ଭୁବନେଶ୍ବର: ଓଡ଼ିଶା ଧୀରେ ଧୀରେ ‌ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ବିଦାୟ ଦେବା ଦିଗରେ ମୁହାଁଉଛି। ଏଥିସହ ଖୁବ୍‌ଶୀଘ୍ର ରାଜ୍ୟକୁ ଶୀତ ଛୁଇଁବ। ଆସନ୍ତା ୧୫ ତାରିଖ ଆଡ଼କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆକଳନ କରାଯାଉଛି। ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ‌ତେବେ ୧୩ ଓ ୧୪ ତାରିଖରେ ସମୁଦ୍ର ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। ୧୫ ତାରିଖରୁ ରାତିରେ ତାପମାତ୍ରା କ୍ରମଶଃ କମିବ। ୧୭ ତାରିଖ ସୁଦ୍ଧା କେତେକ ଆଭ୍ୟନ୍ତରୀଣ ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରି ତାପମାତ୍ରା କମିପାରେ। କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜକେନ୍ଦୁଝର ତାପମାତ୍ରା ସବୁଠାରୁ କମ୍‌ ରହିବ।

Advertisment

ଏହି ସବୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଶିଶିରାଙ୍କ (ଡ୍ୟୁ ପଏଣ୍ଟ୍‌ ତାପମାତ୍ରା)ଠାରୁ ୨ରୁ ୩ ଡିଗ୍ରି କମ୍‌ ହେତୁ ଶିଶିରପାତ ସହ କୁହୁଡ଼ି ହେବାର ସମ୍ଭାବନା ରହିଛି। ୧୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରରେ ୫ ଦିନରୁ ଅଧିକ ରହିବ। ଫଳରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ତେବେ କେତେ ଘନୀଭୂତ ହେବ ଏବଂ ଏହା କେଉଁ ଆଡ଼କୁ ଗତି କରିବ ବର୍ତ୍ତମାନଠାରୁ ତାହା କହିହେବ ନାହିଁ। 

୧୩ ତାରିଖରୁ ଦକ୍ଷିଣ-ପଶ୍ଚିମ ବାୟୁ ପରିବର୍ତ୍ତନ ହୋଇ ଉତ୍ତର-ପୂର୍ବ ବାୟୁ ଉପକୂଳରେ ବହିବ। ଯାହାକି ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ସୂଚାଉଛି। ତେବେ ଗତ ୨୭ରୁ ୯ ତାରିଖ ପର୍ଯ୍ୟନ୍ତ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଶିଥିଳ ପଡ଼ିଥିଲା। କିଛି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାର ଆକଳନରୁ ଜଣାପଡ଼ିଛି, ବର୍ତ୍ତମାନ ଲା-ନିନା ଆସିଯାଇଛି। ଜାନୁଆରି ୨୦୨୬ ପର୍ଯ୍ୟନ୍ତ ସ୍ବଳ୍ପ ଅବଧି ପାଇଁ ଏହା ରହିପାରେ। ଲା-ନିନା ସମୟରେ କେତେବ ବର୍ଷ ଅତ୍ୟଧିକ ବର୍ଷା ଓ ଶୀତ ହୋଇଥାଏ।