ଭୁବନେଶ୍ବର : ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ଲାଗି ରହିଛି ଥଣ୍ଡା। ଲଗାତାର ଭାବେ ପାରଦ ୫ ଡିଗ୍ରି ତଳେ ରହୁଛି। ଗତକାଲି ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଜି ୫ ଡିଗ୍ରିରେ ପହଞ୍ଚିଛି। ଫୁଲବାଣୀରେ ଥଣ୍ଡା ଅପରିବର୍ତ୍ତିତ ରହିଛି। ଆଜି ଏଠାରେ ୪.୫ ଡିଗ୍ରି ରହିଥିଲା। ଭୋର୍ ସମୟରେ ପ୍ରବଳ ଥଣ୍ଡା ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଦିନ ୧୦ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରି ପାରୁ ନାହାନ୍ତି। କେତେକ ସ୍ଥାନରେ କାକର ଓ ବରଫପାତ ହେଉଥିବାରୁ ସ୍ଥିତି ଆହୁରି ସାଙ୍ଘାତିକ ହୋଇପଡ଼ୁଛି।
ସେପଟେ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶା ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଛି। ରାତିର ତାପମାତ୍ରା ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ତିନି ଦିନ ହେଲା ୧୦ ଡିଗ୍ରି ତଳେ ରହୁଥିବା କଟକର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରିରେ ପହଞ୍ଚିଛି। ମାଲକାନଗିରିରେ ବି ପୁଣିଥରେ ୧୦ ଡିଗ୍ରିକୁ ବଢ଼ିଛି। ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟ, ଟିଟିଲାଗଡ଼ ପରି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇ ୮ରୁ ୯ ଡିଗ୍ରି ମଧ୍ୟରେ ରହିଛି। ସୋନପୁରରେ କିନ୍ତୁ ଆଜି ପାରଦ ୬.୬ ଡିଗ୍ରି ରହିଥିବାରୁ ଲୋକେ ଥଣ୍ଡାରେ ଅସ୍ତବ୍ୟସ୍ତ ହେଉଛନ୍ତି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗୁରୁବାର ଭୋର୍ ସମୟ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିବ। ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ସ୍ଥିତି ଅପରିବର୍ତ୍ତିତ ରହିବ। ରାତିର ତାପମାତ୍ରା ୬ ଡିଗ୍ରି ଭିତରେ ରହିବାର ସମ୍ଭାବନା ରହିଛି। ଏହାପରେ କିନ୍ତୁ ପରିସ୍ଥିତିରେ ଉନ୍ନତି ଆସିବ। ଏବେ ହାରାହାରି ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମ୍ ରହୁଛି। ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ୭ ତାରିଖ ପର୍ଯ୍ୟନ୍ତ ସ୍ଥିତିରେ ସେଭଳି ପରିବର୍ତ୍ତନ ହେବନି। ଦୁଇରୁ ତିନି ଡିଗ୍ରି ଏପାଖସେପାଖ ହୋଇପାରେ। ଏହାପରେ ତାପମାତ୍ରା ବୃଦ୍ଧି ପାଇବ। ଉତ୍ତର ଭାରତରେ ଥଣ୍ଡା ସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଥିବାରୁ ଓଡ଼ିଶାରେ ମଧ୍ୟ ତାପମାତ୍ରା ବଢ଼ିବ।