ଆସନ୍ତା ୧୭ ତାରିଖଠାରୁ ରାଜ୍ୟରେ ବଢ଼ିବ ଶୀତ

ଦାରିଙ୍ଗବାଡ଼ିରେ ପାରଦ ୧୦ ତଳକୁ ଖସିଲା

ଭୁବନେଶ୍ବର : ଆସନ୍ତା ୧୭ତାରିଖଠାରୁ ଶୀତ ବଢ଼ିବ। ରାତିର ତାପମାତ୍ରା ଆହୁରି କମିବ। ଏକାଧିକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିବ। ଏବେ ଯେତିକି ତାପମାତ୍ରା ରହୁଛି, ତା’ଠାରୁ ୨ରୁ ୩ ଡିଗ୍ରି କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୩ ଦିନ ଭିତରେ ଦାରିଙ୍ଗବାଡ଼ି ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଗତ ୨୪ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ଼ କରାଯାଇଥିବାବେଳେ ଫୁଲବାଣୀରେ ୧୨, ଟିଟିଲାଗଡ଼ରେ ୧୩.୧, କେନ୍ଦୁଝରରେ ୧୪.୪, ଝାରସୁଗୁଡ଼ାରେ ୧୪.୬, କୋରାପୁଟରେ ୧୪.୬, ସମ୍ବଲପୁରରେ ୧୪.୮ ଡିଗ୍ରି ରହିଛି।

ଦାରିଙ୍ଗବାଡ଼ିରେ ପାରଦ ୧୦ ତଳକୁ ଖସିଲା

www.newindianexpress.com

ଦାରିଙ୍ଗବାଡ଼ି : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ କିଛିଦିନ ହେବ ତାପମାତ୍ରା କ୍ରମଶଃ ହ୍ରାସ ପାଉଛି। ଆଜି ପାରଦ ଏ ବର୍ଷର ସର୍ବନିମ୍ନ ୯.୫ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସିଛି। ୧୨ ତାରିଖରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲ୍‌ସିୟସ ଥିଲାବେଳେ ୧୩ ଓ ୧୪ତାରିଖ ଦିନ ୨.୫ ଡିଗ୍ରୀ ସେଲ୍‌ସିୟସ ହ୍ରାସ ପାଇ ୧୦ ଡିଗ୍ରୀ ସେଲ୍‌ସିୟସ ହୋଇଥିଲା। ଆଜି ପୁଣି ୦.୫ ଡିଗ୍ରୀ ହ୍ରାସ ପାଇଛି। ତିନି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲ୍‌ସିୟସ ହ୍ରାସ ପାଇଥିବାରୁ ଶୀତର ପ୍ରକୋପ ବଢ଼ିଛି। ଫଳରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି। ଏହାଛଡ଼ା ଆଖପାଖର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ ହୋଇଛି। ଏବେ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ମିଡ଼ିଉବାନ୍ଧା ଜଳପ୍ରପାତ, ଲଭର୍ସ ପଏଣ୍ଟ, ସାଇଲେଣ୍ଟ୍‌ ଭ୍ୟାଲି, କଫି ବଗିଚା, ଝାଉଁବଣ, ହିଲ୍‌ଭିୟୁ, ପ୍ରାକୃତିକ ଉଦ୍ୟାନ ଓ ଏମୁପକ୍ଷୀ ପାର୍କରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି। ପର୍ଯ୍ୟଟକଙ୍କୁ ସୁହାଇଲା ଭଳି ପାଗ ରହିଥିବାରୁ ଚଳିତ ବର୍ଷ ପର୍ଯ୍ୟଟନ ଋତୁରେ ଭିଡ଼ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଏ ବର୍ଷ ଶୀତ ଡେରିରେ ଆସିଥିଲେ ମଧ୍ୟ ପ୍ରକୋପ ଆଗକୁ ଆହୁରି ବଢ଼ିବ ଓ ପାରଦ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଶୀତରୁ ମୁକ୍ତି ପାଇବା ପାଇଁ ଗ୍ରାମାଞ୍ଚଳରେ ଗାଁ ଦାଣ୍ଡ ଓ ରାସ୍ତା କଡ଼ରେ ନିଆଁ ଜଳାଇ ଚାରି ପାଖରେ ଲୋକେ ବସୁଥିବା ଦେଖିବାକୁ ମିଳିଛି। ଶୀତ ଯୋଗୁଁ ସକାଳୁଆ ଦୂରଦୂରାନ୍ତକୁ ଯିବା କଷ୍ଟକର ହେଉଛି।

ସମ୍ବନ୍ଧିତ ଖବର