ଭୁବନେଶ୍ବର : ରାଜ୍ୟରେ ଶୀତ ପ୍ରବାହ ଜାରି ରହିଥିଲେ ସୁଦ୍ଧା ରାତି ତାପମାତ୍ରା ସାମାନ୍ୟ ବଢ଼ିଛି। ଦୁଇ ଦିନ ତଳେ ଜି.ଉଦୟଗିରିର ତାପମାତ୍ରା ୫ ଡିଗ୍ରିକୁ ଖସିଯାଇଥିବା ବେଳେ ଗତରାତିରେ ଏଠାରେ ୬.୪ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି। ଏଥିସହ ସେମିଳିଗୁଡ଼ାରେ ରାତି ତାପମାତ୍ରା ୭.୦ ଡିଗ୍ରି, ଫୁଲବାଣୀ ଓ କିରେଇରେ ୮ ଡିଗ୍ରି, କେନ୍ଦୁଝରରେ ୮.୮ ଡିଗ୍ରି, ସୁନ୍ଦରଗଡ଼ରେ ୯.୩ ଡିଗ୍ରି, ଝାରସୁଗୁଡ଼ାରେ ୯.୬ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ପରବର୍ତ୍ତୀ ସମୟରେ ରାଜ୍ୟର ପାରଦ ସ୍ତର ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ୨୫ ତାରିଖ ଅର୍ଥାତ ବଡ଼ଦିନ ଦିନ ରାଜ୍ୟରେ ଶୀତ ପ୍ରକୋପ କମ୍ ରହିବ ଓ ନୂଆବର୍ଷ ଦିନ ପ୍ରବଳ ଶୀତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୪ରୁ ୨୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ବଢ଼ିପାରେ। ୨୫ ତାରିଖ ଅର୍ଥାତ୍ ବଡ଼ଦିନରେ ରାଜ୍ୟରେ ଶୀତ କମ ରହିବ। ଉପକୂଳ ଓଡ଼ିଶାରେ ୨୮ ତାରିଖରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି କମିବା ବେଳେ ଆଭ୍ୟନ୍ତର ଓଡ଼ିଶାରେ ୨୭ ଓ ୨୮ ତାରିଖରେ ତାପମାତ୍ରା ୫ରୁ ୬ ଡିଗ୍ରି କମିବା ଯୋଗୁଁ ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି। ଫଳରେ ଏହି ଶୀତ ନୂଆବର୍ଷ ଯାଏ ଚାଲୁରହିବ।
/sambad/media/post_attachments/wp-content/uploads/2020/11/cold-winter.jpg)
ଅନ୍ୟପଟେ ୨୦୨୩ ମସିହାର ପାଣିପାଗ ଚଳିତ ବର୍ଷଠାରୁ ଭିନ୍ନ ହୋଇପାରେ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି। ବିଷୁବ ମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ଜଳପତ୍ତନ ଓ ଗଭୀର ଜଳର ତାପମାତ୍ରା, ନିମ୍ନ ବାୟୁମଣ୍ଡଳର ପୂର୍ବା ପବନ ଓ ଉପର ବାୟୁମଣ୍ଡଳରେ ପଶ୍ଚିମା ପବନରୁ ବିଭିନ୍ନ ଆନ୍ତର୍ଜାତିକ ମଡେଲର ପୂର୍ବାନୁମାନ କହୁଛି, ଗତ ତିନି ବର୍ଷ ଧରି ଲା-ନିନା ସକ୍ରିୟ ରହିବା ପରେ ଆସନ୍ତା ବର୍ଷ ଆରମ୍ଭରେ ଦୁର୍ବଳ ହୋଇଯିବ। ଜୁନ୍ ୨୦୨୩ ପର୍ଯ୍ୟନ୍ତ ନ୍ୟୁଟ୍ରାଲ ଅବସ୍ଥାରେ ରହିବ। ଏହାପରେ ଏଲ୍ ନିନୋ ଅବସ୍ଥା ଫେରିବାର ସମ୍ଭାବନା ରହିଛି। ଏଲ୍ ନିନୋ ସମୟରେ ଅଧିକ ଗରମ ଓ ଶୁଖିଲା ପାଗ ରହିବାର ସମ୍ଭାବନା ଥାଏ। ବିଗତ ଏଲ୍ ନିନୋ ବର୍ଷମାନଙ୍କର ଅନେକ ବର୍ଷରେ ଦେଶରେ ମୌସୁମୀ ବର୍ଷା କମ୍ ସହିତ, ଅନିୟମିତତା ଦେଖାଯାଇଛି। ଆସନ୍ତା ବର୍ଷ ଜାନୁଆରିରୁ ଜୁନ୍ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ସ୍ବାଭାବିକଠାରୁ ୪୦% ଅଧିକ ରହିବାର ସମ୍ଭାବନା ରହିଛି। ଫଳରେ ଚଳିତ ବର୍ଷ ଶୀତ ଶୀଘ୍ର ଛାଡ଼ିବ ଓ ଗରମ ଅଧିକ ହେବ ବୋଲି ପୂର୍ବାନୁମାନ କରାଯାଉଛି।