ଶୀତରେ ଥରୁଛି ସାରା ଓଡ଼ିଶା : ଆଉ ତିନି ଦିନ ପ୍ରବଳ ଥଣ୍ଡା, ୧୩ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ

ସୋନପୁରରେ ୪, କେନ୍ଦୁଝରରେ ୫.୬, ୧୧ଜିଲ୍ଲାରେ ୧୦ଂ ତଳେ ପାରଦ, ପଶ୍ଚିମ ଓଡ଼ିଶାରେ ତୁଷାରପାତ

ଭୁବନେଶ୍ବର : ଡିସେମ୍ବର ତୃତୀୟ ସପ୍ତାହ ଯାଏ ରାଜ୍ୟରୁ ଏକପ୍ରକାର ନିଖୋଜ ହୋଇ ଯାଇଥିଲା ଶୀତ। ମାତ୍ର ଗତ ଦୁଇ ତିନି ହେଲା ହଠାତ୍ ମାଡ଼ି ଆସିଛି ଭୟଙ୍କର ଜାଡ଼। ସାରା ଓଡ଼ିଶା ଶୀତରେ ଥରୁଛି। ଦୁଇଦିନ ଭିତ‌ରେ ପାରଦ ୩ରୁ ୪ଡିଗ୍ରି ଖସିଯିବାରୁ ରାଜ୍ୟର ଅଧିକାଂଶ ଅଞ୍ଚଳର ପ୍ରବଳ ଶୀତ ଅନୁଭୂତ ହେଉଛି। ଏପରିକି ରାଜ୍ୟର କେତେକ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ସତେ ଯେମିତି ନିଜର ଓଢ଼ଣିରେ ସାରା ଓଡ଼ିଶାକୁ ଘୋଡ଼ାଇ ଦେଇଛି ଶୀତ।

ଆଜି ପାରାଦୀପ ଓ ଗୋପାଳପୁରକୁ ଛାଡ଼ିଦେଲେ ସବୁଠି ପାରଦ ୧୦ଡିଗ୍ରି ପାଖାପାଖି ରହିଛି। ସୋନପୁରରେ ଚଳିତବର୍ଷର ସବୁଠୁ କମ୍‌ ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ପାରଦ ୪ଡିଗ୍ରି ଛୁଇଁଛି। ସୋନପୁର ଥଣ୍ଡା ଦାରିଙ୍ଗବାଡ଼ିକୁ ବି ଟପିଯାଇଛି। ଦାରିଙ୍ଗବାଡ଼ିରେ ପ୍ରତିବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ଛୁଉଁଥିବାବେଳେ ସୋନପୁର ଏଥର ସବୁ ରେକର୍ଡକୁ ଭାଙ୍ଗି‌ଦେଇଛି। ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ସୋନପୁର ଆଦି ଜିଲ୍ଲାର କେତେକ ସ୍ଥାନରେ ହାଲୁକା ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ଯେପରି ଶୀତ ଅନୁଭବ ହେଉଛି ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଏହିପରି ଥଣ୍ଡା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ରାତିରେ ଓ ରବିବାର ପ୍ରବଳ ଥଣ୍ଡା ହେବାକୁ ଥିବାରୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଉତ୍ତର ଓଡ଼ିଶାରେ ପ୍ରବଳ ତୁଷାରପାତ ହେଉଥିବାରୁ ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ ପବନ ବହୁଥିବାରୁ ଓଡ଼ିଶାରେ ପ୍ରବଳ ଥଣ୍ଡା ହେଉଛି। ସାରା ରାଜ୍ୟରେ ପ୍ରବଳ ଥଣ୍ଡା ହେଉଥିଲେ ହେଁ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅସହ୍ୟ ଶୀତ ହେଉଛି। ଆଜି ଦିନତମାମ୍ ରାଜ୍ୟରେ ପାଗ କୋହଲା ରହିବା ସହ ଥଣ୍ଡା ପବନ ବହୁଥିବାରୁ ଲୋକମାନେ ପ୍ରବଳ ଥଣ୍ଡା ଅନୁଭବ କରିଛନ୍ତି।

ରବିବାର ରାଜ୍ୟର ୧୩ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ପୂର୍ବାନୁମାନ ଅନୁଯାୟୀ ଆସନ୍ତାକାଲି ମଧ୍ୟ ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ରେ ପ୍ରବଳରୁ ଅତିପ୍ରବଳ ଥଣ୍ଡା ହେବ। ଏଥିପାଇଁ ପ୍ରଶାସନ ସଜାଗ ରହିବାକୁ କୁହାଯାଇଛି। ସେହିପରି ୩୦ ଓ ୩୧ତାରିଖରେ ବାଲେଶ୍ବର, କଟକ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜରେ ପ୍ରବଳ ଶୀତ ହେବ। ଏଥିପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ୧ତାରିଖରୁ ଶୀତ କିଛିଟା କମିବ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ୨ରୁ ବର୍ଷା ପରିମାଣ ବଢ଼ିବ। କିନ୍ତୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୧ରୁ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ନୂଆପଡ଼ା, ବରଗଡ଼ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୨ତାରିଖରୁ ରାଜ୍ୟର ଅନ୍ୟ ସ୍ଥାନରେ ବର୍ଷା ହେବ।

ଆଜି ୧୧ଟି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରି ତଳେ ରେକର୍ଡ ହୋଇଛି। ସୋନପୁରରେ ୪ଡିଗ୍ରି, କେନ୍ଦୁଝରରେ ୫.୬, ଝାରସୁଗୁଡ଼ାରେ ୫.୮, ଦାରିଙ୍ଗବାଡ଼ି ଓ ଟିଟିଲାଗଡ଼ରେ ୭, ସମ୍ବଲପୁରରେ ୭.୪, ବାଲେଶ୍ବରରେ ୭.୬, ଅନୁଗୁଳରେ ୮, ବାରିପଦାରେ ୮.୫, କଟକରେ ୯.୬, ହୀରାକୁଦରେ ୯.୮, ସୁନ୍ଦରଗଡ଼ ଓ ଭବାନିପାଟଣାରେ ୧୦, ବଲାଙ୍ଗୀରରେ ୧୦.୨, ତାଳଚେରରେ ୧୦.୪, ଫୁଲବାଣୀରେ ୧୦.୫, କୋରାପୁଟରେ ୧୦.୬, ଚାନ୍ଦବାଲିରେ ୧୧, ଭୁବନେଶ୍ବରରେ ୧୨, ପୁରୀରେ ୧୨.୨, ପାରାଦୀପରେ ୧୪.୨, ଗୋପାଳପୁରରେ ୧୭.୨ ଏବଂ ମାଲକାନଗିରିରେ ୧୮ଡିଗ୍ରି ରେକର୍ଡ ହୋଇଛି।

ରାଜ୍ୟରେ ଶୀତ ଲହରି ବହିବା ସହ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଯିବ। କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗୀରରେ ରବିବାର ଘନ କୁହୁଡ଼ି ପଡ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର