କୁହୁଡ଼ି ଯୋଗୁଁ ବଢ଼ୁନି ଥଣ୍ଡା

ଭୁବନେଶ୍ୱର : ରାଜ୍ୟର ଅନେକ ସ୍ଥାନରେ ଗତ ଦୁଇଦିନ ହେଲା କୁହୁଡ଼ି ସୃଷ୍ଟି ହେଉଛି। ତାପମାନରେ ତାରତମ୍ୟ ଯୋଗୁଁ ଦେଖାଦେଉଛି ଏଭଳି କୁହୁଡ଼ି। ଏହାର ପ୍ରଭାବରେ ପାରଦ ଆଉ ତଳକୁ ଖସୁନାହିଁ। ବରଂ ୧ରୁ ୨° ଯାଏଁ ବଢ଼ିଛି। ଏହା ସତ୍ତ୍ୱେ ଥଣ୍ଡାର ଅନୁଭୂତି ଏକପ୍ରକାର ସ୍ଥିର। ୧୯ ତାରିଖରେ ଫୁଲବାଣୀ ଥିଲା ରାଜ୍ୟର ଶୀତଳତମ ସ୍ଥାନ। ସେଦିନ ସର୍ବନିମ୍ନ ତାପମାତ୍ରା ଥିଲା ୪.୫°, ଏହି ଶୀତ ଋତୁର ସବୁଠାରୁ କମ୍‌ ତାପମାତ୍ରା। କିନ୍ତୁ ଗତକାଲି ସେଠାରେ ଥିଲା ୫° ଏବଂ ଆଜି ରେକର୍ଡ ହୋଇଛି ୫.୭° ସେଲ୍‌ସିୟସ। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆଜି ରାଜ୍ୟରେ ହାରାହାରି ସର୍ବନିମ୍ନ ତାପମାତ୍ରା ୯° ଏବଂ ସର୍ବୋଚ୍ଚ ୨୭°। ଏଭଳି ଥଣ୍ଡା(କମ୍‌ ବେଶି) ଆସନ୍ତା ୨୭ ତାରିଖ ଯାଏଁ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସୂଚନାନୁସାରେ ଫୁଲବାଣୀରେ ବର୍ତମାନ ସ୍ୱାଭାବିକ ସର୍ବନିମ୍ନ ତାପମାତ୍ରା ୭° ରହିବା କଥା। କିନ୍ତୁ ଏହାଠାରୁ କମ୍‌ ରହିଛି। ଜିଲ୍ଲାର କିଛି ଏପରି ସ୍ଥାନ ରହିଛି ଯେଉଁଠି ଥଣ୍ଡା ପ୍ରଭାବରେ କାକରରେ ଧଳା ଆସ୍ତରଣ(ଫ୍ରଷ୍ଟ୍‍) ଦେଖିବାକୁ ମିଳୁଛି। ସେସବୁ ସ୍ଥାନରେ ପାରଦ ୪ରୁ ୫° ହେଲେ ଏପରି ଦୃଶ୍ୟ ଦେଖିବାକୁ ମିଳିଥାଏ। କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଆସନ୍ତା ୨୮ ତାରିଖ ବେଳକୁ ଉତ୍ତର ପୁର୍ବ ଦିଗରୁ ପବନ ବହିବାର ସମ୍ଭାବନା ରହିଛି।

ଆଜି ୧୦° କିମ୍ବା ତା’ ତଳେ ରହିଥିବା ସ୍ଥାନଗୁଡ଼ିକ ହେଉଛି ଦାରିଙ୍ଗିବାଡ଼ି(୬°), କେନ୍ଦୁଝର(୯°), ଭବାନୀପାଟଣା(୯.୫°), ସୁନ୍ଦରଗଡ଼, କୋରାପୁଟ(୧୦°)। ଏହି ସ୍ଥାନଗୁଡ଼ିକ ଛାଡ଼ିଦେଲେ ଅନୁଗୁଳରେ ୧୦.୬°, ବଲାଙ୍ଗୀରରେ ୧୧.୨°, ଝାରସୁଗୁଡ଼ା, ସମ୍ବଲପୁରରେ ୧୧.୫°, ସୋନପୁରରେ ୧୧.୬°, ବାଲେଶ୍ୱରରେ ୧୧.୯°, ଟିଟିଲାଗଡ଼ରେ ୧୨°, ମାଲକାନଗିରିରେ ୧୨.୪°, କଟକରେ ୧୩.୪°, ଭୁବନେଶ୍ୱରରେ ୧୪.୨°, ବାରିପଦାରେ ୧୪.୨° ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର