୫ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ଉଦ୍‌ଘାଟିତ

ରାଉରକେଲା: ଛେଣ୍ଡ୍‌ କଲୋନିରେ ନିର୍ମିତ ୫ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ଆଜି ଉଦ୍‌ଘାଟିତ ହୋଇଛି। ଏହାକୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉଦଘାଟନ କରିଥିଲେ। ଶ୍ରୀ ନାୟକ ଉଦ୍‌ବୋଧନରେ କହିଲେ, ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ନିର୍ମିତ ଏହି ଶୀତଳଭଣ୍ଡାର ଦ୍ବାରା ଇସ୍ପାତ ସହରରେ ପନିପରିବା, ଫଳ ଆଦି ବିକ୍ରି କରୁଥିବା ଚାଷୀ, ବେପାରି ବହୁମାତ୍ରାରେ ଉପକୃତ ହେବେ।

ଶୀତଳଭଣ୍ଡାର ଅଭାବରୁ ସେମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହା ଏଥର ଦୂର ହେବ। ଆର୍‌ଏମ୍‌ସି କମିସନର ଦିବ୍ୟଜ୍ୟୋତି ପରିଡ଼ା କହିଲେ, କୋଭିଡ୍ ପରବର୍ତ୍ତୀ ସମୟରେ ଲୋକମାନଙ୍କର ଆର୍ଥିକ ସ୍ଥିତିକୁ କିପରି ସୁଦୃଢ଼ କରାଯାଇ ପାରିବ ସେନେଇ ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରାଉରକେଲା ମହାନଗର ନିଗମ ଭାଗ ନେଇ ଏକ ଶୀତଳଭଣ୍ଡାର ସ୍ଥାପନା ନେଇ ପ୍ରସ୍ତାବ ଦେଇଥିଲା। ‘କୋଏଲ ଫ୍ରେସ୍‌’ ସହାୟତାରେ ଏହି ଶୀତଳଭଣ୍ଡାରକୁ କାର୍ଯ୍ୟକାରୀ କରାଯାଉଛି। ଏଥିରେ ସ୍ଥାନୀୟ ପନିପରିବା ଓ ଫଳ ବ୍ୟବସାୟୀ ବିଶେଷ ଭାବେ ଉପକୃତ ହେବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାମାନେ ମଧ୍ୟ ଜୀବିକା ପାଇଥିବା କହିଛନ୍ତି।

ଶୀତଳଭଣ୍ଡାରରେ ଫଳ ଏବଂ ପନିପରିବା ରଖିବା ଲାଗି ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକ କ୍ଷୁଦ୍ର ବ୍ୟବସାୟୀ ପଞ୍ଜୀକରଣ କରିସାରିଛନ୍ତି। ପଞ୍ଜୀକୃତ ବ୍ୟବସାୟୀମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ମଧ୍ୟ ଦିଆଯାଇଛି। ଶୀତଳଭଣ୍ଡାର ପରିଚାଳନା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ତାଲିମ ଦିଆଯାଇଛି। ଶୀତଳଭଣ୍ଡାରର ଉପକାରିତା ସମ୍ପର୍କରେ ଏହି ଗୋଷ୍ଠିର ସଦସ୍ୟାମାନେ ଆଖପାଖ ହାଟକୁ ଯାଇ ଚାଷୀ ଏବଂ ବ୍ୟବସାୟୀଙ୍କୁ ସଚେତନ କରୁଛନ୍ତି। ଏହାର ଉଦ୍‌ଘାଟନବେଳେ ‘କୋଏଲ ଫ୍ରେସ୍‌’ର ମୁଖ୍ୟ ପରାମର୍ଶଦାତା ପ୍ରବୋଧ ରଞ୍ଜନ ପାଢ଼ୀଙ୍କ ସମେତ ଆର୍‌ଏମ୍‌ସିର ବରିଷ୍ଠ ଅଧିକାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା, ସ୍ଥାନୀୟ ଜନସାଧାରଣମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର