ଭୁବନେଶ୍ୱର: ଫେବ୍ରୁଆରି ମାସ ଆରମ୍ଭରୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବା ଶୀତ ଲହରୀ ଅବ୍ୟାହତ ରହିଛି। ଫଳରେ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଉତ୍ତର, ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକ ଠାରୁ ଆରମ୍ଭ କରି ପଶ୍ଚିମ ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରି ତଳକୁ ଖସି ଯାଇଛି। ଏବଂ ରାତ୍ରିର ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୨.୫ ଡିଗ୍ରି ମାଲକାନଗିରି ଠାରେ ଓ ସବିନିମ୍ନ ତାପମାତ୍ରା ୬ ଡିଗ୍ରି ଫୁଲବାଣୀ ଠାରେ ରେକର୍ଡ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଆସନ୍ତା ପାଞ୍ଚ ଦିନ ପାଇଁ ଓଡିଶାର ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ ଟି ଜିଲ୍ଲାରେ ପ୍ରବଳ ଶୀତ ଲହରୀ ପ୍ରବାହିତ ହେବା ସହ ଘନ କୁହୁଡ଼ି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
Today's #realized Station wise #Minimum temperature. pic.twitter.com/90wwEtUP5o
— Meteorological Centre, Bhubaneswar (@mcbbsr) February 9, 2021
ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଚେତାବନୀରେ କୁହାଯାଇଛି ଯେ ରାଜ୍ୟର କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ଶୀତ ଲହରୀ ପ୍ରବାହିତ ହେବାର ସମ୍ଭାବନା ଅଛି। ସେଥିପାଇଁ ଏହି ୩ଟି ଜିଲ୍ଲାକୁ ଚେତାବନୀ ସହ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ଏବଂ ଏହି ସମୟ ମଧ୍ୟରେ ଶିଶୁ, ବୃଦ୍ଧ ତଥା ରୋଗୀମାନଙ୍କୁ ଘରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେବା ସହ ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ଯାନବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।
ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ସଂପର୍କରେ ପୂର୍ବାନୁମାନ କରି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା (ରାତିର ତାପମାତ୍ରା) ରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ଏବଂ ଏହା ପରେ ଧୀରେ ଧୀରେ ଓଡିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ।
Realized #weather during past 24 hours over the districts of #Odishapic.twitter.com/B1ZZUBQGsa
— Meteorological Centre, Bhubaneswar (@mcbbsr) February 9, 2021
ଆଗାମୀ ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ଏବଂ କଟକର ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ଦିନର ସର୍ବାଧିକ ତାପମାତ୍ରା ୩୧ ଡିଗ୍ରି ଓ ରାତ୍ରିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ରହିବାର ସମ୍ଭାବନା ରହିଛି।