ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ କାଲୁଆ ପାଗ

ଭୁବନେଶ୍ବର: ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ଅଧିକ ରହିବ। ୧୦ ଡିଗ୍ରି ତଳକୁ ଖସିବାର ସମ୍ଭାବନା କମ୍‌ ରହିଛି। ତଥାପି ଦିନତମାମ କୋହଲା ପାଗ ଲାଗିରହିବ। ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପୂର୍ବାନୁମାନ କରାଯାଇଛି ଯେ ୫ ତାରିଖରେ ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ସୋନପୁର, ଅନୁଗୁଳ, ନୟାଗଡ଼, କଟକ, ଦେବଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ରହିବ। ଗାଡ଼ି ଚାଳକମାନେ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ୬ ତାରିଖ ପୂର୍ବାହ୍ନ ଯାଏ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ତେବେ ଅପରାହ୍ନଠାରୁ ପାଗରେ ପରିବର୍ତନ ଆସିବ। ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି। ୭ ଓ ୮ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର କେତେକ ସ୍ଥାନରେ ଘୂର୍ଣ୍ଣିଝଡ଼ ସହ ହାଲୁକା ବର୍ଷା ହେବ। ଏଥିସହ ଖୋର୍ଧା, କଟକ, ଜଗତ୍‌ସିଂହପୁର, କନ୍ଧମାଳ, ନୟାଗଡ଼ ଓ ବଲାଙ୍ଗୀରରେ ବି ସମାନ ସ୍ଥିତି ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ଆସିବ ନାହିଁ। ଏହାପ‌ରେ କିନ୍ତୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ସର୍ବାଧିକ ୬ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ୧.୩ ମିମି, ସମ୍ବଲପୁର ଓ ହୀରାକୁଦରେ ୧.୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର