ଏଥର ଶୀତ ଡେରିରେ ଆସିବ, ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଥଣ୍ଡା ପଡ଼ିବ

ଏଥର ଫେବ୍ରୁଆରି ଶେଷ ଯାଏ ଶୀତ

ଭୁବ‌େନଶ୍ବର : ଚଳିତ ବର୍ଷ ମୌସୁମୀ ଜନିତ ବର୍ଷା ଯେପରି ବିଳମ୍ବରେ ଆରମ୍ଭ ହେଲା ଏବଂ ଅକ୍ଟୋବର ଶେଷ ସପ୍ତାହ ଯାଏ ଲାଗି ରହିଲା, ସେହିପରି ଶୀତ ମଧ୍ୟ ବିଳମ୍ବରେ ପଡ଼ିବ ଏବଂ ଫେବ୍ରୁଆରି ‌ଶେଷ ଯାଏ ଶୀତ ଲାଗି ରହିବ ବୋଲି ପାଣିପାଗ ‌ବିଶେଷଜ୍ଞମାନେ ଅନୁମାନ କଲେଣି।

ସ୍କାଏମେଟ୍‌ର ପୂର୍ବାନୁମାନ ଅନୁଯାୟୀ, ଏଥର ନଭେମ୍ବର ପ୍ରଥମ ସପ୍ତାହରୁ ଉତ୍ତର ଭାରତରେ ଥଣ୍ଡା ଅନୁଭୂତ ହେବାକୁ ଥିବାବେଳେ ଦ୍ବିତୀୟ ସପ୍ତାହରୁ ପ୍ରବଳ ଶୀତ ହେବ। ଏହାର ପ୍ରଭାବରେ ଉତ୍ତର ପୂର୍ବ ଦିଗରୁ ଥଣ୍ଡା ପବନ ବହିବ। ଆଉ ଓଡ଼ିଶାରେ ଥଣ୍ଡା ଅନୁଭୂତ ହେବ। ଏଥର ବର୍ଷା ଭଳି ଶୀତ ବି ବିଳମ୍ବ ଯାଏ ହେବ। ସାଧାରଣତଃ ଓଡ଼ିଶାରେ ଜାନୁଆରି ଶେଷ ସପ୍ତାହ ଯାଏ ଥଣ୍ଡା ଅନୁଭୂତ ହେଉଥିଲେ ହେଁ ଚଳିତବର୍ଷ ଫେବ୍ରୁଆରି ଶେଷ ଯାଏ ପ୍ରବଳ ଥଣ୍ଡା ଅନୁଭୂତ ହେବ।

ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଆକଳନ ଅନୁଯାୟୀ, ନଭେମ୍ବର ପ୍ରଥମ ସପ୍ତାହରୁ ରାତିରେ ପାରଦ ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ କମିବ। କିନ୍ତୁ ନଭେମ୍ବର ଦ୍ବିତୀୟ ସପ୍ତାହରୁ ବିଭିନ୍ନ ସ୍ଥାନରେ ପାରଦ ୩ରୁ ୬ଡିଗ୍ରି ପର୍ଯ୍ୟନ୍ତ ଖସିବ। ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ହେବ। ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶାରେ ପାରଦ ବି ସ୍ବାଭାବିକଠାରୁ ଅଧିକ ଖସିବ।

ସେହିପରି ଶ୍ରୀ ସାହୁଙ୍କ ଆକଳନ ଅନୁଯାୟୀ ନଭେମ୍ବର ୫ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆଉ ବର୍ଷା ସମ୍ଭାବନା ନାହିଁ। ଯଦିଓ କାଁ ଭାଁ ବର୍ଷା ହୋଇପାରେ କିନ୍ତୁ ଲଗାଣ ବର୍ଷା ହେବନାହିଁ। ଦୀପାବଳି ଦିନ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।

ଏପଟେ କିନ୍ତୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ଆକଳନ କରିଛି ଯେ, ଦୀପାବଳି ଦିନ ଅର୍ଥାତ୍ ରବିବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଧା, କଟକ, ମୟୂରଭଞ୍ଜ ଏବଂ ନବରଙ୍ଗପୁରର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଥିପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅପରପକ୍ଷେ ଆଜି ଦାରିଙ୍ଗବାଡ଼ିରେ ସର୍ବାଧିକ ୩୮ମିମି ବର୍ଷା ହୋଇଥିବା ବେଳେ କୋରାପୁଟରେ ୧୬ମିମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର