ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିକଟ ଦେସିଲଠାରେ ୬ କୋଟି ଟଙ୍କା ବ୍ୟୟରେ ଏକ ଶୀତଳଭଣ୍ଡାର ନିର୍ମାଣ କରାଯାଇଥିଲା। ଲକ୍ଷ୍ୟ ଥିଲା ଅଞ୍ଚଳର ଚାଷୀଙ୍କ ଉତ୍ପାଦିତ ପରିବା ସଂରକ୍ଷିତ ରଖାଯାଇପାରିବ। ଚାଷୀମାନେ ବି ଭଲ ଦୁଇପଇସା ରୋଜଗାର କରିବା ଆଶାରେ ସେମାନଙ୍କ ଉତ୍ପାଦିତ ପିଆଜ ସେଠାରେ ପ୍ରଥମେ ରଖିଥିଲେ। ହେଲେ ସୁବୁକତ ପିଆଜ ପଚିସଢ଼ି ନଷ୍ଟ ହୋଇଯାଇଥିଲା। ସେତେବେଳେ ପ୍ରାୟ ୧ କୋଟି ଟଙ୍କା ଚାଷୀମାନେ କ୍ଷତି ସହିଥିଲେ। ସେହିଦିନଠାରୁ ଗତ ପ୍ରାୟ ୭-୮ ବର୍ଷ ହେଲା ଶୀତଳଭଣ୍ଡାର ଅଚଳ ହୋଇପଡ଼ିଛି। ତାହା ପରିତ୍ୟକ୍ତ ଅବସ୍ଥାରେ ରହି ଏବେ ଖତ ଖାଉଛି।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ପ୍ରଚୁର ମାତ୍ରାରେ ପନିପରିବା ଉତ୍ପାଦିତ ହୋଇଥାଏ। ବହୁ କଷ୍ଟ କରି ଚାଷୀ ପରିବା ଉତ୍ପାଦନ କରୁଥିଲେ ମଧ୍ୟ ପ୍ରକୃତ ମୂଲ୍ୟ ମିଳୁନାହିଁ। ଅମଳ ସମୟରେ ଚାଷୀ ଉତ୍ପାଦିତ ପନିପରିବା ଅତି ଶସ୍ତା ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। ବହୁ ବର୍ଷ ଆଗରୁ ରାଜ୍ୟ ସରକାରଙ୍କ ଏପିକଲ ବିଭାଗ ପକ୍ଷରୁ ଟିଟିଲାଗଡ଼ ଦେସିଲଠାରେ ଏକ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବା ସହ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ସେହି ସମୟରେ ଅମଳ ପରେ କିଛି ମାସ ସେମାନଙ୍କ ପରିବା ଶୀତଳଭଣ୍ଡାରରେ ରଖି ବଜାରକୁ ଆଣି ବିକ୍ରି କରି ଉପକୃତ ହେବେ ବୋଲି ସ୍ଥାନୀୟ ଚାଷୀ ଉତ୍ସାହିତ ହୋଇପଡ଼ିଥିଲେ। ତେବେ ଉଦ୍ଘାଟନ ପରେ ସ୍ଥାନୀୟ ଚାଷୀ ସେମାନଙ୍କ ଉତ୍ପାଦିତ ପ୍ରାୟ ୧ କୋଟି ଟଙ୍କାର ପିଆଜ ଶୀତଳଭଣ୍ଡାରରେ ସଂରକ୍ଷିତ ରଖିଥିବା ବେଳେ ସେସବୁ ପଚିସଢ଼ି ନଷ୍ଟ ହୋଇଯାଇଥିଲା। ସରକାରୀ ବାବୁ ସଂରକ୍ଷିତ ପିଆଜ ବୀମାଭୁକ୍ତ କରିନଥିବାରୁ ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ବି ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ବର୍ତ୍ତମାନ ପ୍ରାୟ ୭-୮ ବର୍ଷ ହେଲା ଶୀତଳଭଣ୍ଡାର ଅଚଳ ହୋଇପଡ଼ିଥିବା ବେଳେ କୌଣସି କାମରେ ଆସିପାରୁ ନାହିଁ। ସରକାରୀ ଅଧିକାରୀ ଏବଂ ଠିକାଦାରଙ୍କ ଲାଭଖୋର ମନୋଭାବ ଯୋଗୁଁ ଶୀତଳଭଣ୍ଡାରର ଏଭଳି ଅବସ୍ଥା ହେଲା ବୋଲି ଚାଷୀ ଅଭିଯୋଗ କରୁଛନ୍ତି।
ବହୁବାର ଚାଷୀ ଏନେଇ ବିଭାଗୀୟ ସଚିବଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉ ନାହିଁ। ବର୍ତ୍ତମାନ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଶୀତଳଭଣ୍ଡାର ଭାଙ୍ଗିରୁଜି ମାଟିରେ ମିଶିବାକୁ ଗଲାଣି। ଚାରିପଟରେ ଥିବା ବାଡ଼ ସବୁ ଭାଙ୍ଗିରୁଜି ଗଲାଣି। ତେବେ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ଚାଷୀ ଏବେ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଏବେ ଟିଟିଲାଗଡ଼ ଅଞ୍ଚଳରେ ପରିବା ଦର ଆକାଶଛୁଆଁ ରହିଥିବା ବେଳେ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ହେଲେ ଅଞ୍ଚଳବାସୀ ବେଶ୍ ଉପକୃତ ହେବେ ବୋଲି ପ୍ରକାଶ କରିଛନ୍ତି।