ଖସୁଛି ରାତିର ତାପମାତ୍ରା; ଆଉ ୨ ଦିନ ପ୍ରବଳ ଜାଡ଼, ୟେଲୋୱାର୍ଣ୍ଣିଂ ଜାରି

୭ ତଳକୁ ଖସିଲା ଦାରିଙ୍ଗବାଡ଼ି ତାପମାତ୍ରା, ଆଉ ୩ ଦିନ ଶୀତ

ଭୁବନେଶ୍ବର/ ଦାରିଙ୍ଗବାଡ଼ି : ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କବାୟୁ ପ୍ରବେଶ କରୁଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲା‌ରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏମିତି ସ୍ଥିତି ଜାରି ରହିବ ଓ ପ୍ରବଳ ଶୀତ ଅନୁଭୂତ ହେବ। ଏହାର ପରବର୍ତ୍ତୀ ୨ ଦିନରେ ପାରଦ ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ଘଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲି କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ଓ କେନ୍ଦୁଝର ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରି ପ୍ରବ‌ାହିତ ହେବାର ସମ୍ଭାବନା ରହିଛି। ଏଥିସହ ୩୦ ତାରିଖ ଦିନ ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର ଓ କଳାହାଣ୍ଡି ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରି ପ୍ରବାହିତ ହେବ। ଏଣୁ ଆସନ୍ତା ୨ ଦିନ ପାଇଁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି।

ଶୀତ ଲହର ପାଇଁ ୱାର୍ଣ୍ଣିଂ ଜାରି କରିବା ସହ କେନ୍ଦ୍ର ପକ୍ଷରୁ କିଛି ସତର୍କତାମୂଳକ ପରାମର୍ଶ ଦେଇଛି। ଏହି ଶୀତ ଲହର ପ୍ରବାହିତ ହେଉଥିବା ସମୟ‌ରେ ରାତି କିମ୍ବା ପାହାନ୍ତିଆ ସମୟରେ ବ‌ାହାରକୁ ନ ବାହାରିବା ପାଇଁ କୁହାଯାଇଛି। ଶୀତବସ୍ତ୍ର ପରିଧାନ କରିବା, ଗୃହପାଳିତ ପଶୁଙ୍କୁ ଖୋଲା ସ୍ଥାନ ପରିବର୍ତ୍ତେ ବନ୍ଦ କୋଠରିରେ ରଖିବା, ରାତି ସମୟରେ ଖୋଲା ଯାନରେ ଯାତାୟାତ ନ କରିବାକୁ ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିଠାରେ ୬.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ କୋରାପୁଟ ସେମିଳିଗୁଡ଼ାଠାରେ ୮.୦ ଡିଗ୍ରି ରେକର୍ଡ ହୋଇଛି। ସେହିପରି କେନ୍ଦୁଝର, ଫୁଲବାଣୀ ଓ କିରେଇଠାରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରଠାରେ ଗତକାଲିର ରାତି ତାପମାତ୍ରା ୧୨.୧ ଡିଗ୍ରି ଓ କଟକଠାରେ ୧୩ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ଦୁଇ ଦିନ ମଧ୍ୟ ତାପମାତ୍ରା ଏହିଭଳି ରହିବ ଓ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର