ରାଜ୍ୟକୁ ପୁଣି ଫେରିଲା ଶୀତ; କମିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଥରେ ଫେରିଛି ଶୀତ। ରାଜ୍ୟ ମଧ୍ୟକୁ ଉତ୍ତରା ଥଣ୍ଡା ଓ ଶୁଷ୍କ ପବନର ପ୍ରବାହ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଆସନ୍ତା କିଛି ଦିନ ପାଇଁ ଉତ୍ତରା ଥଣ୍ଡା ଓ ଶୁଷ୍କ ପବନ ଓଡ଼ିଶାକୁ ପ୍ରବାହିତ ହେଉଛି। ଫଳରେ ଆସନ୍ତା ୨ରୁ ୩ ଦିନରେ ରାଜ୍ୟର ତାପମାତ୍ରା କମିବା ଆରମ୍ଭ କରିବ। ଏପରିକି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ପାରଦ ଖସିପାରେ। ଆଜି (ବୁଧବାର) ସକାଳୁ ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଯାଇଛି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଏବେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିବା ବେଳେ ଆସନ୍ତା ୨ ଦିନ ମଧ୍ୟରେ ଏହି ତାପମାତ୍ରା ସ୍ୱାଭାବିକ ଠାରୁ ତଳକୁ ଖସିଯିବ। କିଛି କିଛି ସ୍ଥାନରେ ସର୍ବନିମ୍ନ ସ୍ୱାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ବି ରହିପାରେ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଦେଖାଯିବ।

ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଖୋର୍ଧା, କଟକ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଅନୁଗୁଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଖୋର୍ଧା, କଟକ, ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଧିକ ରହିଥିବାରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସମ୍ବନ୍ଧିତ ଖବର