ଥରୁଛି ଉତ୍ତର ଓଡ଼ିଶା
୭ ଡିଗ୍ର୍ରିକୁ ଖସିଲା କେନ୍ଦୁଝର, ୧୦ ଡିଗ୍ରି ତଳେ ୧୦ ସହର, କଟକ ଓ ଭୁବନେଶ୍ବର ବି ଅସ୍ତବ୍ୟସ୍ତ
ଭୁବନେଶ୍ବର : ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ପରେ ଥରୁଛି ଉତ୍ତର ଓଡ଼ିଶା। ସନ୍ଧ୍ୟା ହେବା କ୍ଷଣି ଲୋକେ ଘରୁ ବାହାରିବା ମୁସ୍କିଲ୍। ଯେଉଁମାନେ ବି ବାହାରୁଛନ୍ତି ସେମାନଙ୍କ ଦେହରେ ଶୀତବସ୍ତ୍ର ରହୁଛି। ରାତି ବଢ଼ିବା କ୍ଷଣି ଥଣ୍ଡାର ପ୍ରକୋପ ବି ବଢ଼ୁଛି। ମଧ୍ୟରାତି ବେଳକୁ ପାରଦ ସର୍ବନିମ୍ନ ସ୍ତରକୁ ଖସି ଆସୁଛି। ଥଣ୍ଡାରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଗକୁ ସ୍ଥିତି ଆହୁରି ସଙ୍ଗିନ ହେବ। ୨୬ ତାରିଖଠାରୁ ପାରଦ ଆହୁରି ତଳକୁ ଖସିବ। ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉତ୍ତର ଓଡ଼ିଶାରେ ଏବେ ତାପମାତ୍ରା ହାରାହାରିଠାରୁ ୪ରୁ ୫ଡିଗ୍ରି ପର୍ଯ୍ୟନ୍ତ କମ୍ ରହୁଛି। ଉତ୍ତର ଓଡ଼ିଶାରେ ଆହୁରି ପାରଦ ଖସିବ। ଅନୁଗୁଳ ଓ କନ୍ଧମାଳରେ କୁହୁଡ଼ି ପଡ଼ିବାର ବି ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଗତକାଲି ୭ଟି ସହର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଆଉ ଆଜି ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିଛି।
ବାଲେଶ୍ବରରେ ସ୍ଥିତି ଅଧିକ ସଙ୍ଗିନ ହୋଇଛି। ଏଠାରେ ଚଳିତବର୍ଷର ସର୍ବନିମ୍ନ ପାରଦ ୧୦ ଡିଗ୍ରି ତଳକୁ ଖସିଛି। ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇ ଗତକାଲି ରାତିରେ ୯ ଡିଗ୍ରିରେ ପହଞ୍ଚିଥିଲା। ସେପଟେ ଦାରିଙ୍ଗବାଡ଼ିକୁ ପଛରେ ପକାଇଛି କେନ୍ଦୁଝର। ଏଠାରେ ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୧ ଡିଗ୍ରି ରେକର୍ଡ କରାଯାଇଛି। ଚଳିତବର୍ଷ ପ୍ରଥମଥର ପାଇଁ ଜିଲ୍ଲାରେ ଏଭଳି ସ୍ଥିତି ଉପୁଜିଛି। ପାରଦ ଖସିବା ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ବାରିପଦା ଓ ଚାନ୍ଦବାଲିରେ ବି ସର୍ବନିମ୍ନ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ କମିଛି।
ଉପକୂଳ ଓଡ଼ିଶା ବି ପ୍ରବଳ ଥଣ୍ଡା। ପୁରୀ, ଗୋପାଳପୁର ସମୁଦ୍ରକୂଳ ଅଞ୍ଚଳକୁ ଛାଡ଼ି ଆଉ ସବୁଠି ପାରଦ ୨ ଡିଗ୍ରି ପର୍ଯ୍ୟନ୍ତ କମିଛି। ଭୁବନେଶ୍ବରରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୧୧.୧ ରେକର୍ଡ ହୋଇଛି। କଟକରେ ୧୦.୨ ଡିଗ୍ରି ରହିଥିଲା। କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଅନୁଗୁଳ, ଯାଜପୁର, ଭଦ୍ରକ ଜିଲ୍ଲାରେ ବି ପାରଦ ଲଗାତାର ଖସି ଚାଲିଛି। ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଏଭଳି ସ୍ଥିତି ଜାରି ରହିବ। ୨୬ ତାରିଖଠାରୁ ତାପମାତ୍ରା ଆହୁରି କମିବ। ଦୁଇ ଦିନ ମଧ୍ୟରେ ୪ ଡିଗ୍ରି ସେଲ୍ସିୟସ୍ ପର୍ଯ୍ୟନ୍ତ ଖସିପାରେ। ୨୬ ତାରିଖ ପରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରାୟ ଦୁଇରୁ ତିନି ଡିଗ୍ରି କମିବ। ପାଗ ମେଘୁଆ ରହିବ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର ସମେତ ଉପକୂଳ ଜିଲ୍ଲାରେ ହାରାହାରି ତାପମାତ୍ରା ୫ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି।