ଭୁବନେଶ୍ବର: ରାଜ୍ୟରେ ଆଗାମୀ ଦୁଇରୁ ତିନିଦିନ ପ୍ରବଳ ଶୀତ ହେବ। ରାତିର ତାପମାତ୍ରା ଆହୁରି ନିମ୍ନଗାମୀ ହେବ। ସୂର୍ଯ୍ୟ କିରଣ ପ୍ରଖର ରହିବ ନାହିଁ। ତେଣୁ ମୁକାବିଲା ପାଇଁ ଲୋକଙ୍କୁ ସତର୍କ ରହିବାକୁ। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ସ୍ବତନ୍ତ୍ର ରିଲିଫ କମିସନର (ଏସ୍ଆରସି) ସତର୍କ ସୂଚନା ଜାରି କରିଛନ୍ତି। ଏସ୍ଆରସି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ପୌରପାଳିକା କମିସନରଙ୍କୁ ଚିଠି ଲେଖାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, କିଛି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଯେଉଁ ଜିଲ୍ଲାଗୁଡ଼ିକରେ ପ୍ରବଳ ଶୀତ ହେବାର ଅଛି, ସେଠାକାର ଲୋକେ ରାତି ସମୟରେ ଦୁଇ ଚକିଆ ଯାନରେ ବାହାରକୁ ନଗଲେ ଭଲ।
ଏସ୍ଆରସି ପକ୍ଷରୁ କୁହାଯାଇଛି ଯେ, ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ୭ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ଶୀତ ହେବ। ସେହିପରି ୮ ତାରିଖ ରାତି ଓ ୯ତାରିଖ ସକାଳୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ଶୀତ ଅନୁଭୂତ ହେବ। ଏହି ସବୁ ଜିଲ୍ଲାଗୁଡ଼ିକୁ ଆଇଏମ୍ଡି ପକ୍ଷରୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ଥଣ୍ଡା ଯୋଗୁଁ ସାଧାରଣ ଜୀବନ ପ୍ରବାଭିତ ହେବାର ଆଶଙ୍କା ରହିଛି।
ଯେଉଁ ସବୁ ଜିଲ୍ଲାଗୁଡ଼ିକ ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି, ସେଠାରେ ଲୋକେ ରାତି ଓ ସକାଳ ସମୟରେ ଘର ଭିତରେ ରହିଲେ ଭଲ ଦୁଇଚିକିଆ ଓ ଓପନ କାରରେ ଯାତାୟତ ନକରିବା ଭଲ।
ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସାରା ରାଜ୍ୟ। ୨/୩ ଦିନ ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରି କମିବ। ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭ ତାରିଖ ସକାଳ ସାଢ଼େ ୮ଟାରୁ ୮ ତାରିଖ ସକାଳ ସାଢ଼େ ୮ଟା ଯାଏ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହେବାର ସମ୍ଭାବନା ରହିଛି।
ଏଣେ ୮ ତାରିଖ ସକାଳ ସାଢ଼େ ୮ଟାରୁ ୯ ତାରିଖ ସକାଳ ସାଢ଼େ ୮ଟା ଯାଏ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ।
କିନ୍ତୁ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଭିନ୍ନ କଥା କହିଛନ୍ତି। ତାଙ୍କ ଆକଳନ କହୁଛି, ଆସନ୍ତା ୮ତାରିଖରୁ ରାଜ୍ୟରେ ଶୀତ କମିବ। ଏହାପରେ ସପ୍ତାହେ ପର୍ଯ୍ୟନ୍ତ ଶୀତ ବଢ଼ିବାର ସମ୍ଭାବନା ନାହିଁ। ଦିନର ତାପମାତ୍ରା ମଧ୍ୟ ବଢ଼ିବ। ପାଗ ଶୁଖିଲା ଓ ଖରାଟିଆ ରହିବ। ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବାୟୁର ଆର୍ଦ୍ରତା ବଢ଼ିବା ସହିତ କୁହୁଡ଼ି ହେବ। ଭୁବନେଶ୍ବର ସମେତ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ୧ରୁ ୧୦ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ରୁ ୪ଡିଗ୍ରି ବଢ଼ିବ। ଦକ୍ଷିଣ ଆଭ୍ୟନ୍ତରରେ ୮ରୁ କ୍ରମଶଃ ବୃଦ୍ଧି ହୋଇ ୧୨ତାରିଖ ସୁଦ୍ଧା ତାପମାତ୍ରା ୪ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ଉପକୂଳରେ ୯ ତାରିଖ ପରେ ପୁଣି ତାପମାତ୍ରା ବଢ଼ିବ। ୧୩ ସୁଦ୍ଧା ପାରଦ ୩ରୁ ୪ଡିଗ୍ରି ବଢ଼ିପାରେ। କିନ୍ତୁ ଉତ୍ତର ଆଭ୍ୟନ୍ତରରେ ୯ ତାରିଖ ପରେ ତାପମାତ୍ରା ବଢ଼ିବାର ସମ୍ଭାବନା ପ୍ରାୟ ନାହିଁ। ଉପକୂଳ ଓ ସଂଲଗ୍ନ ଜିଲ୍ଲା ସହ ରାଜ୍ୟର ଅନେକ ଜିଲ୍ଲାରେ ୮ ତାରିଖରୁ କୁହୁଡ଼ି ପଡ଼ିବ। ୧୧ରୁ ୧୫ ତାରିଖ ଭିତରେ କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।