ଏଣିକି ଦିନରେ ତାତି, ରାତିରେ ଥଣ୍ଡା
ଭୁବନେଶ୍ବର : ଏଣିକି ବଦଳିବ ପାଗ। ଦୁଇ ଦିନ ଧରି ବର୍ଷା ସହ କୋହଲା ପାଗ ଲାଗିରହିବାରୁ ଦିନର ତାପମାତ୍ରା ୫ରୁ ୮ ଡିଗ୍ରି ପର୍ଯ୍ୟନ୍ତ କମିଥିଲା। କିନ୍ତୁ ମଙ୍ଗଳବାରଠାରୁ ଦିନର ତାପମାତ୍ରା ପୁଣିଥରେ ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରି ଟପିଯିବ। ହେଲେ ରାତିର ତାପମାତ୍ରା କମିବ। ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଗୋଟିଏ ଦୁଇଟି ସ୍ଥାନରେ ପାରଦ ୭ ଡିଗ୍ରି ପାଖାପାଖି ପହଞ୍ଚିବ। ଫେବ୍ରୁଆରି ୩ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଏଭଳି ପାଗ ଲାଗିରହିବ। ଏହାପରେ ପୁଣିଥରେ ରାତିର ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆହୁରି କୁହାଯାଇଛି ମଙ୍ଗଳବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ସମେତ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ। ସକାଳ ସମୟରେ କୁହୁଡ଼ି ସହ ଝିପିଝିପି ବର୍ଷା ହେବ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଆକାଶ ମେଘମୁକ୍ତ ରହିବ। ସୂର୍ଯ୍ୟଙ୍କ କିରଣ ବଢ଼ିବ। ତାପମାତ୍ରା ଦୁଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ରାତିରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ରେ କିନ୍ତୁ କୁହୁଡ଼ି ଲାଗି ରହିବ। ୩୦ ତାରିଖରେ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବ। ଏହାପରେ ପାଗ ଫିଟିଯିବ। ସେପଟେ ଗତକାଲି ପରି ଆଜି ଦିନ ସାରା କୋହଲା ପାଗ ଲାଗିରହିଥିଲା। ଦିନ ସମୟରେ ବି ଥଣ୍ଡା ଅନୁଭୂତ ହେଉଥିଲା। ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୨୮ ଡିଗ୍ରି ଭିତରେ ରହିଥିଲା। ଦାରିଙ୍ଗବାଡ଼ିରେ ଦିନର ତାପମାତ୍ରା ୧୮ ଡିଗ୍ରି ଓ ରାତିର ତାପମାତ୍ରା ୧୨.୫ ଡିଗ୍ରି ରହିଥିଲା। ଏଭଳି ସ୍ଥିତି ପ୍ରାୟତଃ ଦେଖିବାକୁ ମିଳି ନଥାଏ। ସେପଟେ ଫୁଲବାଣୀ ବ୍ୟତୀତ ଅନ୍ୟ ସମସ୍ତ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିଲା। ଫୁଲବାଣୀରେ ୮.୫ ଡିଗ୍ରି ଥିଲା। ଗତ ୧୨ ଘଣ୍ଟା ମଧ୍ୟରେ କଟକ, ଭୁବନେଶ୍ବର ସମେତ ତାଳଚେର, ଭବାନୀପାଟଣା, କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର କହିଛି।