ଭୁବନେଶ୍ବର/ଫୁଲବାଣୀ/ଘୁ.ଉଦୟଗିରି/ଦାରିଙ୍ଗବାଡି : ସାରା ରାଜ୍ୟରେ ଅସମ୍ଭାଳ ଜାଡ଼। ପୂରା ଓଡ଼ିଶା ଥଣ୍ଡାରେ ଥରୁଛି। ରାତିରେ ପାର ୧୦ଡିଗ୍ରି ଉପରକୁ ଯାଉନି। ଉପକୂଳ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଥଣ୍ଡା ଏକରକମ କିଲବିଲ୍‌ କରିଦେଲାଣି। ଅସହ୍ୟ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ଆଶା କମ୍‌ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆଜି ୨୦ଟି ସହରରେ ପାରଦ ୧୦ଡିଗ୍ରି ତଳେ ରହିଛି। ଦାରିଙ୍ଗବାଡ଼ିରେ ପାରଦ ୨.୮କୁ ଖସି ଆସିଛି। ଫୁଲବାଣୀରେ ୩ଡିଗ୍ରି ଛୁଇଁଛି। ଦାରିଙ୍ଗବାଡ଼ିରେ ତୁଷାରପାତ ଲାଗି ରହିଥିବାବେଳେ ଆଉ ଦୁଇରୁ ତିନି ଦିନ ଏପରି ପାଗ ଲାଗି ରହିବ। ଅପରପକ୍ଷେ ସମୁଦ୍ରକୂଳିଆ ପାରଦୀପ, ପୁରୀ ଓ ଗୋପାଳପୁରରେ ଥଣ୍ଡା ଜୋର୍‌ ହେଉଛି। ପାରଦ ଯଥାକ୍ରମେ ୧୨.୨, ୧୨.୬ ଓ ୧୨ଡିଗ୍ରି ରହିଛି।

ରାଜ୍ୟରେ ଶୀତ ଲହରି ବହୁଥିବାବେଳେ ବାଲେଶ୍ବର, କଟକ, ଭୁବନେଶ୍ବର, ଅନୁଗୁଳ, ବାରିପଦା, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ତାଳଚେର, ଭବାନିପାଟଣା, ବଲାଙ୍ଗୀର, କୋରାପୁଟ, ଟିଟିଲାଗଡ଼, ମାଲକାନଗିରି, ସୋନପୁର, ଢେଙ୍କାନାଳରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ଅପରପକ୍ଷେ କ୍ରମାଗତ ଭାବେ କନ୍ଧମାଳ ଜିଲ୍ଲାରେ ପାରଦ ଖସିବାରେ ଲାଗିଛି। ପାରଦ ହ୍ରାସ ‌େଯାଗୁଁ ସ୍ଥାନୀୟ ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ତିନି ଚାରି ଦିନ ହେଲା ହାଡ଼ଭଙ୍ଗା ଶୀତ ପୂରା ଜିଲ୍ଲା ଥରୁଛି। ଆଜି ପାରଦ ୩ ଡିଗ୍ରି ତଳକୁ ଖସି ଆସିଛି। ଏପରିକି ବିଳମ୍ବିତ ରାତିରେ ଏବଂ ଭୋର୍‌ରେ ପାରଦ ୧ଡିଗ୍ରି ପର୍ଯ୍ୟନ୍ତ ଖସି ଆସୁଛି। ଓଡିଶାର ସବୁଠାରୁ ଥଣ୍ଡା ସହର କୁହାଯାଉଥିବା ଫୁଲବାଣୀରେ ତାପମାତ୍ରା ୩ ଡିଗ୍ରି ଥିବା ବେଳେ ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ପାରଦ ଖସି ୨.୮ରେ ପହଞ୍ଚିଛି। ଗତକାଲି ଭଳି ଫୁଲବାଣୀ, ବାଲିଗୁଡା,ଦାରିଙ୍ଗବାଡି,ଜି.ଉଦୟଗିରି, ବେଲଘର, ତୁମୁଡିବନ୍ଧ ଆଦି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି। ଏପରିକି ଫୁଲବାଣୀରେ ବାହାରେ ଥିବା କାର ଓ ବାଇକ ଉପରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଫୁଲବାଣୀ,ଦାରିଙ୍ଗବାଡି ବାଦ୍‌ ଦେଲେ ବାଲିଗୁଡା,ବେଲଘର,ତୁମୁଡିବନ୍ଧ,କୋଟଗଡ,ରାଇକିଆ,ଚକାପାଦ,ଫିରିଙ୍ଗିଆ, ରତଙ୍ଗ, ନୂଆପାଦର, ବାଲନ୍ଦାପଡ଼ା ଆଦି ଅଞ୍ଚଳରେ ତାପମାତ୍ରା ୩ରୁ ୫ ଡିଗ୍ରି ମଧ୍ୟରେ ରହିଛି। ଏସବୁ ଅଞ୍ଚଳରେ ପ୍ରବଳ ଶୀତ ମଧ୍ୟ ହେଉଛି। ଏହି ସବୁ ସ୍ଥାନରେ ଆହୁରି ସପ୍ତାହେ ଶୀତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅପରପକ୍ଷେ ସକାଳ ୧୦ଟା ପର୍ଯ୍ୟନ୍ତ ଶୀତ ଲାଗି ରହୁଥିବା ବେଳେ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ଲାଗି ରହୁଛି । ଯାହା ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି କରୁଛି। ଆଉ ଅପରାହ୍ନରେ ୩ଟାରୁ ଶୀତ ମାଡ଼ି ଆସୁଛି।