ଆଉ ୨୪ ଘଣ୍ଟା ପ୍ରବଳ ଥଣ୍ଡା

୧୬ ଜିଲ୍ଲା ପାଇଁ ସତର୍କ ସୂଚନା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ୪ ଡିଗ୍ରିକୁ ଖସିଲା ଦାରିଙ୍ଗବାଡ଼ି, ତୁଷାରପାତ

ଭୁବନେଶ୍ବର : ୨୪ ଘଣ୍ଟା ଥରାଇବ ଥଣ୍ଡା। ଉତ୍ତରରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ଥରିବ। ଅସ୍ତବ୍ୟସ୍ତ କରି ପକାଇବ ଥଣ୍ଡା। ଗୁରୁବାର ଓ ଶୁକ୍ରବାର ଭୋର୍‌ ସମୟରେ କେତେକ ସ୍ଥାନରେ ତୁଷାରପାତ ହେବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଆଲର୍ଟ ଜାରି କରାଯାଇଛି। ଥଣ୍ଡା ଉପରେ ରାଜ୍ୟ ସରକାର ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଫେବ୍ରୁଆରି ୧ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ ଓଡ଼ିଶାକୁ ଛାଡ଼ି ଅନ୍ୟ ସମସ୍ତ ସ୍ଥାନରେ ରାତିର ପାରଦ ବହୁ ପରିମାଣରେ ହ୍ରାସ ପାଇବ। ଦାରିଙ୍ଗବାଡ଼ି, କୋରାପୁଟ, ଅନୁଗୁଳ, କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ତୁଷାରପାତ ହେବାର ଆଶଙ୍କା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ୧୬ ଜିଲ୍ଲା ଯଥା-ନବରଙ୍ଗପୁର, ନୂଆପଡ଼ା, ବରଗଡ଼, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି। ସନ୍ଧ୍ୟା ୬ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଲାଗିରହିବ। ଜନଜୀବନ ପ୍ରଭାବିତ ହେବ। ରାତିର ହାରାହାରି ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିବ। ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି ଯେ ଶୁକ୍ରବାରଠାରୁ ଥଣ୍ଡା କମିବ। ଆଜି ଅପେକ୍ଷା ଗୁରୁବାର କେତେକ ସ୍ଥାନରେ ତାପମାତ୍ରା ବଢ଼ିବ। ପଶ୍ଚିମା ବାୟୁ ପ୍ରବାହ ଆସିବା ସମୟରେ ତାତି ବଢ଼ିଥିଲା। ଗଲା ପରେ ଏବେ ଥଣ୍ଡା ବଢ଼ୁଛି। ପଶ୍ଚିମା ବାୟୁ ପ୍ରବାହ ଯିବା ପରେ ଆଜି ଥଣ୍ଡା ଅନୁଭୂତ ହେଉଥିଲା। ଫେବ୍ରୁଆରି ୪ ପର୍ଯ୍ୟନ୍ତ ଶୀତ ଧୀରେ ଧୀରେ ହ୍ରାସ ପାଇବ। ଆଗରୁ ଯେମିତି ଥିଲା ସେଭଳି ସ୍ଥିତି ଉପୁଜିବ। ଫେବ୍ରୁଆରି ୧୨ ତାରିଖ ପର୍ଯ୍ୟନ୍ତ ଦିନରେ ତାପମାତ୍ରା ଅଧିକ ରହିବ। ରାତିରେ ଥଣ୍ଡା ଅନୁଭୂତ ହେବ ବୋଲି ସେ ଆକଳନ କରିଛନ୍ତି।

ଅନ୍ୟପକ୍ଷରେ ଆଜି ସାରା ଓଡ଼ିଶାରେ ଶୀତ ପ୍ରବାହ ଲାଗି ରହିଛି। ୧୨ଟି ସହରର ତାପମାତ୍ରା ୧୦ଡିଗ୍ରି ତଳକୁ ଖସି ଆସିଛି। ୨୫ଦିନ ବ୍ୟବଧାନରେ ଦାରିଙ୍ଗବାଡ଼ିର ତାପମାତ୍ରା ପୁଣିଥରେ ୪ ଡିଗ୍ରିକୁ ଖସିଛି। ଆଜି ଭୋର ସମୟରେ କେତେକ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬.୩ ଡିଗ୍ରି ରହିଥିବା ବେଳେ ଅନୁଗୁଳରେ ୬.୬, ସୋନପୁରରେ ୭.୬, କେନ୍ଦୁଝରରେ ୭.୪, ଝାରସୁଗୁଡ଼ାରେ ୭.୬, ସମ୍ବଲପୁରରେ ୭.୮ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର