ଆଜିଠାରୁ ଶୀତ ଲହରୀ: ୪° ପର୍ଯ୍ୟନ୍ତ ଖସିପାରେ ପାରଦ

୧୦° ତଳେ ଦାରିଙ୍ଗିବାଡ଼ି, ଫୁଲବାଣୀ, କେନ୍ଦୁଝର, ଝାରସୁଗୁଡ଼ା

ଭୁବନେଶ୍ୱର : ଆକାଶ ଏବେ ନିର୍ମଳ, ମେଘମୁକ୍ତ। ବାୟୁମଣ୍ଡଳରେ ବି ଜଳୀୟବାଷ୍ପ ମାତ୍ରା କମ୍‌ ରହୁଛି। ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ବହୁଛି ଥଣ୍ଡା ପବନ। ଉତ୍ତର ପଶ୍ଚିମ ଦିଗରେ ଅବସ୍ଥିତ ରାଜସ୍ଥାନ, ଦିଲ୍ଲୀ, ପଞ୍ଜାବ, ହରିୟାଣା ଆଦି ରାଜ୍ୟଗୁଡ଼ିକ ଏବେ ଶୀତ ଲହରୀ କବଳିତ। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବି ଶୀତ ଲହରୀ ପରିସ୍ଥିତି ସୃଷ୍ଟି ହେବା ନେଇ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଆଜି ୧୦° ତଳକୁ ଖସିଛି ଦାରିଙ୍ଗିବାଡ଼ି, ଫୁଲବାଣୀ, କେନ୍ଦୁଝର, ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା। ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆସନ୍ତାକାଲିଠାରୁ ରାଜ୍ୟର ଅନେକ ସ୍ଥାନରେ ଶୀତ ଲହରୀ ପରିସ୍ଥିତି ସୃଷ୍ଟି ହେବ। ପାରଦ ଆହୁରି ୩ରୁ ୫° ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। ରାଜଧାନୀ ଭୁବନେଶ୍ୱର ବି ଶୀତ ଲହରୀରୁ ବାଦ୍‌ ପଡ଼ିବ ନାହିଁ।

ସୂଚନାନୁସାରେ ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ପରିମାଣଠାରୁ କମ୍‌ ରହିଛି। ସ୍ୱାଭାବିକ ତାପମାତ୍ରାଠାରୁ ଝାରସୁଗୁଡ଼ାରେ ୩° କମ୍‌ ରହିଛି। ଜଳୀୟବାଷ୍ପ ପରିମାଣ ବି ରହିଛି ୪୦ ପ୍ରତିଶତରୁ କମ୍‌। ଏହି ସମୟରେ ଉପକୂଳବର୍ତୀ ସ୍ଥାନଗୁଡ଼ିକରେ ତାପମାତ୍ରା ୧୫° ରହିବା କଥା। ଆଜି ଏଥିରୁ ବି କମ୍‌ ରହିଛି। ଭୁବନେଶ୍ୱରରେ ତାପମାତ୍ରା ୧୫.୩° ରହିଛି। ଆସନ୍ତାକାଲି ଏହା ୧୩°କୁ ଖସିବାର ସମ୍ଭାବନା ଅଧିକ। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିଛନ୍ତି ଯେ ଆସନ୍ତାକାଲି ଶୀତ ଲହରୀ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଶୀତ ଲହରୀ ପରିସ୍ଥିତି ନିମନ୍ତେ ସର୍ବନିମ୍ନ ତାପମାତ୍ରା ୪° ହ୍ରାସ ପାଇବା, ୧୫°ରୁ କମ୍‌ ତାପମାତ୍ରା, ସ୍ୱାଭାବିକ ତାପମାତ୍ରାଠାରୁ ଅନ୍ୟୂନ ୨ଟି ସ୍ଥାନରେ ୪°ରୁ ୬° ପର୍ଯ୍ୟନ୍ତ କମିବା ଭଳି ଅବସ୍ଥା ସୃଷ୍ଟି ହେଲେ ଶୀତ ଲହରୀ ପ୍ରବାହିତ ହେଉଛି ବୋଲି ବୁଝିବାକୁ ହେବ। ଆସନ୍ତାକାଲି ସେଭଳି ପରିସ୍ଥିତି ସୃଷ୍ଟି ହେବା ନିମନ୍ତେ ଅନୁକୂଳ ପାଗ ରହିଥିବା ଡ. ସାହୁ କହିଛନ୍ତି।

ଆଜି ରାଜ୍ୟର ୧୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫° ତଳେ ରହିଛି। ମାଲକାନଗିରିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୩୦°ରୁ କମିଛି। ଆଜି ଦାରିଙ୍ଗିବାଡ଼ିରେ ୯° ସେଲ୍‌ସିୟସ ଥିବା ବେଳେ ଫୁଲବାଣୀ ଓ ଝାରସୁଗୁଡ଼ାରେ ୯.୫° ଏବଂ କେନ୍ଦୁଝରରେ ୯.୯° ରହିଛି। ସୁନ୍ଦରଗଡ଼ରେ ୧୦°, ହୀରାକୁଦରେ ୧୦.୨°, ସମ୍ବଲପୁରରେ ୧୧°, ବାରିପଦାରେ ୧୧.୫°, ବାଲେଶ୍ୱରରେ ୧୧.୬°, କୋରାପୁଟ, ଅନୁଗୁଳରେ ୧୨°, ଭବାନୀପାଟଣାରେ ୧୨.୫°, ଢେଙ୍କାନାଳରେ ୧୨.୯°, ଚାନ୍ଦବାଲି, କଟକ, ତାଳଚେରରେ ୧୩°, ସୋନପୁରରେ ୧୩.୨°, ଟିଟିଲାଗଡ଼ରେ ୧୩.୫°, ବଲାଙ୍ଗୀରରେ ୧୪.୨° ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର