ଭୁବନେଶ୍ୱର : ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ଶୀତ ଲହରି ମଧ୍ୟ ପ୍ରବାହିତ ହୋଇଥିବା ଜଣାପଡ଼ିଛି। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ସମତଳ ଅଞ୍ଚଳଗୁଡ଼ିକ ମଧ୍ୟରେ ଫୁଲବାଣୀରେ ୭ ଡିଗ୍ରି ଓ ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାରିଙ୍ଗବାଡ଼ିରେ ୭ ଡିଗ୍ରି ରେକର୍ଡ ହୋଇଛି। ‌କିରେଇରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଜି. ଉଦୟଗିରିରେ ମଧ୍ୟ ୭.୫ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି।

Advertisment

publive-image

ଝାରସୁଗୁଡ଼ା ଜିଲ୍ଲାର କେତେକ ଅଞ୍ଚଳରେ ଶୀତ ପ୍ରକୋପ ବଢ଼ିଥିଲା। ଗତ ୨୪ ଘଣ୍ଟାରେ ଗୋପାଳପୁର ସର୍ବନିମ୍ନ ତାପମାତ୍ରା ୪.୧ ଡିଗ୍ରି ଯାଏ ଖସିଥିବ‌ା ବେଳେ ନୟାଗଡ଼ରେ ୩ ଡିଗ୍ରି, ବାଲେଶ୍ବରରେ ୨.୪ ଡିଗ୍ରି, ଭୁବନେଶ୍ବରରେ ୨.୩ ଡିଗ୍ରି ଓ କଟକରେ ୧.୯ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ପାରଦସ୍ତରରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ୨ ଦିନ ରାଜ୍ୟରେ ଏହି ଭଳି ଶୀତ ଲାଗିରହିବ ଏହାପରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ଯାଏ ବୃଦ୍ଧିପାଇବ ଓ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୨ ଦିନ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ପଶ୍ଚିମା ଝଡ଼ର ପ୍ରଭାବରେ ୧୬ ତାରିଖରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ୪ ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି। କିନ୍ତୁ ୧୭ ତାରିଖରୁ ପୁଣି ରାଜ୍ୟରେ ପାଗ ଶୁଖିଲା ରହିବ।

publive-image Daily Bangladesh

କେନ୍ଦ୍ର ପକ୍ଷରୁ କୁହାଯାଇଛି, ଗତ ୨୪ ଘଣ୍ଟାରେ କିଛି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରାଠାରୁ ରାଜ୍ୟର ସ୍ବାଭାବିକ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ବିରାଟ ବ୍ୟବଧାନ ଦେଖିବାକୁ ମିଳିଛି। ଝାରସୁଗୁଡ଼ାଠାରେ ଏହି ତାରତମ୍ୟ ସର୍ବଧିକ ଦେଖିବାକୁ ମିଳିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୬.୪ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି। ସେହିଭଳି ଭବାନୀପାଟଣାରେ ୫.୯ ଡିଗ୍ରି, ବଲାଙ୍ଗୀରଠାରେ ୪.୯ ଡିଗ୍ରି, ବାଲେଶ୍ବର ଓ ଫୁଲବାଣୀଠାରେ ୪.୮ ଡିଗ୍ରି, ଭୁବନେଶ୍ବରଠାରେ ୪.୮ ଡିଗ୍ରି ଓ କଟକଠାରେ ୩.୭ ଡିଗ୍ରି ଲେଖାଏ ତାପମାତ୍ରା ସ୍ବାଭାବିକ ସର୍ବନିମ୍ନ ତାପମାତ୍ରାଠାରୁ କମ୍‌ ରହିଛି। ଦୁଇ ଦିନ ପରେ ଧୀରେ ଧୀରେ ତାପମାତ୍ରା ବଢ଼ିବ ଓ ଶୀତ କମିବ। ଆସନ୍ତା ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ପାଗ ଶୁଖିଲା ଓ ଆକାଶ ନିର୍ମଳ ରହିବ। ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ପାଖାପାଖି ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।