ଶୀତ ବଢ଼ିଲା; ୧୦ ଡିଗ୍ରି ତ‌ଳେ ସୋନପୁର

ଭୁବନେଶ୍ୱର : ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଦ୍ରୁତଗତିରେ ହ୍ରାସ ପାଉଛି। ଗତ କିଛି ଦିନ ମଧ୍ୟରେ ଏଠାକାର ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସି ଯାଇଛି। ଫଳରେ ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଆଗୁଆ ଜାଡ଼ ପଡ଼ିବା ଆରମ୍ଭ ହୋଇଗଲାଣି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା‌ରେ ସୋନପୁରଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୧୦.୫, ଅନୁଗୁଳରେ ୧୧.୦, କୋରାପୁଟ‌‌‌ରେ ୧୧.୬, ଭବାନୀପାଟଣାରେ ୧୨.୨, ଝାରସୁଗୁଡ଼ାରେ ୧୩.୦, କେନ୍ଦୁଝରରେ ୧୩.୮, ବାରିପଦାରେ ୧୪.୨, ବଲାଙ୍ଗୀର‌ରେ ୧୪.୬ ଓ ସମ୍ବଲପୁରରେ ୧୪.୭ ଡିଗ୍ରି ରେକର୍ଡ କରାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରେ ରହିଛି। ଭୁବନେଶ୍ବରର ସର୍ବନିମ୍ନ ୧୮.୦ ଡିଗ୍ରି ଓ କଟକ‌ରେ ସର୍ବନିମ୍ନ ୧୬.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବାକି ଜିଲ୍ଲାଗୁଡ଼ିକର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି କମ୍‌ ରହିଥିବା ଦେଖିବାକୁ ମିଳିଛି। ଫଳରେ ଏବେ ସାରା ରାଜ୍ୟରେ ଥଣ୍ଡା ଅନୁଭୂତ ହୋଇଗଲାଣି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ଓ ଖରାଟିଆ ରହିବ। ୧୧ ଓ ୧୨ ତାରିଖ ଦିନ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଏଥିସହ ୧୨ତାରିଖ ଦିନ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ସୀମାନ୍ତ ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ ଓ ରାୟଗଡ଼ାର କିଛି କିଛି ଅଞ୍ଚଳରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାକୁ ପୂର୍ବା ତରଙ୍ଗାୟିତ ପବନ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ୧୧ ଓ ୧୨ତାରିଖରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ଓ ଏହିଭଳି ଭାବେ ହାଲ୍‌କା ବର୍ଷାର ସମ୍ଭାବନା ରହିଛି ବୋଲି ଶ୍ରୀ ବିଶ୍ବାସ କହିଛନ୍ତି। ଏବେ ସର୍ବନିମ୍ନ ତାପମାତ୍ରାରେ ଆଉ ପରିବର୍ତ୍ତନ ଦେଖାଯିବ ନାହିଁ। ସେହିପରି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ଆଉ ବିଶେଷ ହ୍ରାସ ପାଇବାର ସମ୍ଭାବନା ନଥିବା ବେଳେ ଉପକୂଳରେ ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ପାରଦ ସ୍ତର ଖସିପାରେ। ୧୧ ତାରିଖରୁ ପୂର୍ବା ତରଙ୍ଗାୟିତ ପବନର ପ୍ରବାହ ତଥା ମେଘୁଆ ପାଗ ଯୋଗୁଁ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଫଳରେ ଶୀତ କମିବ ଓ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ହୋଇଯିବ।

ସମ୍ବନ୍ଧିତ ଖବର