ଖସୁଛି ରାତି ଓ ଦିନର ପାରଦ

ଦାରିଙ୍ଗିବାଡ଼ିରେ ୧୩°, ବାଲେଶ୍ୱରରେ ୧୪°

ଭୁବନେଶ୍ୱର : ସାରା ଓଡ଼ିଶାରେ ଏବେ ଶୀତର ରାଜୁତି। ରାତି ସହିତ ଦିନର ପାରଦ ଖସୁଛି। ଉତ୍ତର ପଶ୍ଚିମ ଦିଗରୁ ବହୁଛି ଥଣ୍ଡା ପବନ। ସେହି ପବନ ଦେହକୁ କାଲୁଆ କରିଦେଉଛି। ଆଉ ଦୁଇଦିନ ଭିତରେ ସର୍ବନିମ୍ନ ତାପମାତ୍ରା ଆଉ ୨° ତଳକୁ ଖସିବ। ନଭେମ୍ବର ୩୦ ସୁଦ୍ଧା ୪° ପର୍ଯ୍ୟନ୍ତ ପାରଦ ତଳକୁ ଖସିପାରେ। ବର୍ତମାନ ଉପକୂଳବର୍ତୀ ଅଧିକାଂଶ ସ୍ଥାନରେ ଶୀତ ସେତେଟା ଅନୁଭୂତ ହେଉନାହିଁ। କିନ୍ତୁ ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଏବେ ପ୍ରଚଣ୍ଡ ଥଣ୍ଡା।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ବୟାନ କରୁଛି ଯେ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ। ଫଳରେ ପାରଦ ତଳକୁ ଖସିବ। ୨୫ ସୁଦ୍ଧା ପାରଦ ୨° କମିବ ଓ ୩୦ ତାରିଖ ସୁଦ୍ଧା ୪° ପର୍ଯ୍ୟନ୍ତ କମିପାରେ। ଆଜି ଯେଉଁ ମାତ୍ରାରେ ସର୍ବନିମ୍ନ ତାପମାତ୍ରା କମିଛି, ସ୍ୱାଭାବିକ ପରିମାଣ ତୁଳନାରେ ଏହା ହାରାହାରି ୨ରୁ ୩°। ଅଧିକାଂଶ ସ୍ଥାନରେ ଏଭଳି ଧାରା ଦେଖିବାକୁ ମିଳିଛି। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ବର୍ତମାନ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଛି। ଥଣ୍ଡା ପବନ ସିଧାସଳଖ କେନ୍ଦ୍ରୀୟ ଭାରତ ଦେଇ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବେଶ କରୁଛି। ବର୍ତମାନ ସାମୁଦ୍ରିକ ବାୟୁର ଗତି ଅତ୍ୟନ୍ତ ମନ୍ଥର ଥିବାରୁ ଥଣ୍ଡା ପବନ ଉପକୂଳକୁ ପ୍ରବେଶ କରିବାରେ କୌଣସି ବାଧା ନାହିଁ।

ଆଜି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩° ସେଲ୍‌ସିୟସ ଥିବା ବେଳେ ହୀରାକୁଦରେ ୧୩.୩° ରେକର୍ଡ ହୋଇଛି। ସେହିପରି ବାରିପଦାରେ ୧୩.୮°, ବାଲେଶ୍ୱରରେ ୧୪°, କେନ୍ଦୁଝରରେ ୧୪.୪°, ଫୁଲବାଣୀରେ ୧୪.୬°, ସୁନ୍ଦରଗଡ଼ରେ ୧୫°, ଝାରସୁଗୁଡ଼ା, ଢେଙ୍କାନାଳରେ ୧୫.୬°, କଟକରେ ୧୬°, ସମ୍ବଲପୁରରେ ୧୬.୧°, ଭୁବନେଶ୍ୱର, ଅନୁଗୁଳ, ଚାନ୍ଦବାଲିରେ ୧୬.୬°, ତାଳଚେରରେ ୧୭.୩°, ଭବାନୀପାଟଣାରେ ୧୭.୫°, ବଲାଙ୍ଗୀରରେ ୧୮°, ପାରାଦୀପରେ ୧୮.୪°, କୋରାପୁଟ, ଟିଟିଲାଗଡ଼ରେ ୧୮.୫°, ସୋନପୁରରେ ୧୯°, ପୁରୀରେ ୧୯.୪°, ଗୋପାଳପୁରରେ ୧୯.୯° ରହିଛି। ଅନ୍ୟପକ୍ଷରେ ଉପକୂଳର ୫ଟି ସ୍ଥାନ ସମେତ ୧୫ଟି ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୩୦° ତଳେ ରହିଛି। ଆଜି ଦକ୍ଷିଣ ଆଭ୍ୟନ୍ତରୀଣ କିଛି ସ୍ଥାନରେ କୁହୁଡ଼ିଆ ସକାଳ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର