ନଭେମ୍ବର ମାସରୁ ରାଜ୍ୟରେ ଅନୁଭୂତ ହେବ ଶୀତ

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରଠାରୁ ଶ୍ରୀଲଙ୍କା ଉପକୂଳ ପର୍ଯ୍ୟନ୍ତ ଏକ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ବଳୟ ସୃଷ୍ଟି ହେବ। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ବରଂ କେରଳ, ତାମିଲନାଡ଼ୁ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅନ୍ୟପକ୍ଷରେ ନଭେମ୍ବର ମାସରୁ ରାଜ୍ୟରେ ଶୀତ ଅନୁଭୂତ ହେବ। ପ୍ରଥମ ସପ୍ତାହ ଶେଷ ବେଳକୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବ। ଦାରିଙ୍ଗବାଡ଼ି ସମେତ ଫୁଲବାଣୀ, କୋରାପୁଟରେ ପାରଦ ସର୍ବନିମ୍ନ ସ୍ତରକୁ ଖସି ଆସିବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ‌ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ୩୧ ତାରିଖ ବେଳକୁ ଉତ୍ତର ପଶ୍ଚିମ ଭାରତରେ ରହିଥିବା ଗୁରୁଚାପର ସିଧାସଳଖ ପବନ ରାଜ୍ୟକୁ ‌ବହିବ। ଫଳରେ ଅକ୍ଟୋବର ୩୧ରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା, ନଭେମ୍ବର ୧ରୁ ଭୁବନେଶ୍ବର ସମେତ ଉପକୂଳ ଓ ଉତ୍ତର ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା‌ ପ୍ରାୟ ଦେଢ଼ ଡିଗ୍ରି କମିବ। ତେବ‌େ ପରବର୍ତୀ ୫ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ। ୩୦ ଓ ୩୧ ତାରିଖରେ ଦକ୍ଷିଣ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିବ। ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଶ୍ରୀଲଙ୍କା ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ପରବର୍ତୀ ସମୟରେ ଘନୀଭୂତ ହୋଇ ବଙ୍ଗେପସାଗରର ପୂର୍ବରେ ଗତି କରିବ। ଫଳରେ ଥାଇଲାଣ୍ଡ, ମିଆଁମାର ଓ ଉତ୍ତରପୂର୍ବ ଭାରତରେ ପ୍ରବଳ ବର୍ଷା ହେବ। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। ଗୁରୁଚାପ ପବନ ହେତୁ ଓଡ଼ିଶାରେ ପାଗ ଶୁଖିଲା ଓ ଖରାଟିଆ ରହିବ।

ଆଜି ଦିନତମାମ ରାଜ୍ୟରେ ପାଗ ଶୁଖିଲା ରହିଥିଲା। କୋରାପୁଟ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ବି ସ୍ଥାନରେ ବର୍ଷା ହୋଇନାହିଁ। ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ରେ ୧୯.୧, ସୋନପୁର‌ରେ ୧୯.୪ ଡିଗ୍ରି ରେକର୍ଡ କରାଯାଇଛି। ଅନ୍ୟ ସମସ୍ତ ସ୍ଥାନରେ ପାରଦ ୨୦ ଡିଗ୍ରି ଉପରେ ରହିଥିଲା।

ସମ୍ବନ୍ଧିତ ଖବର