ରାଜ୍ୟରେ ପ୍ରାୟ ୧ ଲକ୍ଷ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ସ୍ଥାପନ କରିବାର ଆବଶ୍ୟକତା ରହିଛି। କିନ୍ତୁ ଆଳୁ ମିସନ ଚରମ ବିଫଳ ହେବା ପରେ ବି ସରକାର ଚେତିନାହାନ୍ତି। ଏ ନେଇ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ କି ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ସମୀକ୍ଷା କରାଯାଉନାହିଁ।

ଆଗକୁ ଶୀତଦିନ ଆସୁଛି। ଟମାଟୋ, କୋବି ଆଦି ଅଧିକ ଉତ୍ପାଦନ ହୋଇ ବିଲରେ ପଚୁଛି ସିନା, ଏସବୁକୁ ସଂରକ୍ଷଣ କରି ତିରୋଟ ସମୟରେ ବ୍ୟବହାର କରିବା ଲାଗି ସରକାରଙ୍କର କିଛି ବି ଉଦ୍ୟମ ନାହିଁ। ଆଳୁ, ପିଆଜ କଥା ନ କହିବା ଭଲ।

ସମ୍ବନ୍ଧିତ ଖବର