ପ୍ରବଳ ଶୀତ: ସୂର୍ଯ୍ୟକିରଣର ରହୁନି ପ୍ରଭାବ, ମାଲକାନଗିରିରେ ପ୍ରାତଃ ଭ୍ରମଣରେ ଯାଉ ନାହାନ୍ତି ବରିଷ୍ଠ ନାଗରିକ

ମାଲକାନଗିରି: ସମଗ୍ର ରାଜ୍ୟ ସମେତ ମାଲକାନଗିରି ଜିଲ୍ଲାରେ ଏବେ ଶୀତର ପ୍ରକୋପ ଆଶାତିତ ବଢିଯାଇଛି। ଗତ ତିନି ଚାରି ଦିନ ହେଲା ଲୋକେ ସକାଳୁ ଓ ସଂଧ୍ୟାରେ ଘରୁ ପଦାକୁ ବାହାରିବା ପାଇଁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି। ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ସହରର ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ବସିଥିବା ଦେଖିବାକୁ ମିଳୁଛି। ବିଶେଷକରି ବୟୋଜ୍ୟେଷ୍ଠମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘରୁ ପଦାକୁ ବାହାରୁ ନାହାନ୍ତି। ସମସ୍ତେ କମ୍ବଳ ଘୋଡାଇ ହୋଲ ଦିନ ୯ଟା ପର୍ଯ୍ୟନ୍ତ ଘରେ ରହୁଥିବା ଦେଖିବାକୁ ମିଳିଛି। କିନ୍ତୁ ଯୁବକମାନେ ସକାଳୁ ଉଠି ସ୍ଥାନୀୟ ପଡିଆ ଗୁଡିକରେ ବ୍ୟାୟାମ କରିବା ସହ ନିଜକୁ ଗରମ କରିବା ପାଇଁ ଦୌଡକୁଦ କରୁଥିବା ଦେଖିବାକୁ ମିଳିଛି। ପ୍ରାତଃ ଭ୍ରମ କରିବାକୁ ଯାଉଥିବା ଲୋକେ ଆଉ ପ୍ରାତଃ ଭ୍ରମଣ ଛାଡି ଦେଇଛନ୍ତି। ଦିନ ୯ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖାଯାଉନଥିବା ବେଳେ ପ୍ରବଳ ଜାଡ ଅନୁଭୁତି ହେଉଛି।

କେବଳ ମାଲକାନଗିରି ନୁହେଁ ଜିଲ୍ଲାର ସାତୋଟି ବ୍ଲକରେ ଏଭଳି ଜାଡ ଅନୁଭୂତ ହେଉଛି। ଗତ ନଭେମ୍ବରରେ ଶୀତ ନଥିବା ବେଳେ ଡିସେମ୍ବରର ଶେଷ ଆଡକୁ ହଠାତ ଶୀତ ବଢିଯିବାରୁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଲେଣି। ତେବେ ଏଭଳି ଜାଡ କେବେ ଜିଲ୍ଲାବାସୀ ଅନୁଭୁତ କରିନଥିବା ସ୍ଥାନୀୟ ଲୋକେ କହନ୍ତି। ଦୀର୍ଘ ବର୍ଷ ପରେ ଜିଲ୍ଲାରେ ଏଭଲି ହାଡଭଙ୍ଗା ଶୀତ ଅନୁଭୁତ ହେଉଛି।

ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ କେବଳ ଡିସେମ୍ବର ଏବଂ ଜାନୁଆରି ମାସରେ ହିଁ ଶୀତର ପ୍ରକୋପ ରହିଥିଲେ ମଧ୍ୟ ଜିଲ୍ଲାରେ ସେଭଳି ଶୀତ ହୋଇନଥାଏଯ କିନ୍ତୁ ଚଳିତ ବର୍ଷ ପ୍ରବଳ ଶୀତ ଲୋକେ ଅନୁଭବ କରିଛନ୍ତିଯ ତାପରେ ଜିଲ୍ଲାରେ ପ୍ରଚଣ୍ଡ ଗରମ ହୋଇଥାଏ। କୋରାପୁଟ ଭଳି ଜିଲ୍ଲାରେ ମାର୍ଚ୍ଚ ପର୍ଯ୍ୟନ୍ତ ଶୀତର ଲହରି ରହିଥାଏ। କିନ୍ତୁ ଜିଲ୍ଲାବାସୀ ଶୀତ ଅପେକ୍ଷା ବର୍ଷସାରା ଗରମ ହିଁ ଅନୁଭବ କରିଥାନ୍ତି। ଶୀତ ଋତୁରେ ମଧ୍ୟ ଫ୍ୟାନ ଲଗାଇ ଶୋଇଥାନ୍ତି। ଯେଭଳି ସ୍ଥାନୀୟ ପଡିଆଗୁଡିକରେ ଲୋକଙ୍କର ଭିଡ ଦେଖିବାକୁ ମିଳୁଥିଲା। ତାହା ଆଉ ନାହିଁ। ଲୋକେ ସକାଳୁ ଏବଂ ସଂଧ୍ୟାରେ ଘରୁ ପଦାକୁ ବାହାରିବାକୁ ପସନ୍ଦ କରୁନଥିବା ଦେଖିବାକୁ ମିଳିଛି। ସଂଧ୍ୟା ହେଲେ ସହର ଖାଁ ଖାଁ ହୋଇଯାଉଛି।

ବିଶେଷକରି ଗରିବ ଲୋକଙ୍କ ଉପରେ ବେଶୀ ପ୍ରଭାବ ପକାଉଛି। ଲୋକେ ଶୀତରେ ରାତି ତମାମ ନିଆଁ ଲଗାଇ ବସୁଥିବା ଦେଖିବାକୁ ମିଳିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପାଖରେ କମ୍ବଳ ନଥିବାରୁ ଲୋକେ ରାତିରେ ଶୋଇପାରୁନଥିବା ଲକ୍ଷ୍ୟ କରାଯାଇଛି। ସ୍ଲମ ଅଂଚଳରେ ପ୍ରଶାସନ ତରଫରୁ କମ୍ବଳ ବଣ୍ଟନ କରାଗଲେ ଏହି ଗରିବ ପରିବାରର ପିଲା ଓ ବୃଦ୍ଧ ଏହି ହାଡଭଙ୍ଗା ଜାଡରୁ ମୁକ୍ତି ପାଇପାରନ୍ତେ ବୋଲି କୁହାଯାଇଛି। ପ୍ରତିବର୍ଷ ବିଭିନ୍ନ ସଂଗଠନ ଏବଂ ବଦାନ୍ୟ ବ୍ୟକ୍ତିମାନେ ବସ୍ତି ଅଂଚଳରେ କମ୍ବଳ ବଣ୍ଟନ କରୁଥିଲେ ମଧ୍ୟ ଚଳିତ ବର୍ଷ ସେଭଳି କୌଣସି ଦୃଶ୍ୟ ଦେଖିବାକୁ ମିଳିନାହିଁ। ତେବେ ତୁରନ୍ତ ପ୍ରଶାସନ ତରଫରୁ ଏଭଳି ପଦକ୍ଷେପ ନେବା ଦରକାର ବୋଲି ବୁଦ୍ଧିଜୀବୀ ମହଲେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର