ମାଲକାନଗିରି ଜିଲ୍ଲାରେ ଶୀତର ଲହରି : ଦୀର୍ଘ ବର୍ଷ ପରେ ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଶୀତର ଲହରି ଦେଖାଦେଇଥିବା ବେଳେ ଦୀର୍ଘ ବର୍ଷ ପରେ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯାଇଛି। ଆଜି ଦିନ ୧୧ଟା ପର୍ଯ୍ୟନ୍ତ ସମଗ୍ର ସହର କୁୁୁହୁଡିମୟ ରହିଥିବା ବେଳେ ଦୀର୍ଘ ବର୍ଷ ପରେ ଏଭଳି ଦୃଶ୍ୟ ଦେଖାଦେଇଥିବା ଯୋଗୁଁ ଲୋକେ ବି ଏହାର ଖୁବ୍ ମଜା ଉଠାଇଥିଲେ । କେବଳ ମାଲକାନଗିରି ନୁହେଁ ସମଗ୍ର ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । କୁହୁଡି ସାଂଗକୁ ପ୍ରବଳ ଥଣ୍ଡା ଯୋଗୁଁ ସହରର ଜୀବନଯାତ୍ରା ହ୍ରାସ ପାଇଥିଲା । ଘନ କୁହୁଡି ସାଂଗକୁ ପ୍ରବଳ ଶୀତକୁ ଭୟ ନକରି କିଛି ଲୋକ ସକାଳୁ ପ୍ରାତଃ ଭ୍ରମଣରେ ବାହାରିଥିବା ଦେଖାଯାଇଥିଲା । ଦୀର୍ଘ ସମୟ ଧରି କୁହୁଡି ରହିଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଭଳିକି ସହରରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଆଜିର ପାଗକୁ ଦେଖି ସ୍ଥାନୀୟ ଦୁର୍ଗା ରାଓ କୁହନ୍ତି ସେ ପିଲା ଦିନରୁ ଏଭଳି ପାଗ କେବେ ଦେଖିନଥିଲେ। ମାଲକାନଗିରିରେ ପ୍ରଥମ ଥର ଏଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଥିଲା। ଏହାର ଭରପୁର ମଜା ନେଉଛୁ। ସେହିପରି ବାପି ପରିଡା, ବାପି ବେଉରା ପ୍ରମୁଖ ଏହି ପାଗରେ ପ୍ରାତଃ ଭ୍ରମଣର ମଜା ନିଆରା ବୋଲି ପ୍ରକାଶ କରିଥିଲେ।

ଶୀତୁଆ ପାଗ ଦେଖି ଲୋକେ ଚା’ର ମଜା ଉଠାଇଥିଲେ । ସହରର ବିଭିନ୍ନ ଚା’ ଦୋକାନରେ ପ୍ରବଳ ଭିଡ଼ ଜମିଥିଲା । ପାଗ ସହ ଚା’ ବିକ୍ରି ବଢ଼ିଥିବା ଯୋଗୁଁ ଚା’ ଦୋକାନୀ ବାଲା ବିଜୟ ବି ବେଶ୍ ଖୁସି ଜାହିର କରିବା ସହ ଏଭଳି ପାଗ ପ୍ରତିଦିନ ହେଉ । ସହରର ମହିଳାମାନେ ବି ଘରୁ ବାହାରି କୁହୁଡିଆ ପାଗର ମଜା ନେବା ସହ ଫଟୋ ଉଠାଇଥିଲେ । ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲା ଅସହ୍ୟ ଗରମ ପାଇଁ ବେଶ ପରିଚିତ। ଆଜି ଅଚାନକ ଏଭଳି କୁହୁଡି ସାଂଗକୁ ଥଣ୍ଡାର ପ୍ରକୋପକୁ ଦେଖି ଲୋକେ ମନଭରି ଉପଭୋଗ କରିଥିଲେ । ତେବେ ଗରିବ ଓ ଖଟିଖିଆମାନେ ବହୁ ହଇରାଣ ହେଇଥିଲେ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ବସିଥିବା ଦେଖିବାକୁ ମିଳିଥିଲା।

ସେହିଭଳି କାଲିମେଳା ଅଞ୍ଚଳରେ ମଧ୍ୟ ଆଜି ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଭୋର ୫ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହିଥିଲା। ଏଥି ଯୋଗୁଁ ରାସ୍ତାରେ ଯାନବାହନ ଦେଖାଯାଉନଥିବାରୁ ଗାଡ଼ି ଚଳାଚଳରେ ଅସୁବିଧା ହେଉଥିଲା। କୁହୁଡ଼ି ଏତେ ପ୍ରବଳ ମାତ୍ରାରେ ବ୍ୟାପୀ ଯାଇଥିଲା ଯେ ରାସ୍ତାଘାଟ, ଦୋକାନ ବଜାର କିଛି ଦେଖାଯାଉନଥିଲା। କେବଳ ଏକ ଧଳା ଆସ୍ତରଣ ଦୃଶ୍ୟମାନ ହେଉଥିଲା। କୁହୁଡ଼ି ସହିତ ଶୀତ ଅନୁଭୂତ ହେଉଥିବାରୁ ସକାଳୁ ରାସ୍ତାଘାଟ ଶୂନଶାନ ହୋଇପଡ଼ିଥିଲା। ଲୋକମାନେ ସକାଳୁ କାଠ ଜାଳି ନିଆଁ ପୁଆଁଉଥିବା ଦେଖିବାକୁ ମିଳିଛି। ଦୁଇ ଦିନ ତଳେ କାଲିମେଳା ଅଞ୍ଚଳରେ ମେଘୁଆ ପାଗ ଲାଗି ରହିଥିବାବେଳେ ଆଜି କୁହୁଡ଼ି ପଡ଼ିଥିଲା। କାଲିମେଳା ଅଞ୍ଚଳରେ ଦୁଇ ଦିନ ହେଲା ଶୀତ ଅନୁଭୂତ ହେଉଥିବାରୁ ଶୀତବସ୍ତ୍ରର ବିକ୍ରୀ ମଧୢ ବୃଦ୍ଧି ପାଇଥିଲା। ଲୋକମାନେ ସକାଳୁ ସକାଳୁ ପ୍ରାତଃ ଭ୍ରମଣ କରି ଶୀତର ମଜା ନେଉଥିଲେ।

ସମ୍ବନ୍ଧିତ ଖବର