ଖସିବ ପାରଦ, ବଢ଼ିବ ଥଣ୍ଡା : ଦକ୍ଷିଣ ଓଡ଼ିଶାରେ ହାଲକା ବର୍ଷା ସମ୍ଭାବନା, ୮ରେ ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ

ଭୁବ‌ନେଶ୍ବର : ଆସନ୍ତା ୫ ଦିନ ଯାଏ ଓଡ଼ିଶାର ପାଗ ଶୁଖିଲା ରହିବା ସାଙ୍ଗକୁ ଶୀତ ବଢ଼ିବ। ତେବେ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା କିମ୍ବା ତୁଷାରପାତ ‌ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ୧୦ ତାରିଖ ଯାଏ ସାରା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ୩ ତାରିଖ ରାତିରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ବଢ଼ିବା ସହ ଦିନର ତାପମାତ୍ରା ବି କମିବ। ଉତ୍ତରପ୍ରଦେଶ ଓ ସଂଲଗ୍ନ କେନ୍ଦ୍ରୀୟ ଭାରତରେ ଆଜି ଗୁରୁଚାପ ବଳୟ ରହିଥିଲା। ଏହି ଗୁରୁଚାପ ବଳୟଟି ମଙ୍ଗଳବାରଠାରୁ ପଶ୍ଚିମ ଆଡ଼କୁ ମୁହାଁଇବ। ଫଳରେ ୩ ତାରିଖଠାରୁ ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ବହିବ। ଉଭୟ ଦିନ ଓ ରାତିର ତାପମାତ୍ରା କମିବ। ତେବେ ୫ ତାରିଖରୁ ପଶ୍ଚିମବଙ୍ଗ ଦେଇ ପୂର୍ବା ପବନ ରାଜ୍ୟକୁ ବହିବ, ଯାହାକି ୧୦ ତାରିଖ ପର୍ଯ୍ୟନ୍ତ ଲାଗିରହିବ।

ଅନୁମାନ କରାଯାଉଛି ଯେ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ୪ ତାରିଖ ରାତିରେ ପାରଦ ଦୁଇ ଡିଗ୍ରି କମିବ। ୫ ତାରିଖରେ ଦିନର ତାପମାତ୍ରା ପ୍ରାୟ ୧.୫ ଡିଗ୍ରି କମିବ। ତାହା ୮ ଦିନ ଯାଏ ଲାଗିରହିବ। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ୩ ତାରିଖରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରି କମିବ। ତାହା ପରବର୍ତୀ ଗୋଟିଏ ସପ୍ତାହ ଯାଏ ଅପରିବର୍ତ୍ତିତ ରହିବ। କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଅଧିକ କମିବ। ତେଣୁ ଥଣ୍ଡା ବଢ଼ିବ। ୮ ତାରିଖରେ ପଶ୍ଚିମବଙ୍ଗ, ବାଂଲାଦେଶ ଓ ସଂଲଗ୍ନ ସୀମାନ୍ତ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଫଳରେ ଉତ୍ତର ସୀମାନ୍ତ ଜିଲ୍ଲା ଯଥା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାର ଉତ୍ତରାଞ୍ଚଳରେ କୁହୁଡ଼ି ସହ ଶିଶିରପାତ ହେବାର ସମ୍ଭାବନା ଅଧିକ ରହିଛି।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଲାକ୍ଷାଦୀପ ନିକଟ ଓ ସଂଲଗ୍ନ ଦକ୍ଷିଣପୂର୍ବ ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ସହ ଚିହ୍ନିତ ଲଘୁଚାପରେ ପରିଣତ ହେବ। ପରବର୍ତୀ ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ। ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାମିଲନାଡ଼ୁ, ପଣ୍ଡିଚେରି, କେରଳ, ଲାକ୍ଷାଦୀପ ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ, ରୟାଲସୀମା, ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ପ୍ରବଳ ବର୍ଷା ଲାଗିରହିବ। ଅନ୍ୟପକ୍ଷରେ ଉତ୍ତରାଖଣ୍ଡ, ଆସାମ, ମେଘାଳୟ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଆଦି ରାଜ୍ୟରେ ଘନ କୁହୁଡ଼ି ଅନୁଭୂତ ‌ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଆସନ୍ତା ୫ ଦିନ ମଧ୍ୟରେ ପୂର୍ବ ଭାରତରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ ସେତେଟା ଫରକ ଦେଖିବାକୁ ମିଳିବ ନାହିଁ। ପରବର୍ତ୍ତୀ ସମୟରେ ଉତ୍ତରପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ତାପମାତ୍ରା ଧୀରେ ଧୀରେ କମିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ପଶ୍ଚିମ ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ତ, ପଶ୍ଚିମବଙ୍ଗର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର